• ଅୟେଲ ମାର୍କେଟିଂ କମ୍ପାନୀମାନେ ପ୍ରିମିୟମ ପେଟ୍ରୋଲ ଦରବୃଦ୍ଧି କରିବା ସହ ଇଣ୍ଡଷ୍ଟ୍ରିଆଲ ଡିଜେଲ ଦର ମଧ୍ୟ ବୃଦ୍ଧି କରିଛନ୍ତି
  • ଲିଟର ପିଛା ୮୭ଟଙ୍କା ୫୭ ପଇସାରେ ବିକ୍ରି ହେଉଥିବା ଇଣ୍ଡଷ୍ଟ୍ରିଆଲ ଡିଜେଲ ଦର ୧୦୯.୫୯ ପଇସାକୁ ପହଞ୍ଚିଛି
  • ଇଣ୍ଡଷ୍ଟ୍ରିଆଲ ଡିଜେଲ ଲିଟର ପିଛା ୨୨ଟଙ୍କା ୩ ପଇସା  ମହଙ୍ଗା ହୋଇଛି

ନୂଆଦିଲ୍ଲୀ ୨୦।୩: ଇରାନ ଯୁଦ୍ଧ ଯୋଗୁ ଅଶୋଧିତ ତୈଳ ମୂଲ୍ୟ ଏବେ ଆକାଶ ଛୁଆଁ, ଏହାର ପ୍ରଭାବ ଏବେ ପେଟ୍ରୋଲ ଓ ଡିଜେଲ ଦର ଉପରେ ଅନୁଭୂତ ହେବାକୁ ଲାଗିଲାଣି। ଭାରତରେ ଅୟେଲ ମାର୍କେଟିଂ କମ୍ପାନୀମାନେ ପ୍ରିମିୟମ ପେଟ୍ରୋଲ ଦରବୃଦ୍ଧି କରିବା ସହ ଇଣ୍ଡଷ୍ଟ୍ରିଆଲ ଡିଜେଲ ଦର ମଧ୍ୟ ବୃଦ୍ଧି କରିଛନ୍ତି। ଫଳରେ ଲିଟର ପିଛା ୮୭ଟଙ୍କା ୫୭ ପଇସାରେ ବିକ୍ରି ହେଉଥିବା ଇଣ୍ଡଷ୍ଟ୍ରିଆଲ ଡିଜେଲ ଦର ୧୦୯.୫୯ ପଇସାକୁ ପହଞ୍ଚିଛି। ଅର୍ଥାତ ଇଣ୍ଡଷ୍ଟ୍ରିଆଲ ଡିଜେଲ ଲିଟର ପିଛା ୨୨ଟଙ୍କା ୩ ପଇସା ବୃଦ୍ଧି ହୋଇଛି।

ଇଣ୍ଡଷ୍ଟ୍ରିଆଲ ଡିଜେଲ କ’ଣ?
ଇଣ୍ଡଷ୍ଟ୍ରିଆଲ ଡିଜେଲ ଫିଲିଂ ଷ୍ଟେସନମାନଙ୍କରେ ବିକ୍ରି ହେଉଥିବା ରେଗୁଲାର ଡିଜେଲ ନୁହେଁ। ଏହାକୁ ସାଧାରଣ ଯାନବାହନରେ ଉପଯୋଗ କରାଯାଏନି। ଏହାର ଉପଯୋଗ କେବଳ ଔଦ୍ୟୋଗିକ କାମ ଲାଗି କରାଯାଇଥାଏ, ଯାହାକୁ ଇଣ୍ଡଷ୍ଟ୍ରିଆଲ ବା ବଲ୍କ ଡିଜେଲ ବୋଲି କୁହାଯାଏ। ଏହି ଡିଜେଲ ଉପରେ କୌଣସି ସବସିଡି ନଥାଏ।ଫ୍ୟାକ୍ଟ୍ରି, ସପିଂ ମଲ, ଡାଟା ସେଣ୍ଟର ଓ ବଡ଼ ବଡ଼ ଟାୱାର ବିଲ୍ଡିଂରେ ବିଦ୍ୟୁତ କାଟ ହେଲେ ବିଦ୍ୟୁତ ଯୋଗାଇ ଦେବା ପାଇଁ ଯେଉଁ ଜେନେରେଟର ବ୍ୟବହାର ହୁଏ ସେଥିରେ ଏହି ଇଣ୍ଡଷ୍ଟ୍ରିଆଲ ଡିଜେଲ ଉପଯୋଗ ହୁଏ।

ପ୍ରଭାବିତ ହେବ ମୁଦ୍ରାସ୍ଫୀତି
ଇଣ୍ଡଷ୍ଟ୍ରିଆଲ ଡିଜେଲ ଲିଟର ପିଛା ୨୨ ଟଙ୍କା ବୃଦ୍ଧି ଉଦ୍ୟୋଗ, ଟ୍ରାନ୍ସପୋର୍ଟ ଓ ବିଦ୍ୟୁତ ଉତ୍ପାଦନ ବ୍ୟୟ ବୃଦ୍ଧି କରିବ। ଏଥି ଯୋଗୁ ଦେଶରେ ମୁଦ୍ରାସ୍ଫୀତି ବଢିବା ସହିତ ଏହାର ପ୍ରଭାବ ସାଧାରଣ ଲୋକଙ୍କ ପକେଟ ଉପରେ ପଡିବ। ଉଲ୍ଲେଖଯୋଗ୍ୟ ଯେ ଅୟେଲ ମାର୍କେଟିଂ କମ୍ପାନୀମାନେ ସ୍ପିଡ ଓ ପାୱର ଭଳି ପ୍ରିମିୟମ ପେଟ୍ରେଲ ଲିଟରପିଛା ୨.୦୯ଟଙ୍କା ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ବିଭିନ୍ନ ସହରାଞ୍ଚଳରେ ଅଲଗା ଅଲଗା ଦରରେ ବିକ୍ରି ହେବ। ଏହି ସଂଶୋଧିତ ଦର ୨୦ ମାର୍ଚ୍ଚ ୨୦୨୬ରୁ ଲାଗୁ ହେବ।