ନୂଆଦିଲ୍ଲୀ ୦୯।୦୫; ଯଦି ଆପଣ ନିଜ ସାଙ୍ଗସାଥୀ କିମ୍ବା କୌଣସି ଖାସ୍ ବ୍ୟକ୍ତିଙ୍କ ସହ ଇନଷ୍ଟାଗ୍ରାମରେ ଚାଟ୍ କରୁଛନ୍ତି, ତେବେ ଏହି ଖବର ଆପଣଙ୍କୁ ଚକିତ କରିଦେବ । ମେ' ୮ ତାରିଖରୁ ଇନଷ୍ଟାଗ୍ରାମର ଡାଇରେକ୍ଟ ମେସେଜରୁ 'ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ' ହଟାଇବାକୁ କମ୍ପାନି ନିଷ୍ପତ୍ତି ନେଇଛି । ଏହାର ସିଧାସଳଖ ଅର୍ଥ ହେଉଛି, ଆପଣଙ୍କର ବ୍ୟକ୍ତିଗତ ବାର୍ତ୍ତାଳାପ ଏବେ ଆଉ ପୂର୍ବଭଳି ଗୋପନୀୟ ରହିନପାରେ।

ଏପର୍ଯ୍ୟନ୍ତ ଇନଷ୍ଟାଗ୍ରାମରେ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନର ଏକ ସୁବିଧା ଥିଲା, ଯାହାକୁ ବ୍ୟବହାରକାରୀ ନିଜେ ଅନ୍ କରିପାରୁଥିଲେ । ଏହି ଫିଚର ଚାଲୁ ରହିଲେ ଚାଟ୍ ସମ୍ପୂର୍ଣ୍ଣ ସୁରକ୍ଷିତ ରହୁଥିଲା । ଅର୍ଥାତ୍ ମେସେଜ୍ ପଠାଉଥିବା ଏବଂ ପାଉଥିବା ବ୍ୟକ୍ତିଙ୍କ ବ୍ୟତୀତ ତୃତୀୟ ପକ୍ଷ, ଏପରିକି ଖୋଦ୍ କମ୍ପାନି ମଧ୍ୟ ସେହି ବାର୍ତ୍ତା ପଢିପାରୁନଥିଲା । କିନ୍ତୁ ଏବେ ଏହି ସୁରକ୍ଷା କବଚ ହଟିଯିବା ପରେ କମ୍ପାନି ବ୍ୟବହାରକାରୀଙ୍କ କଥାବାର୍ତ୍ତା ଦେଖିପାରିବ ଏବଂ ପଢିପାରିବ।

ମେଟା ପକ୍ଷରୁ ଯୁକ୍ତି ଦର୍ଶାଯାଇଛି ଯେ, ଲୋକମାନେ ଇନଷ୍ଟାଗ୍ରାମରେ ଦିଆଯାଉଥିବା ଏନକ୍ରିପସନ ବ୍ୟବହାର କରିବାରେ ବିଶେଷ ଆଗ୍ରହ ଦେଖାଉନାହାଁନ୍ତି । କିନ୍ତୁ ଟେକ୍ ବିଶେଷଜ୍ଞମାନେ ଏହା ପଛରେ ଏକ ବଡ଼ କାରଣ ଦେଖୁଛନ୍ତି । ଅନେକଙ୍କ ମତରେ, ମେଟା ନିଜର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ଟ୍ରେନ୍ କରିବା ପାଇଁ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଚାଟ୍ ଡାଟା ବ୍ୟବହାର କରିବାକୁ ଚାହୁଛି । ଯଦି ଚାଟ୍ ଏନକ୍ରିପ୍ଟେଡ୍ ରହିବ, ତେବେ କମ୍ପାନି ସେହି ଡାଟା ପାଇପାରିବ ନାହିଁ । ତେଣୁ AIକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ବ୍ୟବହାରକାରୀଙ୍କ ପ୍ରାଇଭେସିକୁ ବଳି ଦିଆଯାଉଥିବା ଅଭିଯୋଗ ହେଉଛି। ସବୁଠାରୁ ମଜାଦାର କଥା ହେଉଛି, ହ୍ୱାଟସଆପ୍ ମଧ୍ୟ ମେଟା କମ୍ପାନିର ଏକ ଅଂଶ । ସେଠାରେ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ ବାଇ-ଡିଫଲ୍ଟ ଅନ୍ ରହିଥାଏ ଏବଂ କମ୍ପାନି ଏହାକୁ ନିଜର ସବୁଠାରୁ ବଡ଼ ଶକ୍ତି ବୋଲି ପ୍ରଚାର କରେ । କିନ୍ତୁ ଇନଷ୍ଟାଗ୍ରାମ କ୍ଷେତ୍ରରେ କମ୍ପାନି ସମ୍ପୂର୍ଣ୍ଣ ଓଲଟା ନିଷ୍ପତ୍ତି ନେଇଛି । ଏହା ମେଟାର ଦୋମୁହାଁ ନୀତିକୁ ସ୍ପଷ୍ଟ କରୁଛି ।

ଏନକ୍ରିପସନ ହଟିବା ପରେ କେବଳ କମ୍ପାନି ନୁହେଁ, ବରଂ ହ୍ୟାକରମାନଙ୍କ ପାଇଁ ମଧ୍ୟ ବ୍ୟବହାରକାରୀଙ୍କ ଚାଟ୍ ଉପରେ ନଜର ରଖିବା ସହଜ ହୋଇପାରେ । ସୁରକ୍ଷା ଦୃଷ୍ଟିକୋଣରୁ ଏହା ଏକ ବଡ଼ ବିପଦ । ଆଜିକାଲି ଲୋକମାନେ କେବଳ କଥାବାର୍ତ୍ତା ନୁହେଁ, ବରଂ ନିଜର ବ୍ୟକ୍ତିଗତ ଫଟୋ, ଭିଡିଓ ଏବଂ ବ୍ୟାଙ୍କିଙ୍ଗ୍ ସୂଚନା ମଧ୍ୟ ଅନେକ ସମୟରେ ଚାଟ୍ ମାଧ୍ୟମରେ ସେୟାର କରନ୍ତି । ଏପରି ପରିସ୍ଥିତିରେ ଏନକ୍ରିପସନ ହଟିବା ପ୍ରାଇଭେସି ଉପରେ ଏକ ବଡ଼ ଆଘାତ। ତେଣୁ, ଏବେ ଇନଷ୍ଟାଗ୍ରାମରେ ଚାଟ୍ କରିବା ସମୟରେ ଆପଣଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିବ । ମନେରଖନ୍ତୁ, ଆପଣଙ୍କର ପ୍ରତ୍ୟେକଟି ମେସେଜ୍ ଏବେ କମ୍ପାନିର ନଜରରେ ରହିପାରେ।

Also Read-Suvendu Adhikari West Bengal CM: ପଡ଼ିଲା ଯବନିକା, ଶୁଭେନ୍ଦୁ ହେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