ଭୁବନେଶ୍ୱର: ରାଜ୍ୟରେ ଭୀଷଣ ଗ୍ରୀଷ୍ମ ଲହରି ଜାରି ରହିଛି। ଘରେ ପ୍ୟାନ୍ ପବନ କାମ ଦେଉନି। ଦେହରୁ ଅନବରତ ଝାଳ ବୋହୁଛି। ଖରା ସମୟରେ କାମ ନ ଥିଲେ ବାହାରକୁ ନ ବାହାରିବା ଲାଗି ସରକାର, ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ହେଲେ କେବଳ ସିଧାସଳଖ ସୂର୍ଯ୍ୟଙ୍କ ସାମ୍ନାକୁ ଆସିଲେ ଅଂଶୁଘାତ ହେବ ତା ନୁହେଁ, ଘର ଭିତରେ ମଧ୍ୟ ଜଣେ ବ୍ୟକ୍ତି ଅଂଶୁଘାତର ଶିକାର ହୋଇପାରନ୍ତି। ତେଣୁ ଘରେ ରହିଥିଲେ ବି ଶରୀରକୁ ଥଣ୍ଡା ରଖିବା ଲାଗି ପ୍ରଚୁର ପାଣି, ଏସି କିମ୍ବା କୁଲର ବ୍ୟବହାର କରିବା ଲାଗି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

ବିଶେଷଜ୍ଞ, ଅଂଶୁଘାତ ହେଉଛି ତାପମାତ୍ରା ସଂପର୍କିତ ରୋଗ। ଜଣେ ବ୍ୟକ୍ତି ସିଧାସଳଖ ସୂର୍ଯ୍ୟ କିରଣର ସଂସ୍ପର୍ଶରେ ଆସିଲେ କ୍ୟୁଟାନିୟସ ସର୍କୁଲେସନ୍ ବଢ଼ିଯାଏ। ଅର୍ଥାତ୍ ଚର୍ମରେ ଗୋଟିଏ ମିନିଟରେ ୮ଲିଟର ରକ୍ତ ପ୍ରବାହିତ ହୋଇଥାଏ। ଚର୍ମରେ ପେରିଫରିଆଲ ଭାସୋଡିଲେସନ୍ ହୋଇଯାଏ। ଫଳରେ ଶରୀରରେ ରକ୍ତ ନ ରହିବା କାରଣରୁ ରକ୍ତ ଚାପ କମିଯିବା ସହ ହୃଦସ୍ପନ୍ଦନ ବଢ଼ିଯାଏ ପରବର୍ତ୍ତୀ ସମୟରେ ଅନ୍ୟ ଅଙ୍ଗ ପ୍ରଭାବିତ ହୋଇଥାଏ।

ଘର ଭିତରେ ତାପମାତ୍ରା ଅଧିକ ରହିଲେ ମଧ୍ୟ ଅଂଶୁଘାତ ହେବାର ଆଶଙ୍କା ରହିଛି ସାଧାରଣତଃ ଶରୀରର ତାପମାତ୍ରା ୩୭ ଡିଗ୍ରି ରହିଥାଏ। ଯଦି ପରିବେଶ ତାପମାତ୍ରା ୪୦ ଡିଗ୍ରିରୁ ଅଧିକ ହେଲେ ଶରୀରକୁ ପରିବେଶକୁ ତାପ ଆସିବ ଓ ଶରୀରର ତାପମାତ୍ରା ବୃଦ୍ଧି ପାଇବ। ଏହାଦ୍ୱାରା ରକ୍ତଚାପ, ଜଳୀୟଅଂଶ କମିବା ଓ ବାନ୍ତି ଲକ୍ଷଣ ଦେଖାଯାଏ। ସବୁ ବର୍ଗର ଲୋକଙ୍କ ପାଇଁ ବିପଦ ରହିଥିଲେ ହେଁ ୫ବର୍ଷରୁ କମ୍ ଶିଶୁ ଓ ୬୫ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ଏହା ସମ୍ବେଦନଶୀଳ। ଏହା ସହ ଏକାଧିକ ଜଟିଳ ରୋଗରେ ଆକ୍ରାନ୍ତ ଥିବା ଲୋକମାନଙ୍କ ପାଇଁ ଏହା ଆହୁରି ଘାତକ ହୋଇପାରେ।

ଅପର ପକ୍ଷରେ ଶରୀରକୁ ଥଣ୍ଡା ରଖିବାର ଏକ ପ୍ରମୁଖ ମାଧ୍ୟମ ହେଉଛି ଏସି ଓ କୁଲର ଓଡ଼ିଶା ଅର୍ଥନୈତିକ ସର୍ଭେ ୨୦୨୫-୨୬ ଅନୁସାରେ, ଓଡ଼ିଶାର ଗ୍ରାମାଞ୍ଚଳରେ ୦.୫% ଲୋକଙ୍କ ପାଖରେ ଏସି ଥିବା ବେଳେ ସହରାଞ୍ଚଳରେ ଏହାର ସଂଖ୍ୟା ହେଉଛି ୧୭% ତେଣୁ ଶରୀରକୁ ଥଣ୍ଡା ରଖିବାର ସାଧନ ଲୋକଙ୍କ ପାଖରେ ନାହିଁ। ପରିବେଶବିତ୍ କହିଛନ୍ତି, ବାହାରେ ତାପମାତ୍ରା ଅଧିକ ରହୁଥିବାରୁ ଏହାକୁ ଭିତରକୁ ନ ଆସିବାକୁ ଲୋକମାନେ କବାଟ ଝରକା ବନ୍ଦ କରିଦେଉଛନ୍ତି।

ବାୟୁଚାଳାଚଳ ନ ହେବା କାରଣରୁ ଘର ଭିତର ତାପମାତ୍ରା ବଢ଼ି ଯାଉଛି। ଗଛ, ଜଳ ଉତ୍ସ କମୁଛି ଓ ଲକ୍ଷ ଲକ୍ଷ ସଂଖ୍ୟାରେ ଏସି ବ୍ୟବହାର ଫଳରେ ଉତ୍ତପ୍ତ ପବନ ବାହାରକୁ ଆସୁଛି। ଯାନବାହନ ଚଳାଚଳ ଯୋଗୁଁ ମଧ୍ୟ ତାପମାତ୍ରା ବୃଦ୍ଧି ପାଉଛି। ଏହା ସହ ଉପକୂଳ ଅଞ୍ଚଳରେ ଜଳୀୟ ବାଷ୍ପ ସାଧାରଣ ଭାବେ ଉତ୍ତାପକୁ ଟାଣି ରଖିଥିଏ। ଯାହାକୁ ୱେଟ୍ ବଲ୍ବ ତାପମାତ୍ରା ବୋଲି କୁହାଯାଏ। ତେଣୁ ଘର ଭିତରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଉଥିବା ଶ୍ରୀ ପାଣିଗ୍ରାହୀ କହିଛନ୍ତି ।