• ବୈଦେଶିକ ମୁଦ୍ରାଭଣ୍ଡାର ଦୃଷ୍ଟିରୁ ଭାରତ ବିଶ୍ୱର ଚତୁର୍ଥ ଦେଶ ପାଲଟିଛି
  • ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ୭୮୫.୭ ବିଲିୟନ ଡଲାରର ସର୍ବକାଳୀ ଉଚ୍ଚତମ ସ୍ତରକୁ ପହଞ୍ଚିଛି
  • ଏବେ ଭାରତ କେବଳ ଚୀନ, ଜାପାନ ଓ ସ୍ୱିଜରଲ୍ୟାଣ୍ଡ ପଛକୁ ରହିଛି

ମୁମ୍ବାଇ: ବୈଦେଶିକ ମୁଦ୍ରାଭଣ୍ଡାର ଦୃଷ୍ଟିରୁ ଭାରତ ବିଶ୍ୱର ଚତୁର୍ଥ ଦେଶ ପାଲଟିଛି। ଏହି ଉପଲବ୍ଧି ଭାରତୀୟ ରିଜର୍ବ ବ୍ୟାଙ୍କ (ଆରବିଆଇ)ଙ୍କ ପ୍ରବାସୀ (ବ୍ୟାଙ୍କ) ଓ ଏଫସିଏନଆର(ବି) ଜମା ଯୋଜନାରେ ଡଲାରର ରେକର୍ଡ ପ୍ରବାହ ଯୋଗୁ ସମ୍ଭବ ହୋଇଛି। ଆରବିଆଇଙ୍କ ଅନୁସାରେ ସେପ୍ଟେମ୍ବର ୪ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ୪୪.୯ ବିଲିୟନ ଡଲାର ବଢି ମୋଟ ୭୮୫.୭ ବିଲିୟନ ଡଲାରର ସର୍ବକାଳୀ ଉଚ୍ଚତମ ସ୍ତରକୁ ପହଞ୍ଚିଛି।

ବ୍ଲୁମବର୍ଗ ତଥ୍ୟ ଅନୁସାରେ ବୈଦେଶିକ ମୁଦ୍ରାଭଣ୍ଡାରରେ ଏହି ରେକର୍ଡ ଅଭିବୃଦ୍ଧି ସହିତ ଋଷିଆକୁ ଭାରତ ଚତୁର୍ଥ ସ୍ଥାନରୁ ଠେଲି ଦେଇଛି। ଏବେ ଭାରତ କେବଳ ଚୀନ(୩.୮୫ ଟ୍ରିଲିୟନ ଡଲାର), ଜାପାନ (୧.୨୧ ଟ୍ରିଲିୟନ ଡଲାର) ଓ ସ୍ୱିଜରଲ୍ୟାଣ୍ଡ (୧.୦୯ ଟ୍ରିଲିୟନ ଡଲାର) ପଛକୁ ରହିଛି। ଭାରତର ବୈଦେଶିକ ମୁଦ୍ରାଭଣ୍ଡାରରେ ଏହି ରେକର୍ଡ ବୃଦ୍ଧି ସେତେବେଳେ ହୋଇଛି ଯେତେବେଳେ ସ୍ୱର୍ଣ୍ଣ ଭଣ୍ଡାରରେ ୨.୫୯ ବିଲିୟନ ଡଲାରର ହ୍ରାସ ଦେଖା ଦେଇଛି। ଏବେ ଏହି ଭଣ୍ଡାର ୧୧୩.୮୧ ବିଲିୟନ ଡଲାରକୁ ପହଞ୍ଚି ଯାଇଛି।

