ପଶ୍ଚିମବଙ୍ଗ: ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ହେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। କୋଲକାତାରେ ଶୁକ୍ରବାର ଅମିତ ଶାହଙ୍କ ଉପସ୍ଥିତିରେ ହୋଇଥିବା ବିଜେପି ବିଧାୟକ ଦଳ ବୈଠକରେ ଶୁଭେନ୍ଦୁଙ୍କ ନାଁରେ ମୋହର ବାଜିଛି। ତାଙ୍କୁ ବିଧାୟକ ଦଳ ନେତା ମଧ୍ୟ କରାଯାଇଛି। ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସମିକ ଭଟ୍ଟାଚାର୍ଯ୍ୟ ଶୁଭେନ୍ଦୁଙ୍କ ନାଁକୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରସ୍ତାବ ଦେଇଥିଲେ।

ସୂଚନାଥାଉକି, ପଶ୍ଚିମବଙ୍ଗରେ ପ୍ରଥମ ଥର ବିଜେପି ବହୁମତ ହାସଲ କରି। ଦଳ ବିପୁଳ ବିଜୟ ହାସଲ କରି ୨୦୭ ସିଟ୍‌ରେ ବିଜୟୀ ହୋଇଛି। ଯେତେବେଳେକି ଟିଏମସି କେବଳ ୮୦ ସିଟରେ ହିଁ ବିଜୟୀ ହୋଇପାରିଛି। ଶୁଭେନ୍ଦୁ ମଧ୍ୟ ଏଥର ଦୁଇ ସିଟ୍‌ରେ ନିର୍ବାଚନ ଲଢ଼ି ଜିତିଛନ୍ତି। ନନ୍ଦିଗ୍ରାମ ବ୍ୟତୀତ ଭବାନୀପୁରରୁ ଲଢ଼ି ମମତା ବନାର୍ଜୀଙ୍କୁ ୧୫ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି। ଯାହାପରେ ତାଙ୍କୁ ହିଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠୁ ଅଧିକ ହକଦାର ବୋଲି କୁହାଯାଉଥିଲା।

ଶନିବାର ନେବେ ଶପଥ

ତେବେ ଶନିବାର ବ୍ରିଗେଟ ପରେଡ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଆୟୋଜନ ହେବ। ସକାଳ ୧୧ଟାରେ ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେବେ। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଅଧ୍ୟକ୍ଷ ନିତିନ ନବୀନ ଏବଂ ଏନଡିଏ ଶାସିତ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ।

ଗୁରୁବାର ଭଙ୍ଗ ହୋଇଥିଲା ବିଧାନସଭା

ସୂଚନାଥାଉକି, ପଶ୍ଚିମବଙ୍ଗ ରାଜ୍ୟପାଳ ଆର.ଏନ. ରବି ରାଜ୍ୟ ବିଧାନସଭା ନିର୍ବାଚନ ସମାପ୍ତ ହେବା ପରେ ଗୁରୁବାର ପୁରୁଣା ବିଧାନସଭା ଭଙ୍ଗ କରିଥିଲେ। ସରକାରୀ ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟପାଳ ସମ୍ବିଧାନର ଧାରା ୧୭୪ ଅନୁଯାୟୀ ଅନୁସାରେ, ତାଙ୍କ ଉପରେ ନ୍ୟସ୍ତ କ୍ଷମତା ବ୍ୟବହାର କରି ବିଧାନସଭାକୁ ଭଙ୍ଗ କରିଥିଲେ। ଫଳରେ ମମତା ବାନାର୍ଜୀଙ୍କ ମନ୍ତ୍ରିମଣ୍ଡଳ ଭଙ୍ଗ ହେବା ସହ ନୂଆ ସରକାର ଗଠନ ପାଇଁ ପଥ ପରିଷ୍କାର ହୋଇଥିଲା। ଏଭଳି କରିବାର କାରଣ ଥିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ବାନାର୍ଜୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ମନା କରିଥିଲେ।

ସାଧାରଣତଃ, ସାଧାରଣ ନିର୍ବାଚନ ସମାପ୍ତ ହେବା ପରେ ରାଜ୍ୟ ସରକାର ଜିତିବା କିମ୍ବା ହାରିବା ପରେ ଇସ୍ତଫା ଦେଇଥାଏ ଏବଂ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ନୂତନ ସରକାର ଗଠନ ନହେବା ପର୍ଯ୍ୟନ୍ତ ସରକାରର ନେତୃତ୍ବ ଜାରି ରଖିବାକୁ ଅନୁରୋଧ କରନ୍ତି।