ନୂଆଦିଲ୍ଲୀ: ଜେନ୍ ଜି ଏବଂ ଯୁବ ଗ୍ରାହକମାନଙ୍କ ମଧ୍ୟରେ କନସର୍ଟ, ଯାତ୍ରା ଏବଂ ଲାଇଫଷ୍ଟାଇଲ୍ ଅନୁଭବ ଉପରେ ଖର୍ଚ୍ଚ ଦ୍ରୁତ ଗତିରେ ବଢ଼ୁଛି । ଏଥିପାଇଁ କ୍ରେଡିଟ୍ କାର୍ଡ ତଥା ‘ବାଏ ନାଓ, ପେ ଲେଟର’ ଭଳି ବିକଳ୍ପଗୁଡ଼ିକର ବ୍ୟବହାର ବୃଦ୍ଧି ପାଉଥିବା ଦେଖାଯାଉଛି ।

ଯଦିଓ ଗତି କିଛି ବର୍ଷଗୁଡ଼ିକରେ ଭାରତରେ ପରିବାରଗୁଡ଼ିକ ଉପରେ ଋଣଭାର ଦ୍ରୁତ ଗତିରେ ବୃଦ୍ଧି ପାଇଛି, କିନ୍ତୁ ଫାଇନାନ୍ସିଆଲ୍ ସେକ୍ଟରର ରେଗୁଲେଟରମାନେ ଏହି ଋଣର ଆକାରକୁ ନେଇ ବିଶେଷ ଭାବରେ ଚିନ୍ତିତ ଅଛନ୍ତି । ନନ୍-ହାଉସିଂ ରିଟେଲ୍ ଲୋନ୍ ଏବେ ପରିବାରଗୁଡ଼ିକର ମୋଟ ଋଣର ଅଧାରୁ ଅଧିକ ଅଂଶ ହୋଇସାରିଛି । ଏହି ଲୋନଗୁଡ଼ିକ ହାଉସିଂ, କୃଷି ଏବଂ ବିଜନେସ୍ ଲୋନ୍ ତୁଳନାରେ ଅଧିକ ଦ୍ରୁତ ଗତିରେ ବଢ଼ିଛି । ନୀତି ନିର୍ଦ୍ଧାରକଙ୍କ ମଧ୍ୟରେ ହୋଇଥିବା ଆଭ୍ୟନ୍ତରୀଣ ଆଲୋଚନାରେ ଏହି ଟ୍ରେଣ୍ଡ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରାଯାଇଛି ।

ଜନସତ୍ତାର ରିପୋର୍ଟ ଅନୁସାରେ, ମାର୍ଚ୍ଚ, ୨୦୨୬ ସୁଦ୍ଧା, ନନ୍-ହାଉସିଂ ରିଟେଲ୍ ଲୋନ୍ ପରିବାରଗୁଡ଼ିକର ମୋଟ ଋଣର ୫୮.୪% ରହିଛି, ଯାହା ମାର୍ଚ୍ଚ ୨୦୨୫ରେ ମୋଟ ଘରୋଇ ଋଣର ୫୪.୯% ଥିଲା । ଅର୍ଥ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ପ୍ରତି ଋଣଗ୍ରହିତାଙ୍କ ପାଖରେ ହାରାହାରି ବାକି ଥିବା ଋଣ ମାର୍ଚ୍ଚ ୨୦୧୮ ଶେଷ ସୁଦ୍ଧା ୩.୪୧ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ ମାର୍ଚ୍ଚ ୨୦୨୫ ଶେଷ ସୁଦ୍ଧା ୪.୭୮ ଲକ୍ଷ ଟଙ୍କା ହୋଇଛି ।

