IPL GT vs RCB: ବୋଲରଙ୍କ ଘାତକ ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ଆଇପିଏଲର ୪୨ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୪ ଓ୍ଵିକେଟରେ ହରାଇଛି। ଏହି ଲୋ ସ୍କୋରିଂ ମ୍ୟାଚରେ ଆରସିବି ପ୍ରଥମେ ବ୍ୟାଟିଂ କରି ୧୫୫ ରନ କରିଥିଲା। ଜବାବରେ ଗୁଜରାଟ ଟାଇଟନ୍ସ ୧୫.୫ ଓଭରରେ ୬ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି। ଅଧିନାୟକ ଶୁଭମନ ଗିଲ୍ ୪୩ ରନ ଓ ଜୋସ ବଟଲର ୩୯ ରନ କରିଥିଲେ। ନିଜର ନବମ ମ୍ୟାଚରେ ଆରସିବି ତୃତୀୟ ପରାଜୟ ଭୋଗିଥିବା ବେଳେ ଗୁଜରାଟ ସମାନ ମ୍ୟାଚରୁ ପଞ୍ଚମ ବିଜୟ ସହ ଅଙ୍କ ତାଲିକାରେ ପଞ୍ଚମ ସ୍ଥାନରେ ରହିଛି।

୧୫୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଗୁଜରାଟକୁ ସାଇ ସୁଦର୍ଶନ(୬ ରନ) ଭାବେ ପ୍ରଥମ ଝଟକା ଲାଗିଥିଲା। ଅଧିନାୟକ ଶୁଭମନ ଗିଲ୍ ଓ ଜୋସ ବଟଲର ବିସ୍ଫୋରକ ବ୍ୟାଟିଂ କରି ମ୍ୟାଚକୁ ଏକତରଫା କରିଥିଲେ। ଗିଲ୍ ୧୮ ବଲରୁ ୪ ଚୌକା ଓ ୩ ଛକା ସହ ୪୩ ରନ କରିଥିଲେ। ଓ୍ଵାଶିଂଟନ ସୁନ୍ଦର ୧୨ ରନ କରି ପାଭିଲିୟନ ଫେରିଥିଲେ।

Also Read: ବଢିଲା ରିୟାନ ପରାଗଙ୍କ ଅଡୁଆ : ଇ-ସିଗାରେଟ୍ ଟାଣିବାରୁ ବିସିସିଆଇର ଆକ୍ସନ୍, ଏହି ଦଣ୍ଡ ଦେଲା ବୋର୍ଡ

ଜୋସ ବଟଲର ୧୯ ବଲରୁ ୨ ଚୌକା ଓ ୪ ଛକା ସହ ୩୯ ରନ କରି ଦଳର ବିଜୟ ସହଜ କରିଥିଲେ। ତେବେ ମଧ୍ୟକ୍ରମେ କିଛି ଓ୍ଵିକେଟ୍ ଖସିବାରୁ ମ୍ୟାଚ୍ ୧୬ ଓଭର ପର୍ଯ୍ୟନ୍ତ ଯାଇଥିଲା। ରାହୁଲ ତେଓ୍ଵତିଆ ୧୭ ବଲରୁ ୨୭ ରନର ଅପରାଜିତ ଇନିଂସ ଖେଳି ଦଳ ବିଜୟରେ ଔପଚାରିକତା ପୂରଣ କରିଥିଲେ। ରଶିଦ ଖାନ ୬ ରନ କରି ଅପରାଜିତ ଥିଲେ। ଏହା ସହିତ ଗୁଜରାଟ ଗତ ପରାଜୟର ବଦଲା ନେଇଛି।

ବୋଲିଂରେ ଆରସିବି ପକ୍ଷରୁ ଭୁବନେଶ୍ଵର କୁମାର ୪ ଓଭରରେ ୨୮ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ। ରୋମାରିଓ ଶେଫାର୍ଡ ୩୦ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ। ଏହା ପୂର୍ବରୁ ବେଙ୍ଗାଲୁରୁ ୧୫୫ ରନ କରିଥିଲା। ଦଳ ପକ୍ଷରୁ ଦେବଦତ୍ତ ପାଡିକଲ ସର୍ବାଧିକ ୪୦ ରନ କରିଥିବା ବେଳେ ବିରାଟ କୋହଲି ୨୮ ରନ କରିଥିଲେ।