ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ବୁଧବାର ଏକ ପୁରୁଣା ୪ ମହଲା କୋଠା ଭୁଶୁଡି ପଡିଛି। ଘର ଭୁଶୁଡିପଡିବା ନେଇ ଦମକଳ ବିଭାଗକୁ ଅପରାହ୍ନ ୩ଟା ୩୨ ମିନିଟ୍ ରେ ସୂଚନା ମିଳିଥିଲା। ଏହା ସହିତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ସାଙ୍ଗକୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅଭିଯାଇ ଆରମ୍ଭ କରିଛନ୍ତି। ଘର ଧ୍ୱଂସାବଶେଷ ତଳେ ୪ ଜଣ ଲୋକ ଫଶି ରହିଥିବାର ଆଶଙ୍କା କରାଯାଉଛି। ଘଟଣାରେ ୨ ଜଣ ଆହତ ହୋଇଛନ୍ତି। କୁହାଯାଉଛି ଯେଉଁ ଘରଟି ଭୁଶୁଡି ପଡିଛି ତାହା ଏକ ଏଲ ଆକୃତିର ଓ ୨୫ ଗଜ ଜମି ଉପରେ ନିର୍ମିତ ହୋଇଥିଲା।

ଏହି ଘରଟି ଭୁଶୁଡି ପଡିବା ଯୋଗୁ ପଡିଶା ଘର ଗୁଡିକ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଏହା ପୂର୍ବରୁ ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ସେପ୍ଚେମ୍ବର ୬ ତାରିଖ ଦିନ ଏକ ୫ ମହଲା ପିଜି ବିଲ୍ଡିଂ ଭୁଶୁଡି ପଡିବା ଯୋଗୁ ୭ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ବଲ୍ଡିଂର ନବିକରଣ କାର୍ଯ୍ୟ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ମାମଲାରେ ପୋଲିସ ବିଲ୍ଡିଂର ମାଲିକ ହରିରାମ ଗୁପ୍ତାଙ୍କ ସମେତ ମୋଟ ୫ ଜଣଙ୍କୁ ଗିରଫ କରିଥିଲା। ତେବେ ବୁଧବାରର ଏହି ଘଟଣା ଦିଲ୍ଲୀରେ ଆତଙ୍କ ଖେଳାଇ ଦେଇଛି।