ଚେନ୍ନାଇ: ରାଜନୀତିରେ କେତେବେଳେ କ’ଣ ଯେ ହେବ କହି ହେବ ନାହିଁ। ଏହାର ତାଜା ଉଦହରଣ ହେଉଛି ତାମିଳନାଡୁର ଡିଏମକେ ପାର୍ଟି। ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ନେଇ ବୁଧବାର ଡିଏମକେର ଆଭିମୁଖ୍ୟ ବଦଳିଛି। ଏହି ପୁରା ଘଟଣାକୁ ଏମିତି ବୁଝା ଯାଇ ପାରେ, ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ ମଙ୍ଗଳବାର ରାହୁଲ ଗାନ୍ଧିଙ୍କ ଉପରେ କଟାକ୍ଷା କରିଥିଲା। ହେଲେ ମାତ୍ର ୨୪ ଘଣ୍ଟାରେ ବୁଧବାର ଡିଏମକେର ସ୍ୱର ବଦଳି ଯାଇଛି ଓ ଷ୍ଟାଲିନ ରାହୁଲଙ୍କୁ ଖୋଲା ସମର୍ଥନ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଡିଏମକେ ଏ କଥାରେ ଅସନ୍ତୁଷ୍ଟ ଥିଲା ଯେ ତାମିଲନାଡୁ ନିର୍ବାଚନ ଆୟୋଗ ଭୋଟର ତାଲିକାର ସଘନ ସ୍ୱତନ୍ତ୍ର ସଂଶୋଧନ (ଏସଆଇଆର) ପ୍ରକ୍ରିୟା କାଳରେ କଥିତ ରୂପେ ଭୋଟର ତାଲିକାରୁ ଲକ୍ଷଲକ୍ଷ ଭୋଟରଙ୍କ ନାମ କାଟି ଦେଇଥିଲେ। ଏଥିରେ ଡିଏମକେ ମୁଖପାତ୍ର ସର୍ଭନନ ଆନ୍ନାଦୂରାଇ ମଙ୍ଗଳବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟ କରି ରାହୁଲଙ୍କୁ ଟାର୍ଗେଟ କରିଥିଲେ। ସେ ପଚାରିଥିଲେ ତାମିଲନାଡୁ ଭୋଟର ଲିଷ୍ଟରେ ଏତେ ନାମ କଟିଯିବା ପ୍ରସଙ୍ଗରେ ରାହୁଲ ଗାନ୍ଧି ଚୁପ୍ କାହିଁକି ଓ ଏହି ମାମଲାରେ ତାଙ୍କ ଆଭିମୁଖ୍ୟ ଭିନ୍ନ କାହିଁକି?

ଏହି ଅସନ୍ତୋଷ ଯୋଗୁ ଗତ ସପ୍ତାହରେ ନିର୍ବାଚନ ଆୟୋଗ ଓ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଦେଶବ୍ୟାପୀ ପ୍ରଦର୍ଶନ ଲାଗି ରଣନୀତି ନିର୍ଦ୍ଧାରଣ ନିମନ୍ତେ ଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ ମେଣ୍ଟ ବୈଠକରୁ ଡିଏମକେ ଦୂରରେ ରହିଥିଲା। ତେବେ ମଙ୍ଗଳବାରର ବିରୋଧ ପରେ ବୁଧବାର ଡିଏମକେର ଆଭିମୁଖ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଛି। ଡିଏମକେର ପ୍ରମୁଖ ମୁଖପାତ୍ର ଟି.କେ.ଏସ୍ ଇଲଂଗୋବନ ରାହୁଲ ଗାନ୍ଧି ଓ ବିରୋଧୀ ଦଳଙ୍କ ଆଭିମୁଖ୍ୟକୁ ଜୋରଦାର ସମର୍ଥନ କରିଛନ୍ତି।

ଇଲଂଗୋବନ କହିଛନ୍ତି ଯେ ‘ଯଦି ଜ୍ଞାନେଶ କୁମାରଙ୍କ ଭଳି ଉଚ୍ଚ ପଦରେ ବସିଥିବା ବ୍ୟକ୍ତି ଅଗଣତାନ୍ତ୍ରିକ ମନବୃତ୍ତି ଗ୍ରହଣ କରିପାରନ୍ତି, ତେବେ ନିରପେକ୍ଷ ନିର୍ବାଚନ ହେବ କିପରି? ଏଣୁ ନିଶ୍ଚିତ ରୂପେ ତାଙ୍କୁ ହଟାଯିବା ଦରକାର’। ସେ କହିଛନ୍ତି ଯେ ସରକାରଙ୍କ ସ୍ୱେଛାଚାର ବିରୋଧରେ ଲଢିବା ନାଗରିକଙ୍କ ଅଧିକାର ଓ ରାହୁଲ ଗାନ୍ଧି ଗତକାଲି ତାହା ହିଁ କରିଛନ୍ତି। ଏ ସରକାର ଚାହାନ୍ତିନି ଜ୍ଞାନେଶ କୁମାରଙ୍କ ବିରୋଧରେ ରାହୁଲ ଗାନ୍ଧି ସ୍ୱର ଉତ୍ତୋଳନ କରନ୍ତୁ।

ରାହୁଲଙ୍କ ବିରୋଧ କାହିଁକି?
ଏ କଥାର ଆରମ୍ଭ ମଙ୍ଗଳବାର ହୋଇଥିଲା। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ବିରୋଧୀ ଦଳମାନେ ସଂସଦରୁ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରାରେ ବାହାରିଥିଲେ। ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବାକୁ ଦାବି କରିବା ଓ ଭୋଟର ଲିଷ୍ଟ ରିଭିଜନର ବିଶେଷ ଅଭିଯାନକୁ ରଦ୍ଦ କରିବା।

ବୁଝନ୍ତୁ କଂଗ୍ରେସ ଓ ଡିଏମକେର ସମିକରଣ
୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ପରେ କଂଗ୍ରେସ ଓ ଡିଏମକେର ଦଶନ୍ଧୀ ପୁରୁଣା ମେଣ୍ଟ ଦୁଇଫାଳ ହୋଇଯାଇଥିଲା। କାରଣ କଂଗ୍ରେସ ଅଭିନେତା ବିଜୟଙ୍କ ପାର୍ଟି ‘ଟିଭିକେ’କୁ ସମର୍ଥନ ଦେଇ ସରକାର ଗଢିବାରେ ସହାୟତା କରିଥିଲା। ଏହା ପରଠାରୁ ଦୁଇ ଦଳଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖା ଦେଇଛି। ଏହା ସତ୍ତ୍ୱେ ମୁଖ୍ୟ ନିର୍ବାଚନ କମିଶନର ଓ ଭୋଟର ଲିଷ୍ଟ ପ୍ରସଙ୍ଗରେ ଡିଏମକେର ଅଚାନକ ୟୁ-ଟର୍ଣ୍ଣ ଏବେ ରାଜନୈତିକ ଅଳିନ୍ଦରେ ଚର୍ଚ୍ଚାର ବିଷୟ ପାଲଟିଛି।