ଜଳେଶ୍ୱର: ଘରୋଇ ଜାଗାରେ ସରକାରୀ ଗାଧୁଆ ତୁଠ ନିର୍ମାଣକୁ ବିରୋଧ କରିବାରୁ ଆକ୍ରମଣ ଅଭିଯୋଗ । ଗୋଟିଏ ପରିବାରର ଜଣେ ମହିଳା ସହିତ ୪ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ମହୁଲିଆ ଗ୍ରାମରେ ଘଟିଛି ଏଭଳି ଘଟଣା । ଘଟଣାସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ ଜଳେଶ୍ୱର ବ୍ଲକ ପକ୍ଷରୁ ଶିଖରପୁର ପଂଚାୟତର ମହୁଲିଆ ଗ୍ରାମରେ ନଦୀ ତୁଠରେ ଏକ ଗାଧୁଆ ତୁଠ ନିର୍ମାଣ ପାଇଁ କାର୍ଯ୍ୟଦେଶ ଆସିଥିଲା । ଗ୍ରାମବାସୀମାନେ ଗ୍ରାମର ସଚିନ୍ଦ୍ର ବେହେରାଙ୍କର ଘରୋଇ ଜାଗାରେ ଗାଧୁଆ ତୁଠ ପାଇଁ ରାସ୍ତା ନିର୍ମାଣ କରୁଥିଲେ । ସଚିନ୍ଦ୍ର ବେହେରାଙ୍କ ପରିବାର ଏହାକୁ ବିରୋଧ କରିଥିଲେ । ତେବେ ଗ୍ରାମର ଘନଶ୍ୟାମ ବେହେରା, ଝଡ଼େଶ୍ୱର ଦାସ, ରବିନ୍ଦ୍ର ଦାସ, ଗଣେଶ ବେହେରା, କାର୍ତ୍ତିକ ବେହେରାଙ୍କ ସମେତ ୨୦ରୁ ଅଧିକ ଗ୍ରାମବାସୀ ସଚିନ୍ଦ୍ରଙ୍କ ପରିବାରକୁ ପାଖାପାଖି ୭ଟା ସମୟରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ସଚିନ୍ଦ୍ର ବେହେରାଙ୍କ ପରିବାର ଜଣେ ମହିଳା ସମତେ ୪ଜଣ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ଗ୍ରାମବାସୀମାନେ ଉଦ୍ଧାର କରି ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲେ । ପରେ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।