ପର୍ସନାଲ୍ ଲୋନର କେତେକ ନିର୍ଦ୍ଦିଷ୍ଟ ବର୍ଗରେ ସବୁଠାରୁ ଅଧିକ ବୃଦ୍ଧି ଦେଖାଯାଇଛି । ସୁନା ଗହଣା ବନ୍ଧକ ରଖି ନିଆଯାଇଥିବା ଲୋନ୍ ମାର୍ଚ୍ଚ ୨୦୨୨ ମସିହାର ୭୪,୭୩୮ କୋଟି ଟଙ୍କାରୁ ବୃଦ୍ଧି ପାଇ ମାର୍ଚ୍ଚ ୨୦୨୬ରେ ୪.୬୧ ଲକ୍ଷ କୋଟି ଟଙ୍କା ହୋଇଯାଇଛି । ଅନ୍ୟପଟେ ଅନ୍ୟାନ୍ୟ ପର୍ସନାଲ୍ ଲୋନର ବାକି ପରିମାଣ ୨୦୨୨ ମାର୍ଚ୍ଚରେ ୯.୦୨ ଲକ୍ଷ କୋଟି ଟଙ୍କା ଥିବା ବେଳେ ୨୦୨୬ ମାର୍ଚ୍ଚରେ ତାହା ୧୭.୩୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ସଂସଦରେ ଉପସ୍ଥାପିତ ତଥ୍ୟରୁ ଏହି ସୂଚନା ମିଳିଛି ।

ଘରୋଇ ଋଣ ଯୋଗୁଁ ଭାରତୀୟ ଫାଇନାନ୍ସିଆଲ୍ ସିଷ୍ଟମକୁ ଥିବା ବିପଦ ଏବେ ବି ସୀମିତ ଅଛି । କିନ୍ତୁ ଆରବିଆଇ କମ୍ ରେଟିଂ ଥିବା ଋଣଗ୍ରହିତାଙ୍କ ମଧ୍ୟରେ ଘରୋଇ ଋଣ ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛି । ଏହା ଉପରେ କଡ଼ା ନଜର ରଖିବା ପ୍ରତି ଗୁରୁତ୍ୱ ଦେଇଛି ।

CIBIL TransUnionର ତଥ୍ୟ ଅନୁସାରେ, ଭାରତରେ ଋଣ ନେବାକୁ ଯୋଗ୍ୟ ଜନସଂଖ୍ୟା ମଧ୍ୟରୁ ଆକ୍ଟିଭ୍ ଋଣଗ୍ରହିତାଙ୍କ ସଂଖ୍ୟା ଦଶନ୍ଧି ପୂର୍ବର ୧୧%ରୁ ବୃଦ୍ଧି ପାଇ ଏବେ ପ୍ରାୟ ୨୮% ହୋଇଛି । ଋଣ ପାଇଁ ଯୋଗ୍ୟ ୮୯ କୋଟି ଲୋକଙ୍କ ମଧ୍ୟରୁ ପ୍ରାୟ ଏକ-ତୃତୀୟାଂଶ ଗତବର୍ଷ ଲୋନ୍ ନେଇଛନ୍ତି କିମ୍ବା କ୍ରେଡିଟ୍ କାର୍ଡ/ ଇଏମଆଇ ବିଲ୍ ପରିଶୋଧ କରୁଛନ୍ତି । ଏହି ଆକ୍ଟିଭ୍ ଗ୍ରାହକମାନଙ୍କ ମଧ୍ୟରୁ ପ୍ରାୟ ଅଧା ଲୋକ କଞ୍ଜମ୍ପସନ୍ ଲୋନ୍ (କ୍ରେଡିଟ୍ କାର୍ଡ, ପର୍ସନାଲ୍ ଲୋନ୍ କିମ୍ବା କଞ୍ଜ୍ୟୁମର୍ ଡ୍ୟୁରେବଲ୍ ଲୋନ୍) ନେଇଛନ୍ତି । ୨୦୧୭ରୁ ୨୦୨୪ ମଧ୍ୟରେ କଞ୍ଜମ୍ପସନ୍ ଲୋନ୍ ନେଉଥିବା ଗ୍ରାହକଙ୍କ ସଂଖ୍ୟା ୪ ଗୁଣ ବୃଦ୍ଧି ପାଇଛି, ଯେଉଁଥିରେ ଜେନ-ଜି ଏବଂ ଯୁବ ଗ୍ରାହକଙ୍କ ବଡ଼ ଭୂମିକା ରହିଛି ।

