ଜୟପୁର, ୩୦/୦୪ : ଫାଇନ୍ ଗଣିବେ ରିୟାନ ପରାଗ । ଡ୍ରେସିଂ ରୁମରେ ଇ-ସିଗାରେଟ୍ ଟାଣିଥିବାରୁ କଡା କାର୍ଯ୍ୟାନୁଷ୍ଠାନ ନେଇଛି ବିସିସିଆଇ । ରାଜସ୍ଥାନ ରୟାଲ୍ସ ଅଧିନାୟକ ରିଆନଙ୍କ ଭିଡିଓ ଭାଇରାଲ ପରେ ତାଙ୍କ ବିରୋଧରେ ଆକ୍ସନ୍ ନିଆଯାଇଛି ।

ଭେପିଂ ଭିଡିଓ ଭାଇରାଲ୍

ରିପୋର୍ଟ ଅନୁସାରେ,ରାଜସ୍ଥାନ ରୟାଲ୍ସର ଅଧିନାୟକ ରିୟାନ ପରାଗ ଏବେ ଏକ ବଡ଼ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏପ୍ରିଲ ୨୮ ତାରିଖରେ ମୁଲ୍ଲାନପୁରର ମହାରାଜା ଯାଦବିନ୍ଦ୍ର ସିଂ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ୍ ଚାଲିଥିବା ସମୟରେ ତାଙ୍କୁ ଡ୍ରେସିଂ ରୁମରେ ଭେପିଂ ବା ଇ-ସିଗାରେଟ୍ ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

​​​​​​​Also Read :-ଏବେବି ପ୍ଲେ-ଅଫ୍ ଖେଳିପାରିବ ମୁମ୍ବାଇ ! କିନ୍ତୁ କରିବାକୁ ପଡିବ ଏହି କାମ...ଜିତିବାକୁ ହେବ ମାତ୍ର ଏତିକି ମ୍ୟାଚ୍

ଭିଡିଓରେ ଦେଖିବାକୁ ମିଳିଛି ଯେ, ମ୍ୟାଚର ଗୁରୁତ୍ୱପୂର୍ଣ୍ଣ ସମୟରେ ଯେତେବେଳେ ସମସ୍ତଙ୍କ ନଜର ଖେଳ ଉପରେ ଥିଲା, ସେତେବେଳେ ରିୟାନ ପରାଗ ଅତି ସାଧାରଣ ଭାବେ ଇ-ସିଗାରେଟ୍ ଟାଣୁଥିଲେ। ଜଣେ ଦଳର ନେତୃତ୍ୱ ନେଉଥିବା ଖେଳାଳିଙ୍କ ପାଇଁ ଏଭଳି ଆଚରଣ ଖେଳର ମର୍ଯ୍ୟାଦା ହାନୀ କରୁଛି ବୋଲି ସମାଲୋଚନା କରିଥିଲେ ଫ୍ୟାନ୍ସ। ପ୍ରଶଂସକମାନେ ଏହାକୁ ଖେଳ ପ୍ରତି ତାଙ୍କର ବେପରୁଆ ମନୋଭାବ ବୋଲି ମତ ଦେଇଥିଲେ ।

ରୟାଲ୍ସ ପାଇଁ ଅଡୁଆ

ଆଇପିଏଲ ୨୦୨୬ ମଝିରେ ଏହି ବିବାଦ ରାଜସ୍ଥାନ ରୟାଲ୍ସ ପାଇଁ ଅଡୁଆ ସୃଷ୍ଟି କରିଛି। ଜଣେ ଯୁବ ଖେଳାଳି ତଥା ଅଧିନାୟକଙ୍କ ପାଇଁ ଶୃଙ୍ଖଳା ରକ୍ଷା କରିବା ଅତ୍ୟନ୍ତ ଜରୁରୀ। ତେବେ ପରାଗଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା କମ୍ ଥିଲେ ମଧ୍ୟ ବିସିସିଆଇର ଆଭ୍ୟନ୍ତରୀଣ ଶୃଙ୍ଖଳା କମିଟି ଏହାକୁ ଗୁରୁତ୍ୱର ସହ ନେଇଛି। ତାଙ୍କର ମ୍ୟାଚ୍ ଫି'ର ୨୫ ପ୍ରତିଶତ କଟାଯାଇଛି । ବିସିସିଆଇର ଶୃଙ୍ଖଳା ନିୟମ ଅନୁସାରେ ସେ ନିୟମ ୨.୨୧କୁ ଉଲ୍ଲଙ୍ଘନ କରିଛନ୍ତି । ଯାହା ଖେଳାଳିଙ୍କ ସମସ୍ତ ଆଚରଣ ବାବଦରେ ଉଲ୍ଲେଖ କରିଥାଏ ।