ମୁନ୍ନାର ୧୧।୦୯ : ବିରଳ ଫୁଲ ତୋଳିବାରୁ ମାମଲା,ବନ୍ଧା ହେଲେ ଯୁବକ।ଏଭଳି ଘଟଣା ଘଟିଛି ମୁନ୍ନାରରେ। ନୀଳ-ବାଇଗଣି ରଙ୍ଗର ନୀଳକୁରିଞ୍ଜୀ ଫୁଲ ଦ୍ୱାରା ଆଚ୍ଛାଦିତ ମୁନ୍ନାର୍ ପାହାଡ଼ ସବୁଠୁ ମନୋରମ ପ୍ରାକୃତିକ ଦୃଶ୍ୟ। ପ୍ରକୃତିର ଏହି ବିରଳ ଶୋଭାରାଜିକୁ ପର୍ଯ୍ୟଟକ କ୍ୟାମେରା ଲେନ୍ସରେ ସବୁଦିନ ପାଇଁ ସାଇତି ରଖିଥାନ୍ତି । କିନ୍ତୁ ଏହି ପ୍ରୟାସ ଦୁଇ ଯୁବ ପର୍ଯ୍ୟଟକଙ୍କୁ ମହଙ୍ଗା ପଡ଼ିଛି । ଏହି ବିରଳ ପ୍ରାକୃତିକ ଦୃଶ୍ୟର ଛବିକୁ ଇନଷ୍ଟାଗ୍ରାମରେ ଶେୟାର କରି ସେମାନେ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି । ଜଙ୍ଗଲ ବିଭାଗ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ବିରଳ ନୀଳକୁରିଞ୍ଜୀ ଫୁଲ ତୋଳି, ଏହା ସହିତ ଫଟୋ ଉଠାଇ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବାରୁ ଉଭୟଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନଷ୍ଠାନ ନିଆଯାଇଛି । ଘଟଣା ମୁନ୍ନାର୍ର । ପ୍ରାୟ ୧୨ ବର୍ଷ ପରେ ନୀଳକୁରିଞ୍ଜୀ ଫୁଲ ସ୍ଥାନୀୟ ପାହାଡ଼ଗୁଡ଼ିକୁ ଆଚ୍ଛାଦିତ କରିଛି, ଯାହାର ମନୋରମ ଦୃଶ୍ୟ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କୁ ଟାଣିଆଣୁଛି । ମୁନ୍ନାର ସ୍ଥିତ କୁଟ୍ଟିୟାର ଓ ଏର୍ନାକୁଲମ୍ର ଦୁଇଜଣ ଯୁବ ଇନଫ୍ଲୁଏନ୍ସର ଏହି ଦୃଶ୍ୟର ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜଙ୍ଗଲ ବିଭାଗ ସେମାନଙ୍କ ବିରୋଧରେ ମାମଲା ରୁଜୁ କଲା । ଗୋଟିଏ ଫଟୋରେ ଜଣେ ସଦ୍ୟ ତୋଳିଥିବା ନୀଳକୁରିଞ୍ଜୀ ଫୁଲ ଧରିଥିବା ଓ ସେହି ଫୁଲକୁ ନିଜ କେଶରେ ସଜାଇଥିବା ଦେଖିବାକୁ ମିଳିଛି ।

ମୁନ୍ନାର୍ର ଚୋକ୍ରାମୁଡି ଅଞ୍ଚଳରେ ଏହି ଫୁଲ ଫୁଟିବା ପରେ ଜଙ୍ଗଲ ବିଭାଗ ଫୁଲ ତୋଳିବା ଉପରେ କଟକଣା ଜାରି କରିଥିଲା । ବନ୍ୟଜୀବ ଅଧିନିୟମ ଅନ୍ତର୍ଗତ ଏହା ଏକ ସୁରକ୍ଷିତ ଉଦ୍ଭିଦ । ଏହାକୁ ନଷ୍ଟ କରିବା କିମ୍ବା ତୋଳିବା ଦଣ୍ଡନୀୟ ଅପରାଧ । ନୀଳକୁରିଞ୍ଜୀର ବୈଜ୍ଞାନିକ ନାମ ‘ଷ୍ଟ୍ରୋବିଲାନ୍ଥେସ୍ କୁନ୍ଥିଆନା’ । ଫୁଲ ଫୁଟିବାର ଅସାଧାରଣ ଚକ୍ର ପାଇଁ ଏହା ପ୍ରସିଦ୍ଧ । ପ୍ରତି ୧୨ ବର୍ଷରେ ଏହା ଫୁଟେ, ଫଳରେ ପଶ୍ଚିମ ଘାଟର ଏକ ବିସ୍ତୃତ ଅଞ୍ଚଳ ନୀଳ-ବାଇଗଣି ରଙ୍ଗରେ ରଙ୍ଗୀନ୍ ହୋଇଯାଏ । ଏହି ଫୁଲକୁ ନଷ୍ଟ କଲେ କିମ୍ବା ତୋଳିଲେ ୨୫ ହଜାର ପର୍ଯ୍ୟନ୍ତ ଜରିମାନା ଓ ୩ ବର୍ଷ ଜେଲଦଣ୍ଡର ପ୍ରାବଧାନ ରହିଛି ।