ଇନ୍ଦୋର ୦୨/୦୧: ଦେଶରେ ସ୍ୱଚ୍ଛ ସହର ଇନ୍ଦୋରରେ ପାଣି ପାଇଁ ଆତଙ୍କ । ଏଠାକାର ପାଣି ପିଇବାକୁ ଡରୁଛନ୍ତି ଲୋକେ । କାରଣ ଜୀବନ ନେବାର ଲାଗିଛି ପାଣି । ଏକାଧିକ ମୃତ୍ୟୁ ପରେ ପ୍ରଶାସନ ଏବେ ତପ୍ତର । ହେଲେ ଯିଏ ପିଲା ହରାଇଛି ତା ଦୁଃଖ କହିଲେ ନସରେ । ବିଶେଷ କରି ୬ ମାସ ଶିଶୁପୁତ୍ର ଅଭ୍ୟାନକୁ ହରାଇ ଭାଙ୍ଗି ପଡିଛି ପରିବାର । ମାଆ ବାପାଙ୍କ ଆଖିରୁ ଲୁହ ଶୁଖୁନି ।

ମଧ୍ୟପ୍ରଦେଶର ଇନ୍ଦୋରର ଭାଗୀରଥପୁରାର ଘଟଣା ଛାଡିଯାଇଛି ଅନେକ ପ୍ରଶ୍ନ । ଗୁମରୀ କାନ୍ଦୁଛି ମରାଠି ମୋହଲ୍ଲାର ରାସ୍ତା । ଦୁଃଖରେ ବୁଡ଼ିଯାଇଛି ସମ୍ପୂର୍ଣ୍ଣ ପରିବାର । ଏହି ଦୁଃଖଦ ଘଟଣାର ପ୍ରଭାବ ସ୍ପଷ୍ଟ ଭାବରେ ଅନୁଭୂତ ହେଉଛି । ଏହି ଅଞ୍ଚଳରେ ଦୂଷିତ ପାଣି ଯୋଗାଣ ଯୋଗୁଁ ଏକ ଛଅ ମାସର ଶିଶୁର ମୃତ୍ୟୁ ଘଟିଛି। ଏହି ଘଟଣା ପରେ, ପଡ଼ୋଶୀ ବି ହତ୍‌ବାକ୍ ।

ତେବେ ସମସ୍ତେ ହୁଏତ ଦୁଃଖ କରିବେ କିନ୍ତୁ ଜନ୍ମଦାତ୍ରୀ ଦୁଃଖ ବୁଝିବ କିଏ । ନା ତା ଆଖିରୁ ଲୁହ ସୁଖୁଛି ନା ସେ କହିପାରୁଛି ମନର କଥା । ଖାଲି ବାହୁନ କାନ୍ଦିବା ବର୍ତ୍ତମାନ ତା ପାଇଁ ଏକମାତ୍ର ସାହାରା । କାନ୍ଦି କାନ୍ଦି କହୁଛି କି ଭୁଲ କଲି ମୁଁ । ଯଦି ହୁଏତ ମୋ କ୍ଷୀର ଦେଇଥାନ୍ତି ଆଜି ମୋ ପିଲା ମୋ ପାଖରେ ଥାନ୍ତା । ମୋର ଟିକିଏ ଭୁଲ ପାଇଁ ଆଜି ମୋ କୋଳ ଖାଲି । କାରଣ ବିବାହର ୧୦ ବର୍ଷ ପରେ ପାଇଥିଲା ପୁଅ । ହେଲେ ଏବେ କଣ କରିବି ସବୁ ମୋ ଭୁଲ । ବାରମ୍ୱାର ଏମିତି ଅନେକ ଥର ନିଜକୁ ଦୋଷ ଦେବାରେ ବ୍ୟସ୍ତ ମୃତ ଅଭ୍ୟାନଙ୍କ ମାଆ ।

ସେପଟେ ମୃତ ପିଲାର ପରିବାର, ପ୍ରଶାସନ ମ୍ୟୁନିସିପାଲ୍ କର୍ପୋରେସନ୍ ଉପରେ ଗୁରୁତର ଅବହେଳାର ଅଭିଯୋଗ ଆଣିଛନ୍ତି । ଭାଗୀରଥପୁରାର ମରାଠି ମୋହଲ୍ଲାରେ ରହୁଥିବା ସାହୁ ପରିବାର କହିଛନ୍ତି ଯେ ସେମାନଙ୍କ ଅଞ୍ଚଳକୁ ଦୀର୍ଘ ସମୟ ଧରି ମଇଳା ଓ ଦୁର୍ଗନ୍ଧଯୁକ୍ତ ପାଣି ଯୋଗାଇ ଦିଆଯାଉଛି । ସେମାନେ ଏହି ସମସ୍ୟା ବିଷୟରେ ଅନେକ ଥର ସମ୍ପୃକ୍ତ ବିଭାଗକୁ ଅଭିଯୋଗ କରିଛନ୍ତି । କିନ୍ତୁ ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ ।

ପରିବାର ଲୋକଙ୍କ କହିବା ଅନୁଯାୟୀ, ଏହି ଦୂଷିତ ପାଣି ଯୋଗୁଁ ସେମାନଙ୍କ ଛଅ ମାସର ପୁଅର ସ୍ୱାସ୍ଥ୍ୟ ଖରାପ ହୋଇଥିଲା । ପିଲାଟି ବାନ୍ତି ଓ ଝାଡ଼ା ହୋଇଥିଲା । ଧୀରେ ଧୀରେ ତା'ର ଅବସ୍ଥା ଆହୁରି ଖରାପ ହେବାକୁ ଲାଗିଲା। ପରିବାର ଲୋକ ତାକୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଗଲେ । କିନ୍ତୁ ସମସ୍ତ ପ୍ରୟାସ ସତ୍ତ୍ୱେ, ଡାକ୍ତରମାନେ ତା'ର ଜୀବନ ବଞ୍ଚାଇ ପାରିଲେ ନାହିଁ।