କ୍ରେଡିଟ୍ ବ୍ୟୁରୋ ଅଫିସରଙ୍କ ଅନୁସାରେ, ଅନେକ ସମୟରେ ଉପଭୋଗ ପାଇଁ ଲୋନ୍ ଦେବା ସମୟରେ ସଂସ୍ଥାଗୁଡ଼ିକ ଗ୍ରାହକଙ୍କ ପ୍ରକୃତ ଆୟ ଏବଂ ପରିଶୋଧ କ୍ଷମତାର ସମ୍ପୂର୍ଣ୍ଣ ଯାଞ୍ଚ କରିପାରନ୍ତି ନାହିଁ । ଆର୍ଥିକ ବର୍ଷ ୧୭ରେ ୫%ରୁ ବୃଦ୍ଧି ପାଇ ଆର୍ଥିକ ବର୍ଷ ୨୦୨୪ ରେ ୧୮% ହୋଇଥିଲା, ଯାହା ପରେ ଆର୍ଥିକ ବର୍ଷ ୨୦୨୬ ରେ ୧୫%କୁ ଆସିଛି । ଏଥିରେ ଅଧିକାଂଶ ଯୁବ ଗ୍ରାହକ ଅଛନ୍ତି । ଗତ ଆର୍ଥିକ ବର୍ଷରେ କ୍ରେଡିଟ୍ କାର୍ଡର ମୋଟ ବାକି ଋଣ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି ଏବଂ ବିଲ୍ ପରିଶୋଧରେ ବିଳମ୍ବ (୯୦ରୁ ୩୬୦ ଦିନ) ବାର୍ଷିକ ୪୦% ରୁ ଅଧିକ ବଢ଼ିଛି ।

 

ଏକ ବ୍ଲିଶେଷଣକୁ ଜଣାପଡ଼ିଛି ଯେ ୧୯୬୦ ଏବଂ ୭୦ ଦଶନ୍ଧିରେ ଜନ୍ମ ହୋଇଥିବା ଲୋକ ସାଧାରଣତଃ ସେମାନଙ୍କ ଜୀବନର ୩୦ ଦଶକର ଶେଷ କିମ୍ବା ୪୦ ଦଶକର ପ୍ରାରମ୍ଭରେ ସେମାନଙ୍କର ପ୍ରଥମ ଋଣ ନେଇଥିଲେ । ତାହା ମଧ୍ୟ ଗୃହ କିମ୍ବା ଅଟୋ ପାଇଁ ସୁରକ୍ଷିତ ଋଣ । ୧୯୯୦ ଦଶକରେ ଜନ୍ମଗ୍ରହଣ କରିଥିବା ଲୋକମାନେ ସାଧାରଣତଃ ଜୀବର ୨୦ ଦଶକର ମଧ୍ୟଭାଗରେ କ୍ରେଡିଟ୍ କାର୍ଡ, ବ୍ୟକ୍ତିଗତ ଋଣ ମାଧ୍ୟମରେ କ୍ରେଡିଟ୍ ସିଷ୍ଟମରେ ଯୋଗ ଦେଇଥିଲେ ।

୨୦୦୦ ପରେ ଜନ୍ମିତ ଜେନ-ଜି ପୂର୍ବ ପିଢ଼ି ତୁଳନାରେ ବହୁତ କମ୍ ବୟସରେ ଋଣ ନେବା ଆରମ୍ଭ କରୁଛନ୍ତି । ସେମାନେ ପ୍ରାୟତଃ ୨୨ ବର୍ଷ ବୟସରୁ ଛୋଟ ବ୍ୟକ୍ତିଗତ ଋଣ, ଗ୍ୟାଜେଟ୍ ଇଏମାଇ, କ୍ରେଡିଟ୍ କାର୍ଡ ଏବଂ ବିଏନପିଏଲ୍ ଭଳି ବିକଳ୍ପ ବ୍ୟବହାର କରିବା ଆରମ୍ଭ କରନ୍ତି ।

Watch: