ଭୁବନେଶ୍ୱର: ଅଧପନ୍ତରିଆ କଳିଙ୍ଗ ଷ୍ଟୁଡିଓ । ତରବରିଆ ଲୋକାର୍ପଣ କଲେ । ୬ ଦିନ ପରେ ବି ଷ୍ଟୁଡିଓ ଖୋଲିପାରୁନି । ସମସ୍ତେ ପଚାରୁଛନ୍ତି, ତେବେ ଖୋଲିବ... ? ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି) ଚୁପ୍ I କାରଣ ଓଏଫ୍‌ଡ଼ିସି ପାଖରେ ଉତ୍ତର ନାହିଁ କି ଷ୍ଟୁଡିଓ ନାହିଁ I ପୁନର୍ବିକଶିତ ଓ ନବୀକୃତ କଳିଙ୍ଗ ଷ୍ଟୁଡିଓକୁ ଗତ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ । କିନ୍ତୁ ଏଯାଏ ଓଏଫଡିସିକୁ ହସ୍ତାକ୍ଷର କଲାନାହିଁ ଇଡ୍‌କୋ ।

ଲୋକାର୍ପଣ ପୂର୍ବରୁ ଏନେଇ ଇନଡୋକୁ ବାରମ୍ବାର ଅନୁରୋଧ କରାଯାଇଛି । ଯଥାଶୀଘ୍ର ଷ୍ଟୁଡିଓରେ ଥିବା ତ୍ରୁଟି ସଜାଡ଼ି, ବାକି କାମ ସାର । ଆବଶ୍ୟକ ସୁବିଧା ଉପଲବ୍ଧ କରାଇ ତୁରନ୍ତ ହସ୍ତାନ୍ତର କର । ମାତ୍ର ଏଯାଏ ତାହା ହୋଇପାରିଲାନି । ଯେଉଁଥିପାଇଁ ଶନିବାର ପୁଣିଥରେ ଇଡ୍‌କୋକୁ ଟିଠି ଲେଖିଛି ଓଏଫ୍‌ଡିସି ।

ବିଶେଷକରି ଯାହା ଉପରେ ସମସ୍ତଙ୍କ ନଜର ରହିଛି; ଭୂତ ବଙ୍ଗଳା (ହଣ୍ଟେଡ୍, ହାଉସ୍), ମୁଭି ମ୍ୟାଜିକ୍, ସ୍ନୋ ୱାର୍ଲଡ ବା ସ୍ନୋ-ପାର୍କ, ଅଡିଟୋରିୟମ୍ -୧ ଓ ୨ ଏପର୍ଯ୍ୟନ୍ତ ହସ୍ତନ୍ତର ହେଲା ନାହିଁ । ଯେଉଁଥିପାଇଁ ଷ୍ଟୁଡିଓ ଖୋଲିପାରୁନି । କାରଣ କାମ ସମ୍ପୂର୍ଣ୍ଣ ହୋଇନି । ଖାଲି ବାହାର ଚକଚକ, ଭିତର ଫମ୍ପା । ଲୋକ ଦେଖିବେ କ'ଣ, ସୁଟିଂ ହେବ କ'ଣ ?

ଆଗକୁ ଦଶହରା । ଅନେକ ସିନେ ନିର୍ମାତା ଷ୍ଟୁଡିଓରେ ନିଜ ଫିଲ୍ମ ସୁଟିଂ ସହ ପ୍ରଦର୍ଶନ ଏବଂ ସ୍ୱତନ୍ତ୍ର ସ୍କ୍ରିନିଂ ପାଇଁ ଆଗ୍ରହ ଦେଖାଉଛନ୍ତି । ପାର୍ବଣ ଋତୁ ଆସୁଥିବାରୁ, ରାଜ୍ୟ ବାହାରର ବହୁ ସଂଖ୍ୟକ ପର୍ଯ୍ୟଟକ ଷ୍ଟୁଡିଓ ପରିଦର୍ଶନକୁ ଅପେକ୍ଷା କରିବସିଛନ୍ତି । କେବେ ଖୋଲିବ ପଚାରୁଛନ୍ତି ? ଅନେକ ଆସି ସୁବିଧା ଉପଭୋଗ ନ କରି ଗେଟ୍ ମୁହଁରୁ ଫେରୁଛନ୍ତି । ବିଭିନ୍ନ ଟୁର୍ ଅପରେଟର୍ ମଧ୍ୟ ଷ୍ଟୁଡିଓ ଖୋଲିବାର ତାରିଖ ପଚାରୁଛନ୍ତି ?