ବେଦେଶିକ ମୁଦ୍ରାଭଣ୍ଡାରର ଅଭିବୃଦ୍ଧି ଦେଶର ଆର୍ଥିକ ଦୃଢତାକୁ ଦର୍ଶାଏ ଓ ଆରବିଆଇଙ୍କୁ ଟଙ୍କା ଅସ୍ଥିର ହେଲେ ଏହାକୁ ସ୍ଥିର କରିବାକୁ ସାଧନ ଦେଇଥାଏ। ଏକ ମଜଭୁତ ବିଦେଶୀ ମୁଦ୍ରାଭଣ୍ଡାର ଆରବିଆଇଙ୍କୁ ସ୍ପଟ ଓ ଫରୱାର୍ଡ ମୁଦ୍ରା ବଜାରରେ ହସ୍ତକ୍ଷେପ କରିବାକୁ ଅନୁମତି ଦେଇଥାଏ। ଏହା ଦ୍ୱାରା ଭାରତୀୟ ମୁଦ୍ରାର ଦର ହାସକୁ ନିୟନ୍ତ୍ରଣ କରାଯାଇ ପାରିବ। ଆରବିଆଇଙ୍କ ଏଫସିଏନଆର(ବି) ଜମା ଯୋଜନାରେ ବ୍ୟାଙ୍କ ମାନେ ୧୨୭ ବିଲିୟନ ଡଲାରରୁ ଅଧିକ ଜମା ସଂଗ୍ରହ କରିଛନ୍ତି। ଏହି ଯୋଜନା ଲାଗି ପ୍ରବାସୀ ଭାରତୀୟଙ୍କ ଋଚିକୁ ଦେଖି ଏହାକୁ ସମୟର ମାସକ ପୂର୍ବରୁ ଅଗଷ୍ଟ ୩୧ ତାରିଖରେ ବନ୍ଦ କରାଯାଇଥିଲା।

ଏବେ ଆରବିଆଇ ବ୍ୟାଙ୍କିଙ୍ଗ ପ୍ରଣାଳୀରେ ଥିବା ଅତିରିକ୍ତ ତରଳତା( ନଗଦ) ସାଉଣ୍ଟିବା ପାଇଁ ୧ ଲକ୍ଷ କୋଟି ଟଙ୍କାର ସରକାରୀ ବଣ୍ଡ ବିକ୍ରି ଘୋଷଣା କରିଛି। ଏହି ବିକ୍ରି ଓପନ ମାର୍କେଟ ଅପରେସନ (ଓଏମଓ) ମାଧ୍ୟମରେ କରାଯିବ। ଆରବିଆଇ ୩ଟି କିସ୍ତିରେ ୧ ଲକ୍ଷ କୋଟି ଟଙ୍କାର ସରକାରୀ ବଣ୍ଡ ବିକ୍ରି କରିବ। ଏଥିରେ ସେପ୍ଚେମ୍ବର ୧୭ରେ ୫୦ ହଜାର କୋଟି, ୨୧ ସେପ୍ଟେମ୍ବରରେ ୨୫ ହଜାର କୋଟି ଓ ୨୮ ସେପ୍ଟେମ୍ବରରେ ୨୫ ହଜାର କୋଟି ଟଙ୍କାର ବଣ୍ଡ ବିକ୍ରି ହେବ।

ଏହା ପୂର୍ବରୁ ଆରବିଆଇ ଗତ ସୋମବାର ଭେରିଏବଲ ରେଟ୍ ରିଭର୍ସ ରେପୋ (ଭିଆରଆରଆର) ନିଲାମ ମାଧ୍ୟମରେ ୩.୫୩ଲକ୍ଷ କୋଟି ଟଙ୍କାରୁ ଅଧିକ ସଂଗ୍ରହ କରିଥିଲା। ଭିଆରଆରଆର ନିଲାମ ଏକ ମୁଦ୍ରାନୀତି ଇନଷ୍ଟ୍ରୁମେଣ୍ଟ ଅଟେ। କେନ୍ଦ୍ରୀୟ ବ୍ୟାଙ୍କ ଅତିରିକ୍ତ ନଗଦ ଏକାଠି କରିବାକୁ ଓ ଅର୍ଥ ବ୍ୟବସ୍ଥା ସ୍ଥିର କରିବାକୁ ଉପଯୋଗ କରିଥାଏ।