ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୬ ମଧ୍ୟରେ ଚେନ୍ନାଇ ସୁପର କିଙ୍ଗସ୍ ଏକ ବଡ଼ ବିବାଦ ଘେରକୁ ଆସିଛି । ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ପୂର୍ବତନ ମୁଖ୍ୟ ଚୟନକର୍ତ୍ତା କୃଷ୍ଣମାଚାରୀ ଶ୍ରୀକାନ୍ତ ସିଏସକେ ମ୍ୟାନେଜମେଣ୍ଟ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ କରିଛନ୍ତି । ଫ୍ରାଞ୍ଚାଇଜ୍ ପ୍ରଶଂସକଙ୍କୁ ବିଭ୍ରାନ୍ତ କରିଥିବାର ଅଭିଯୋଗ ଆଣିଛନ୍ତି । ସୋସିଆଲ ମିଡିଆରେ ଏବେ 'MS Dhoni Scam' ଟ୍ରେଣ୍ଡ କରୁଥିବା ବେଳେ ଶ୍ରୀକାନ୍ତଙ୍କ ଏହି ବୟାନ ଏବେ କ୍ରିକେଟ ଜଗତରେ ହଲଚଲ ସୃଷ୍ଟି କରିଛି ।

ପ୍ରଶଂସକଙ୍କୁ ଅନ୍ଧାରରେ ରଖିଲା ମ୍ୟାନେଜମେଣ୍ଟ ?

ଶ୍ରୀକାନ୍ତ ଅଭିଯୋଗ କରିଛନ୍ତି ଯେ, ସିଏସକେ ଅଧିନାୟକ ଋତୁରାଜ ଗାଏକୱାଡ ଏବଂ କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗ୍ ପୂରା ଟୁର୍ଣ୍ଣାମେଣ୍ଟରେ ମହେନ୍ଦ୍ର ସିଂହ ଧୋନୀଙ୍କ ଫିଟନେସକୁ ନେଇ ପ୍ରଶଂସକଙ୍କୁ ମିଛ କହିଆସିଛନ୍ତି । ଧୋନୀଙ୍କ ନାଁ ବ୍ୟବହାର କରି ପ୍ରଶଂସକଙ୍କୁ ଅନ୍ଧାରରେ ରଖାଗଲା ଏବଂ ସେମାନଙ୍କୁ ଷ୍ଟାଡିୟମକୁ ଆସି ଟିକେଟ୍ କିଣିବା ପାଇଁ ବାଧ୍ୟ କରାଗଲା । କିନ୍ତୁ ଦଳ ସମ୍ପୂର୍ଣ୍ଣ ଆଇପିଏଲ୍ ୨୦୨୬ ସିଜନରେ ଧୋନୀଙ୍କ ବିନା ହିଁ ଖେଳିଲା ।

କେ. ଶ୍ରୀକାନ୍ତ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି, "ଏଇ ପ୍ରତାରଣା ବନ୍ଦ କରନ୍ତୁ । ଆପଣ ସବୁକିଛି ସ୍ପଷ୍ଟ କରିବା ଥିଲା । ସିଜନ୍ ଆରମ୍ଭ ହେବା ପୂର୍ବରୁ ସେମାନେ କହିଲେ କି ଧୋନୀଙ୍କ ଗୋଡ଼ରେ ଆଘାତ ଲାଗିଛି ଏବଂ ସେ ଶୀଘ୍ର ଫେରିବେ । ତା'ପରେ କହିଲେ ସେ ଏବେ ବି ସୁସ୍ଥ ହେଉଛନ୍ତି ଏବଂ ପରେ ପୁଣି ଜଙ୍ଘ ମାଂସପେଶୀରେ ଆଘାତ ଲାଗିଥିବା କଥା କହିଲେ । ଯଦି ଆପଣ ପ୍ରତି ମ୍ୟାଚର ସ୍ଥିତି ଦେଖିବେ, ଋତୁରାଜ ସବୁବେଳେ କହୁଥିଲେ 'ବଡ଼ ଭାଇ ପରବର୍ତ୍ତୀ ମ୍ୟାଚ୍ ପାଇଁ ଉପଲବ୍ଧ ରହିବେ'।"

ଟିକେଟ୍ ବିକ୍ରି ପାଇଁ ଧୋନୀଙ୍କ ନାଁକୁ ବ୍ୟବହାର କରାଗଲା !

ଗୁଜରାଟ ଟାଇଟନ୍ସଠାରୁ ୮୯ ରନରେ ହାରି ଚେନ୍ନାଇ ସୁପର କିଙ୍ଗସ୍ ପ୍ଲେ-ଅଫ୍ ଦୌଡ଼ରୁ ବାହାରିବାର ଦିନକ ପରେ ଶ୍ରୀକାନ୍ତ ଏହି ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ସିଏସକେ ମ୍ୟାନେଜମେଣ୍ଟ ଧୋନୀଙ୍କ ଅଭ୍ୟାସ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି ଫ୍ୟାନ୍ସଙ୍କ ଭାବନା ସହ ଖେଳିଛି । କିନ୍ତୁ ସେମାନେ ଭଲ ଭାବେ ଜାଣିଥିଲେ ଯେ ଧୋନୀ ଏହି ସିଜନରେ ଗୋଟିଏ ବି ମ୍ୟାଚ୍ ଖେଳିପାରିବେ ନାହିଁ ।

ତାଙ୍କ କହିବା କଥା ହେଉଛି, ଯଦି ଫ୍ରାଞ୍ଚାଇଜ୍ ଆରମ୍ଭରୁ ସ୍ପଷ୍ଟ ଭାବେ ସୂଚନା ଦେଇଥାନ୍ତା, ତେବେ ଧୋନୀଙ୍କୁ ଦେଖିବାକୁ ଆଶା ରଖିଥିବା ଲକ୍ଷ ଲକ୍ଷ ପ୍ରଶଂସକ ଏଭଳି ନିରାଶ ହୋଇନଥାନ୍ତେ । ଧୋନୀ ଚେପକ ଷ୍ଟାଡିୟମରେ ଦଳର ଶେଷ ହୋମ୍ ମ୍ୟାଚ୍ ପରେ କେବଳ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇବା ପାଇଁ ପଡ଼ିଆ ଚାରିପାଖ ବୁଲିଥିଲେ ।

ଶ୍ରୀକାନ୍ତ କହିଛନ୍ତି, କ୍ରିକେଟ୍ ଏବେ ଆଗକୁ ବଢ଼ି ସାରିଛି । ପ୍ରଶଂସକମାନେ ଏବେ ଧୋନୀଙ୍କ ପରବର୍ତ୍ତୀ ଯୁଗକୁ ଗ୍ରହଣ କରିବାକୁ ପ୍ରସ୍ତୁତ । ସେ କହିଛନ୍ତି, "ସତ କହିବାକୁ ଗଲେ, ଆଉ କେହି ଧୋନୀଙ୍କୁ ମିସ୍ କରୁନାହାନ୍ତି । ଧୋନୀଙ୍କ ଯୁଗ ଶେଷ ହୋଇଯାଇଛି । ସେ ଆଇପିଏଲର ସର୍ବୋତ୍ତମ ଖେଳାଳି ଏବଂ ଅଧିନାୟକମାନଙ୍କ ମଧ୍ୟରୁ ଜଣେ, କିନ୍ତୁ ପ୍ରଶଂସକମାନଙ୍କୁ କାହିଁକି ବାରମ୍ବାର ଭ୍ରମିତ କରାଯାଉଛି ?"