ଏହା ସହିତ, ପର୍ଯ୍ୟଟକଙ୍କ ପାଇଁ ପାନୀୟ ସ୍ଥଳ ଏବଂ ସାଧାରଣ ଲୋକଙ୍କ ସୁବିଧା ଦୃଷ୍ଟିରୁ ଆବଶ୍ୟକ ଭିତ୍ତିଭୂମି/ ସୁରକ୍ଷା ଅଡିଟ୍ କରିବାକୁ ମଧ୍ୟ ଇଡ୍‌କୋକୁ ଅନୁରୋଧ କରାଯାଇଥିଲା । ଯାହା ଏପର୍ଯ୍ୟନ୍ତ ସମ୍ପୂର୍ଣ ହୋଇନାହିଁ । ଏଣେ ଷ୍ଟୁଡିଓର ପରିଚାଳନା ବ୍ୟୟ ବଢ଼ିବା ସହ ବିପୁଳ ଆର୍ଥିକ କ୍ଷତି ଘଟାଇଛି । ମାସକୁ ମାସକୁ ଆର୍ଥିକ ବୋଝ ବଢ଼ି ଚାଲିଛି ।

Also Read: ପୁନରୁଦ୍ଧାର ପରେ ଉଦଘାଟନ ହେଲା କଳିଙ୍ଗ ଷ୍ଟୁଡିଓ, ଫିଲ୍ମ ନିର୍ମାଣ ପାଇଁ ହୋଇଛି ଅତ୍ୟାଧୁନିକ ବ୍ୟବସ୍ଥା

ଇଡ୍‌କୋ କଳିଙ୍ଗ ଷ୍ଟୁଡିଓ ପରିସର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ଯାତ୍ରୀ କର୍ପୋରେଟ୍ ସର୍ଭିସ୍ ପ୍ରାଇଭେଟ୍ ଲିମିଟେଡ୍‌କୁ ସିଏଫ୍ଏମଏସ୍ ଏଜେନ୍ସ ଭାବେ ଚୟନ ଏବଂ ସୁପାରିସ କରିଥିଲା । ମାତ୍ର ଦୁଃଖର ବିଷୟ ଷ୍ଟୁଡିଓରୁ କୌଣସି ରାଜସ୍ୱ ଆଦାୟ ନ କରି ଓଏଫ୍‌ଡିସି ଷ୍ଟୁଡିଓ ପରିସର ରକ୍ଷଣାବେକ୍ଷଣ ପାଇଁ ପ୍ରାୟ ମାସକୁ ୩୧ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି । ଯେହେତୁ ପୁନର୍ବିକାଶ ପରେ ଷ୍ଟୁଡିଓ ଖୋଲୁନି, ତେଣୁ ଓଏଫ୍‌ଡିସି ମୁଣ୍ଡରେ ଚଡ଼ଳ, କେମିତି ଟଙ୍କା ଭରଣା ହେବ ? ବାଟ ପାଉନି ଓଏସ୍‌ଡିସି ।

ଜନସ୍ୱାର୍ଥ ଏବଂ ସରକାରୀ ରାଜକୋଷକୁ ଆର୍ଥିକ କ୍ଷତିକୁ ବିଚାରକୁ ନେଇ, ସମସ୍ତ ତ୍ରୁଟି ସଜାଡ଼ିବା ସହ ଅଧୁରା କାମ ସମ୍ପୂର୍ଣ୍ଣ ସାଙ୍ଗକୁ ଭିତ୍ତିଭୂମି/ସୁରକ୍ଷା ଅଡିଟ୍ ଶେଷ କରି ଶୀଘ୍ର ହସ୍ତାତର କରିବାକୁ ପୁନର୍ବାର ଇଡ୍‌କୋ ଅନୁରୋଧ କରି ଚିଠି ଲେଖିଛି ଓଏଫ୍‌ଡିସି । ଏକଥା ବି କହିଛି କି, ଯଦି ଆହୁରି ବିଳମ୍ବ ହୁଏ ତେବେ ବିପୁଳ ଆର୍ଥିକ କ୍ଷତି ସହିତ ଜନ ଅସନ୍ତୋଷ ଦେଖାଦେଇପାରେ । ଏହାକୁ ଗୁରୁତର ସହ ନେବାକୁ ଓଏଫ୍‌ଡିସି କହିଛି ।