ଜୟପୁର, ୦୨/୦୫ : ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦଳ ଆରଆର ଦେଇଥିବା ୨୨୬ ରନର ଟାର୍ଗେଟକୁ ଅତି ସହଜରେ ହାସଲ କରିନେଇଛି । ମାତ୍ର ତିନୋଟି ଓ୍ୱିକେଟ୍ ହରାଇ ଦିଲ୍ଲୀ ବିଜେତା ହୋଇଛି । କିନ୍ତୁ ଜିତିଲା ପରେ ବି ଖୁସି ନାହାଁନ୍ତି ଡିସି କ୍ୟାପ୍ଟେନ୍ ଅକ୍ଷର ପଟେଲ ।

୨୦୨୬ ଆଇପିଏଲରେ ଲଗାତରା ତିନୋଟି ପରାଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଲାଭ କରିଛି । କିନ୍ତୁ ଏହାକୁ ନେଇ ଅକ୍ଷର ସେତେଟା ଖୁସି ନଥିବା ପ୍ରକାଶ କରିଛନ୍ତି । ଅକ୍ଷର କହିଛନ୍ତି ଯେ, ମ୍ୟାଚ୍ ଜିତିବା ପରେ ଗର୍ବ ଏବଂ ଆଶ୍ୱସ୍ତିର କୌଣସି ପ୍ରଶ୍ନ ଉଠୁନି । ଗତ ମ୍ୟାଚରେ ଶୋଚନୀୟ ଭାବେ ଦଳ ପରାସ୍ତ ହୋଇଥିଲା । ଦଳକୁ ଯାହା ଠିକ୍ ଲାଗିଲା ଏବେ ସେମାନେ କରିଛନ୍ତି । ପରିସ୍ଥିତି କେତେବେଳେ ବି ବଦଳିପାରେ । ତେଣୁ ପ୍ରୋସେସ୍ ଉପରେ ଭରସା ରଖିବାକୁ ପଡିବ ।

ଦଳର ପ୍ରଦର୍ଶନକୁ ପ୍ରଶଂସା କରି ସେ କହିଛନ୍ତି ଯେ, ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଖେଳାଳି ଦମଦାର୍ ପ୍ରଦର୍ଶନ କରିଛନ୍ତି । ଯୋଜନା ଅନୁସାରେ ସମସ୍ତେ ପ୍ରସ୍ତୁତ ଥିଲେ । ମିଚେଲ୍ ଷ୍ଟାର୍କ ଦଳକୁ ଫେରିବା ପରେ ଟିମ୍ ଶକ୍ତିଶାଳୀ ହୋଇଛି । ଅଧିନାୟକ ଭାବେ ପାଓ୍ଲାର ପ୍ଲେରେ ବିପକ୍ଷ ଦଳର ଟପ୍ ବ୍ୟାଟରଙ୍କୁ ଆଉଟ୍ କରିବା ପରେ ଖୁସି ମିଳିଥାଏ ବୋଲି ଅକ୍ଷର ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ଶକ୍ତିଶାଳୀ ରାଜସ୍ଥାନକୁ ପରାସ୍ତ କରିବା ପରେ ଦଳ ପୂର୍ବ ମ୍ୟାଚରେ ଶୋଚନାୟ ପରାଜୟର ଦୁଃଖକୁ ଲାଘବ କରିଛି । ଏହାସହ ପ୍ଲେ-ଅଫ୍ ରେସରେ ନିଜକୁ ଜୀବିତ ରଖିଛି । ଗତ ମ୍ୟାଚରେ ଟିମ୍ ମାତ୍ର ୭୫ ରନରେ ଅଲଆଉଟ୍ ହୋଇଥିଲା । ଯାହାକୁ ନେଇ ଅନେକ ଅକ୍ଷରଙ୍କୁ ସମାଲୋଚନା କରିଥିଲେ ।