ନୂଆଦିଲ୍ଲୀ: ବିଜ୍ଞାନ ଓ ଶିଳ୍ପର ଅପୂର୍ବ ସମନ୍ୱୟରେ ଭାରତୀୟ ଭିତ୍ତିଭୂମି କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଜିନ୍ଦଲ ଷ୍ଟିଲ୍ ଲିମିଟେଡ୍ (JSL) ଏବଂ ସିଏସଆଇଆର୍- କେନ୍ଦ୍ରୀୟ ସଡ଼କ ଅନୁସନ୍ଧାନ ସଂସ୍ଥାନ (CSIR-CRRI) ମିଳିତ ଭାବେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଛତିଶଗଡ଼ର ରାୟଗଡ଼ଠାରେ କେବଳ ପ୍ରକ୍ରିୟାକରଣ କରାଯାଇଥିବା ଷ୍ଟିଲ୍ ସ୍ଲାଗ୍ (ଷ୍ଟିଲ୍ ତିଆରି ବେଳେ ବାହାରୁଥିବା ବର୍ଜ୍ୟ) ବ୍ୟବହାର କରି ଦେଶର ସବୁଠୁ ଲମ୍ବା ରାସ୍ତା ନିର୍ମାଣ କରାଯାଇଛି। ଏହି ଅଦ୍ଭୁତ କୀର୍ତ୍ତିମାନ ପାଇଁ ସଂସ୍ଥାକୁ 'ଗିନିଜ୍ ୱାର୍ଲ୍ଡ ରେକର୍ଡସ' ସମ୍ମାନରେ ସମ୍ମାନିତ କରାଯାଇଛି।

ସୂଚନାଯୋଗ୍ୟ, ଏହା ଏକ ୧.୮୫ କିଲୋମିଟର ବିଶିଷ୍ଟ ୪-ଲେନ୍ ବିଶିଷ୍ଟ ରାସ୍ତା, ଯାହା ୭.୪ ଲେନ୍-କିଲୋମିଟର ସହ ସମାନ। ଏହି ରାସ୍ତା ତିଆରିରେ ପ୍ରାୟ ୨ ଲକ୍ଷ ଟନ୍ ଇଏଏଫ୍ (EAF) ଷ୍ଟିଲ୍ ସ୍ଲାଗ୍ ବ୍ୟବହାର କରାଯାଇଛି । ଏହାକୁ ସର୍ବାଧିକ ମାଲ୍ ପରିବହନ କରୁପାରୁଥିବା ଭାରି ଯାନ ବା ଗାଡ଼ି ଚଳାଚଳକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ଏହା ୬୫ ମିଲିୟନ୍ ଷ୍ଟାଣ୍ଡାର୍ଡ ଆକ୍ସିଲ୍ ଚାପ ସହିବାକୁ ସକ୍ଷମ।

ଉଲ୍ଲେଖଯୋଗ୍ୟ, ଏହି ପ୍ରକଳ୍ପରେ ଷ୍ଟିଲ୍ କାରଖାନାରୁ ବାହାରୁଥିବା ବର୍ଜ୍ୟକୁ ବୈଜ୍ଞାନିକ ପଦ୍ଧତିରେ ପ୍ରକ୍ରିୟାକରଣ କରାଯାଇ ଉଚ୍ଚମାନର ରୋଡ୍ ମେଟେରିଆଲ୍‌ରେ ପରିଣତ କରାଯାଇଛି। ରାସ୍ତାର ମୂଳଦୁଆଠାରୁ ଆରମ୍ଭ କରି ପିଚୁ ପର୍ଯ୍ୟନ୍ତ ସବୁଥିରେ ଶତ ପ୍ରତିଶତ ଷ୍ଟିଲ୍ ସ୍ଲାଗ୍ ବ୍ୟବହାର କରାଯାଇଛି। ଫଳରେ ପ୍ରାକୃତିକ ପଥରର ଆବଶ୍ୟକତା ଆଦୌ ପଡ଼ିନାହିଁ। ଏହାଦ୍ୱାରା ପାହାଡ଼ କଟାଯିବା ରୋକାଯାଇପାରିଛି ଏବଂ ପରିବେଶ ସୁରକ୍ଷିତ ରହିଛି।

