ନୟାଗଡ଼ ୨।୧: ଶ୍ବଶୁର ଘରେ ବିଷ ପିଆଇ ଜ୍ବାଇଁଙ୍କୁ ହତ୍ୟା ଅଭିଯୋଗ ଘଟଣାରେ ପୋଲିସ ସଦର ଥାନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ନୟାଗଡ଼ ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ ଖତିଆ ଗାଁର ରମେଶ ଭୂୟାଁଙ୍କ ପୁଅ ବିପିନ ଗତ ୮ ମାସ ତଳେ ସଦର ଥାନା ଜୟମଙ୍ଗଳପ୍ରସାଦ ଗାଁରେ ବିବାହ କରିଥିଲେ । ବିବାହ ପରଠାରୁ ଶ୍ବଶୁରଘର ଲୋକେ ବିଭିନ୍ନ ସମୟରେ ବିପିନ ଠାରୁ ଲକ୍ଷାଧିକ ଟଙ୍କା ମାଗି ନେଇଥିଲେ । ଗତ କିଛିଦିନ ତଳେ ପୁଣି ଥରେ ୫୦ ହଜାର ଟଙ୍କା ମାଗିଥିଲେ । ତେବେ ଏଥିପାଇଁ ମନା କରିବାରୁ ଶ୍ବଶୁରଘର ଲୋକେ ଏବଂ ସ୍ତ୍ରୀ ତାଙ୍କ ସହ କଥା ହୋଇନଥିଲେ । ଏପରିକି ସ୍ତ୍ରୀ ବାପଘରକୁ ଚାଲିଆସିଥିଲେ । ଗତ ମଙ୍ଗଳବାର ଦିନ ବିପିନ ଶ୍ବଶୁରଘରକୁ ଆସିଥିଲେ । ସେଠାରେ ଶ୍ବଶୁରଘର ଲୋକେ ତାଙ୍କୁ ପ୍ରବଳ ମାଡ ମାରିବା ସହ ଜୋରଜବରଦସ୍ତ ଥଣ୍ଡା ପାନୀୟରେ ବିଷ ପିଆଇ ଦେଇଥିବା ବିପିନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ବିପିନଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ ଡାକ୍ତରଖାନାରେ ଭର୍ତ୍ତି କରିଦେଇ ଶ୍ବଶୁରଘର ଲୋକେ ପଳାଇଯାଇଥିଲେ । ପରେ ବିପିନଙ୍କୁ ପରିବାର ଲୋକ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏନେଇ ବିପିନଙ୍କ ପରିବାର ସଦସ୍ୟ ଦର୍ପନାରାୟଣପୁର ଫାଣ୍ଡିରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା ।

ଚିକିତ୍ସାଧିନ ଥିବାବେଳେ ବିପିନଙ୍କ ବୟାନ ଭାଇରାଲ୍ ହୋଇଛି । ଚିକିତ୍ସାଧିନ ଅବସ୍ଥାରେ ବିପିନଙ୍କର ଗତକାଲି ମୃତ୍ୟୁ ହୋଇଯିବା ପରେ ନ୍ୟାୟ ଦାବିରେ ଫାଣ୍ଡି ଆଗରେ ମୃତଦେହ ରଖି ଗ୍ରାମବାସୀ ରାସ୍ତାରୋକ କରିଥିଲେ । ରଣପୁର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ପରେ ରାତି ପ୍ରାୟ ୧୨ଟାରେ ରାସ୍ତାରୋକ ହଟିଥିଲା । ସଦର ଥାନା ଅଧିକାରୀ ଏବଂ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି । ବିପିନଙ୍କ ଶ୍ବଶୁରଘରେ କେହିନଥିବାରୁ ପୋଲିସ କାହାକୁ ଆଣିପାରିନି । ତେବେ ଖୁବ୍ଶୀଘ୍ର ସମସ୍ତଙ୍କୁ ଆଣି ପଚରାଉଚରା କରାଯିବ ବୋଲି ଅତିରିକ୍ତ ଏସ୍ପି କହିଛନ୍ତି ।