ଅହମ୍ମଦାବାଦ: ଗୁଜରାଟ ଟାଇଟନ୍ସକୁ ୬ ରନ୍‌ରେ ହରାଇଲା ରାଜସ୍ଥାନ ରୟାଲ୍ସ । ଶେଷ ପର୍ଯ୍ୟନ୍ତ ଗୁଜରାଟ ଟାଇଟନ୍ସ ଜିତିବ ବୋଲି ମ​‌ନେ ହେଉଥିଲା । କିନ୍ତୁ ରାଜସ୍ଥାନର ବୋଲର ଖେଳର ମୋଡ ବଦଳାଇ ବିଜୟ ପକ୍କା କରିଥିଲେ । ଆଜିର ମ୍ୟାଚ୍‌ରେ ସାଇ ସୁଦର୍ଶନ କମାଲ ପ୍ରଦର୍ଶନ କରି ୭୩ ରନ୍‌ କରିଥିଲେ ବି ଦଳ ପରାଜୟ ଭୋଗିଥିଲା । ୨୦ ଓଭରରେ ୮ ଓ୍ବିକେଟ ହରାଇ ୨୦୪ ରନ୍‌ରେ ଅଟକି ଯାଇଥିଲା ଗୁଜରାଟ । ଅଧିନାୟକ ରାଶିଦ ଖାନ ଏବଂ କାଗିସୋ ରାବାଡା ଶେଷ ବେଳକୁ ମୋର୍ଚ୍ଚା ସମ୍ଭାଳିଥିଲେ । କିନ୍ତୁ ରାଶିଦ ଖାନ ଆଉଟ୍‌ ହୋଇଯିବା ପରେ, ଦଳ ହାତରୁ ବିଜୟ ଖସିଯାଇଥିଲା ।

ରାଜସ୍ଥାନ ରୟାଲ୍ସ ପକ୍ଷରୁ ବୋଲର ରବି ବିଷ୍ଣୋଇ ଘାତକ ସାବ୍ୟସ୍ତ ହୋଇଥିଲେ ।  ୪୧ ରନ୍‌ ଦେଇ ସେ ୪ଟି ଓ୍ବିକେଟ ନେଇଥିଲେ । ତାଙ୍କ ବ୍ୟତୀତ ବର୍ଜର, ତୁଷାର ଦେଶପାଣ୍ଡେ ଏବଂ ଅଧିନାୟକ ରିୟାନ ପରାଗ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ଆଜି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ ରୟାଲ୍ସ । ରିୟାନ ପରାଗଙ୍କ ଏହି ନିଷ୍ପତ୍ତି ଶୁଭ ସାବ୍ୟସ୍ତ ହୋଇଛି । ଦଳ ପ୍ରଥମେ ବ୍ୟାଟିଂ କରି ୨୧୦ ରନ୍‌ର ବିଶାଳ ସ୍କୋର କରିଥିଲା

ରାଜସ୍ଥାନ ରୟାଲ୍ସ ପାଇଁ ବୈଭବ ସୂର୍ଯ୍ୟବଂଶୀ ଏବଂ ଯଶସ୍ୱୀ ଜୟସ୍ୱାଲ ଇନିଂସ ଓପନ କରିଥିଲେ। ପାୱାରପ୍ଲେରେ ରାଜସ୍ଥାନ କୌଣସି ୱିକେଟ ନ ହରାଇ ୬୯ ରନ କରିଥିଲା। ବୈଭବ ସୂର୍ଯ୍ୟବଂଶୀ ୧୮ ବଲରେ ୩୧ ରନ କରିଥିବା ବେଳେ ଜୟସ୍ୱାଲ ୩୬ ବଲରେ ୫୫ ରନ କରିଥିଲେ। ଅଧିନାୟକ ରିୟାନ ପରାଗ ଫ୍ଲପ୍ ହେବା ସହ ମାତ୍ର ୮ ରନ କରିଥିଲେ।

ରାଜସ୍ଥାନ ଓ୍ଵିକେଟ୍ ହରାଉଥିଲେ ହେଁ  ଧ୍ରୁବ ଜୁରେଲ ଦମଦାର ବ୍ୟାଟିଂ କରିଥିଲେ। ସେ ରନହାର କମିବାକୁ ଦେଇ ନ ଥିଲେ । ସେ ୪୨ ବଲରେ ୭୫ ରନ କରି ଦଳର ସ୍କୋରକୁ ୨୦୦ ପାର ପହଞ୍ଚାଇବାରେ ସାହାଯ୍ୟ କରିଥିଲେ। ସିମରନ ହେଟମାୟର ୧୮ ରନ କରିଥିଲେ। ଶେଷରେ ରାଜସ୍ଥାନ ୬ ଓ୍ଵିକେଟ୍ ହରାଇ ୨୧୦ ରନ କରିଥିଲା । ବୋଲିଂରେ ଗୁଜରାଟ ପକ୍ଷରୁ ସବୁ ବୋଲର ଓ୍ଵିକେଟ୍ ନେଇଥିଲେ ହେଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

​​​​​​​