ଖର୍ଚ୍ଚ କମ୍, ଅଧିକ ଦୀର୍ଘସ୍ଥାୟୀ:

ପାରମ୍ପରିକ ରାସ୍ତା ତୁଳନାରେ ଏହି ନୂତନ ପ୍ରଯୁକ୍ତିବିଦ୍ୟାରେ ତିଆରି ରାସ୍ତା ପ୍ରାୟ ୩୫% ପତଳା। କେବଳ ସେତିକି ନୁହେଁ, ଏହି ଟେକ୍ନୋଲୋଜି ଯୋଗୁଁ ରାସ୍ତା ନିର୍ମାଣ ଖର୍ଚ୍ଚ ପ୍ରାୟ ୪୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। ଏନେଇ ଜିନ୍ଦଲ ଷ୍ଟିଲ୍ ଲିମିଟେଡର ଚେୟାରମ୍ୟାନ୍ ନବୀନ ଜିନ୍ଦଲ କହିଛନ୍ତି "ଭାରତର ପ୍ରଗତି ପଛରେ ଏମିତି ଆବିଷ୍କାର ରହିବା ଦରକାର ଯାହା ପରିବେଶକୁ ସୁରକ୍ଷା ଦେବା ସହ ଆର୍ଥିକ ଲାଭ ମଧ୍ୟ ଦେବ। ଏହି ସଫଳତା ପ୍ରମାଣ କରୁଛି ଯେ ବିଜ୍ଞାନ ଓ ଶିଳ୍ପ ମିଶିଲେ ଆମେ ବର୍ଜ୍ୟବସ୍ତୁକୁ ଦେଶ ଗଠନର ମୂଲ୍ୟବାନ ସମ୍ପଦରେ ପରିଣତ କରିପାରିବା।" ସେହିଭଳି ଏହି ଉପଲବ୍ଧିକୁ ନେଇ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ କହିଛନ୍ତି, ‘‘ ରାୟଗଡ଼ର ଏହି ରାସ୍ତା ହେଉଛି ଭାରତର ବୈଜ୍ଞାନିକ ସାମର୍ଥ୍ୟର ଏକ ଜ୍ୱଳନ୍ତ ଉଦାହରଣ। କେନ୍ଦ୍ର ସରକାରଙ୍କ ‘ୱେଷ୍ଟ୍ ଟୁ ୱେଲଥ୍’ (ବର୍ଜ୍ୟରୁ ସମ୍ପଦ) ଆଭିମୁଖ୍ୟକୁ ଏହା ସାକାର କରୁଛି। ଆଗାମୀ ଦିନରେ ଏହି ପ୍ରଯୁକ୍ତିବିଦ୍ୟା ସାରା ଦେଶରେ ବ୍ୟବହାର କରାଯିବ ବୋଲି ମୋର ବିଶ୍ୱାସ।’’

Also Read: ଇଥାନଲ ଯୋଗାଣରେ ମଜଭୁତ ହେଉଛି ଭାରତ: ୮୫ ପ୍ରତିଶତ ଟାର୍ଗେଟ ପୂରା

ଆଗକୁ ବଢ଼ିବ ନୂଆ ବ୍ରାଣ୍ଡ୍ ‘ଷ୍ଟିଲ୍‌ଗ୍ରିଟ୍’:

ଏହି ସଫଳତା ସହିତ ଜିନ୍ଦଲ ଷ୍ଟିଲ୍ ନିଜର ପ୍ରକ୍ରିୟାକରଣ ଷ୍ଟିଲ୍ ସ୍ଲାଗ୍ ଆଗ୍ରିଗେଟ୍ସକୁ ‘SteelGrit’ (ଷ୍ଟିଲ୍‌ଗ୍ରିଟ୍‌) ବ୍ରାଣ୍ଡ୍ ନାମରେ ବଜାରକୁ ଆଣିଛି। ଏହି ପ୍ରଯୁକ୍ତିବିଦ୍ୟାକୁ କେବଳ ରାୟଗଡ଼ରେ ସୀମିତ ନରଖି ସାରା ଦେଶରେ ବିସ୍ତାର କରିବା ପାଇଁ ଜିନ୍ଦଲ ଷ୍ଟିଲ୍ ଏବଂ CSIR-CRRI ମଧ୍ୟରେ ଏକ ବୈଷୟିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।