ବାଲେଶ୍ବର: ଆନ୍ତଃଜିଲ୍ଲା ବାଇକ୍ ଚୋରି ଓ ବେଆଇନ୍ ମଦ କାରବାର ରାକେଟର ପର୍ଦ୍ଦାଫାଶ କରିଛି ସହଦେବଖୁଣ୍ଟା ଥାନା ପୋଲିସ। ଏହା ସହ ରାକେଟର ୪ ଜଣକୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୪ଟି ଚୋରା ବାଇକ୍ ଓ ୨ଟି ମୋବାଇଲ୍ ଜବତ ହୋଇଛି। ଏହି ରାକେଟ ବାଲେଶ୍ବର ସମେତ ପଡ଼ୋଶୀ ଭଦ୍ରକ ଓ ମୟୂରଭଞ୍ଜରେ ସକ୍ରିୟ ଥିଲା।

ସୂଚନା ଅନୁସାରେ, ମଙ୍ଗଳବାର ଭୋର ପ୍ରାୟ ୫ଟା ସମୟରେ ହରିପୁର ଛକ ନିକଟରେ ଯାଞ୍ଚ ବେଳେ ପୋଲିସ ପ୍ରଥମେ ନମ୍ବର ପ୍ଲେଟ୍ ନଥିବା ବାଇକ୍ ସହ ବୁବୁ ଓରଫ୍ ବିଶ୍ୱଜିତ୍ ଜେନାକୁ ଅଟକାଇଥିଲା। ତାକୁ ପଚରାଉଚରା କରିବା ପରେ ତା' ଘରୁ ଏବଂ ଅନ୍ୟ ସ୍ଥାନରୁ ଅନ୍ୟ ୩ଟି ଚୋରା ବାଇକ୍ ଉଦ୍ଧାର କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ଧୂସୁଳି ଗାଁର ଶିବସୁନ୍ଦର ଜେନାଙ୍କ ପୁଅ ବୁବୁ ଓରଫ୍ ବିଶ୍ୱଜିତ୍ ଜେନା (୨୫), ଟାଉନ୍ ଥାନା ମାନସିଂହ ବାଜାରର ଜତିନ୍ ଭଣ୍ଡାରୀଙ୍କ ପୁଅ ବାବୁ ଓରଫ୍ ବିଶ୍ୱଜିତ୍ ଭଣ୍ଡାରୀ (୨୬), ସଦର ଥାନା ଗୋପୀନାଥପୁର ଗାଁର ରବୀନ୍ଦ୍ର ଦାସଙ୍କ ପୁଅ ଜଗା ଓରଫ୍ ଜଗନ୍ନାଥ ଦାସ (୨୯) ଏବଂ ବସ୍ତା ଥାନା ମାଛଡ଼ିହା ଗାଁର କାହ୍ନୁ ଚରଣ ଜେନାଙ୍କ ପୁଅ ମକର ଚରଣ ଜେନା (୨୫)।

Also Read: ବଡ଼ଧରଣର ଲୁଟ୍, ଘରେ ପଶି ନେଇଗଲେ ୬୦ ଲକ୍ଷର ସୁନାଗହଣା ସହ ନଗଦ ୮ ଲକ୍ଷ ଟଙ୍କା

ପୋଲିସ ରେକର୍ଡ ଅନୁସାରେ, ଗିରଫ ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ବେଆଇନ୍ ମଦ କାରବାର ସହ ଏକାଧିକ ସଙ୍ଗୀନ ଅପରାଧିକ ମାମଲା ରହିଛି। ସହଦେବଖୁଣ୍ଟା ଥାନାରେ କେସ୍ ନଂ- ୩୪୯/୨୦୨୬ ଅଧୀନରେ ମାମଲା ରୁଜୁ କରି ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।