• ପଶ୍ଚିମବଙ୍ଗର ନୂଆ ନାମ ‘ପଶ୍ଚିମ ବଙ୍ଗ’ ହିଁ ହେବ
  • ୧୯୯୯ ମସିହାରେ ଏ ନେଇ ପ୍ରଥମେ ବିଚାର କରାଯାଇଥିଲା।
  • ତତ୍କାଳୀନ ବାମପନ୍ଥୀ ସରକାର ରାଜ୍ୟର ନାମ ‘ପଶ୍ଚିମ ବଙ୍ଗ’ କରିବାକୁ ପ୍ରସ୍ତାବ ଦେଇଥିଲେ

କୋଲକାତା: ପଶ୍ଚିମବଙ୍ଗ ପାଇଁ ଏବେ ‘ବାଂଲା’, ‘ବଙ୍ଗ’ ଆଦି ଶବ୍ଦ ବ୍ୟବହାର ହେବନି। ପଶ୍ଚିମବଙ୍ଗ ବିଜେପି ସଭାପତି ଶମିକ ଭଟ୍ଟାଚାର୍ଯ୍ୟ ବୁଧବାର କହିଛନ୍ତି ଯେ ରାଜ୍ୟର ନାମ ବଦଳାଇ ‘ପଶ୍ଚିମ ବଙ୍ଗ’ କରାଯିବ। ଏଥି ଲାଗି ବିଧାନସଭାର ପ୍ରଥମ ଅଧିବେଶନରେ ଏକ ବିଧେୟକ ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି। ତେବେ ରାଜ୍ୟର ନୂଆ ନାମ ‘ପଶ୍ଚିମ ବଙ୍ଗ’ ହିଁ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହା ପୂର୍ବରୁ ଭଟ୍ଟାଚାର୍ଯ୍ୟ ସୋମବାର କହିଥିଲେ ଯେ ରାଜ୍ୟର ନାମ ବଦଳିବା ପ୍ରକ୍ରିୟା ଖୁବ୍ ଶୀଘ୍ର ଶେଷ ହେବ।

ପ୍ରସ୍ତାବିତ ଆଇନର ପଦକ୍ଷେପ ସମ୍ପର୍କରେ କହିବାକୁ ଯାଇ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ଏହି ବିଧେୟକର ଉଦ୍ଦେଶ୍ୟ ହେଉଛି ରାଜ୍ୟର ଅଧିକାରୀକ ନାମକୁ ତାର ଐତିହାସିକ ପରିଚୟ ସହ ସଂଯୁକ୍ତ କରିବା। ରାଜ୍ୟ ବିଜେପି ମୁଖ୍ୟ କହିଛନ୍ତି ଯେ ଖୁବ୍ ଶୀଘ୍ର ଆମ ସରକାର ଏକ ବିଧେୟକ ଉପସ୍ଥାପନ କରିବାକୁ ଯାଉଛନ୍ତି। ଯାହାଦ୍ୱାରା ଏହି ରାଜ୍ୟର ନାମ ଇତିହାସର ଗଭୀରିତା ସହିତ ଜଡି଼ ହୋଇ ରହିବ ଓ ଏହାର ପରିଚୟ ହେବ। ଏଣୁ ରାଜ୍ୟର ନାମ ‘ପଶ୍ଚିମ ବଙ୍ଗ’ ରଖା ଯାଉଛି।

ପଶ୍ଚିମବଙ୍ଗର ନାମ ବଦଳାଯିବାର ଏକ ଦୀର୍ଘ ତଥା ରାଜନୈତିକ ଇତିହାସ ରହିଛି। ୧୯୯୯ ମସିହାରେ ଏ ନେଇ ପ୍ରଥମେ ବିଚାର କରାଯାଇଥିଲା। ତତ୍କାଳୀନ ବାମପନ୍ଥୀ ସରକାର ରାଜ୍ୟର ନାମ ‘ପଶ୍ଚିମ ବଙ୍ଗ’ କରିବାକୁ ପ୍ରସ୍ତାବ ଦେଇଥିଲେ। ପରେ ତତ୍କାଳୀନ କଂଗ୍ରେସ ବିଧାୟକ ସୌଗତ ରାୟଙ୍କ ପରାମର୍ଶରେ ଏହି ନାମକୁ ବଦଳାଇ ‘ବାଂଲା’ କରିଦିଆଯାଇଥିଲା। ତେବେ କେନ୍ଦ୍ର ସରକାର ଏହାକୁ ଖାରଜ କରିଦେଇଥିଲେ। ଏହା ପରେ ତୃଣମୂଳ କଂଗ୍ରେସ ସରକାର ଆସିବା ପରେ ରାଜ୍ୟ ପୁଣି ଥରେ ‘ପଶ୍ଚିମ ବଙ୍ଗ’ ନାମ ପ୍ରସ୍ତାବ କରିଥିଲା, ଯାହାକୁ ୟୁପିଏ-୨ ସରକାର ଅଗ୍ରାହ୍ୟ କରିଦେଇଥିଲେ।

୨୦୧୬ ମସିହାରେ ରାଜ୍ୟ ପୁଣି ୩ଟି ନାମ ପ୍ରସ୍ତାବ କରିଥିଲା। ଏଥିରେ ବେଙ୍ଗଲୀ ଭାଷାରେ ‘ବାଂଲା’, ଇଂରାଜୀରେ ବେଙ୍ଗଲ ଓ ହିନ୍ଦୀରେ ‘ବଙ୍ଗାଲ’ ରଖାଯାଇଥିଲା। ଏହି ୩ଟି ନାମକୁ ମିଶାଇ ରାଜ୍ୟର ନାମ ‘ବାଂଲା’ ପ୍ରସ୍ତାବ ଦିଆଯାଇଥିଲା। ଏହି ଅନୁସାରେ ଜୁଲାଇ ୨୦୧୮ରେ ପଶ୍ଚିମବଙ୍ଗ ବିଧାନସଭା ରାଜ୍ୟର ନାମ ବଦଳାଇ ‘ବାଂଲା’ କରିବାକୁ ପ୍ରସ୍ତାବ ପାସ୍ କରିଥିଲା ଓ ଏହାକୁ ମଞ୍ଜୁରୀ ନିମନ୍ତେ କେନ୍ଦ୍ରକୁ ପଠାଇଥିଲା। ତେବେ ଏହି ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳି ନାହିଁ। କାରଣ ଏଥି ପାଇଁ କେନ୍ଦ୍ର ସରକାର ସମ୍ବିଧାନ ସଂଶୋଧନ ଆବଶ୍ୟକତା ପଡିପାରେ ବୋଲି କହିଥିଲେ। କାରଣ ବାଂଲା ଓ ବାଂଲାଦେଶ ନାମର ସମାନତା। ଏହା ଦ୍ୱାରା ଅନ୍ତର୍ଜାତୀୟ ମଞ୍ଚରେ ଭ୍ରମ ସୃଷ୍ଟି ହେବାର ଆଶଙ୍କା କରାଯାଇଥିଲା।