ମୁମ୍ବାଇ: ବୈଶ୍ୱିକ ଅନିଶ୍ଚିତତା ଓ ପଶ୍ଚିମ ଏସିୟା ସଂକଟ ମଧ୍ୟରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାରକୁ ବଡ଼ ଝଟକା ଲାଗିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ଦ୍ୱାରା ଜାରି ତାଜା ତଥ୍ୟ ଅନୁସାରେ ୧୫ ମେ ୨୦୨୬ରେ ସମାପ୍ତ ସପ୍ତାହରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୮.୦୯ ବିଲିୟନ ଡଲାର ହ୍ରାସ ହୋଇ ୬୮୮.୮୯ ଡଲାର ହୋଇଯାଇଛି। ତେବେ ଏହାର ପୂର୍ବ ସପ୍ତାହରେ ମୁଦ୍ରାଭଣ୍ଡାର ବେଶ୍ ବୃଦ୍ଧି ହାସଲ କରିଥିଲା। ସେତେବେଳେ ୬.୨୯ ବିଲିୟନ ଡଲାର ବଢି ୬୯୬.୯୯ ବିଲିୟନ ଡଲାରକୁ ଛୁଇଁଥିଲା।

କାହିଁକି ହ୍ରାସ ହେଉଛି ବୈଦେଶିକ ମୁଦ୍ରାଭଣ୍ଡାର?
ଯଦି ଆମେ କିଛି ସମୟ ପୂର୍ବରୁ ତଥ୍ୟ ଉପରେ ନଜର ପକାଇବା ପଶ୍ଚିମ ଏସିୟା ଯୁଦ୍ଧ ଆରମ୍ଭ ପୂର୍ବରୁ ୨୭ ଫେବୃଆରୀ ୨୦୨୬ରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ୭୨୮.୪୯ ବିଲିୟନ ଡଲାରର ସର୍ବକାଳୀନ ଉଚ୍ଚତମ ସ୍ତରରେ ଥିଲା। ହେଲେ ଏହା ପରଠାରୁ ଲଗାତାର ହ୍ରାସ ହେବାରେ ଲାଗିଛି। ଡଲାର ତୁଳନାରେ ଟଙ୍କାର ଦୁର୍ବଳ ସ୍ଥିତି ସୁଧାରିବା ପାଇଁ ଆରବିଆଇ ଲଗାତାର ହସ୍ତକ୍ଷେପ କରୁଛନ୍ତି। ଟଙ୍କାକୁ ସାହାରା ଦେବାକୁ କେନ୍ଦ୍ରୀୟ ବ୍ୟାଙ୍କ ବିପୁଳ ପରିମାଣରେ ଡଲାର ବିକ୍ରି କରୁଛନ୍ତି। ଏଣୁ ବୈଦେଶିକ ମୁଦ୍ରାଭଣ୍ଡାର ହ୍ରାସର ସମ୍ମୁଖୀନ ହେଉଛି। ଏହା ଛଡା ଯୁଦ୍ଧ ଯୋଗୁ ବୈଶ୍ୱିକ ଯୋଗାଣ ଶୃଙ୍ଖଳା ଉପରେ ପ୍ରଭାବ ପଡୁଛି ଏଣୁ ଏଣୁ ବୈଦେଶିକ ମୁଦ୍ରାର ଆଉଟ୍ ଫ୍ଲୋ ବଢିଛି।

ଦେଶବାସୀଙ୍କୁ ଖାସ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ପରିସ୍ଥିତିର ଜଟିଳତାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧ ମେ ୨୦୨୬ରେ ଦେଶବାସୀଙ୍କୁ ବିଶେଷ ନିବେଦନ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ବିଦେଶ ଗସ୍ତ କମ୍ କରିବାକୁ ପରାମର୍ଶ ଦେଇଥିବା ବେଳେ ଇନ୍ଧନ ଖର୍ଚ୍ଚ ହ୍ରାସ କରିବା, ବର୍ଷେ ପର୍ଯ୍ୟନ୍ତ ସୁନା କ୍ରୟ ନ କରିବା ଆଦି ନିବେଦନ କରିଛନ୍ତି। ଏହା ଦ୍ୱାରା ବିଦେଶୀ ମୁଦ୍ରା ଯେପରି ଦେଶରୁ ବାହାରକୁ ନ ଯାଏ ଓ ଅଶୋଧିତ ତୈଳ ଆମଦାନୀ ହ୍ରାସ ହୁଏ ସେଥି ପାଇଁ ଦେଶବାସୀଙ୍କୁ ସତର୍କ କରିଥିଲେ।

ଜାଣନ୍ତୁ କେଉଁଠି କେତେ ହୋଇଛି ହ୍ରାସ
ଆରବିଆଇଙ୍କ ସାପ୍ତାହିକ ରିପୋର୍ଟ ଅନୁସାରେ ଚଳିତ ସପ୍ତାହରେ ବୈଦେଶିକ ମୁଦ୍ରାଭଣ୍ଡାରର ସବୁ ଭାଗରେ ହ୍ରାସ ଦେଖା ଦେଇଛି।

ବିଦେଶୀ ମୁଦ୍ରା ଭଣ୍ଡାରର ଘଟକ ଏବେକା ପରିସ୍ଥିତି (୧୫ ମେ ୨୦୨୬)

କେତେ ହୋଇଛି ହ୍ରାସ

ବିଦେଶୀ ମୁଦ୍ରା ପରିସମ୍ପତ୍ତି FCA

$୫୪୫.୯୦ ବିଲିୟନ

$୬.୪୮ ବିଲିୟନ ହ୍ରାସ

ଗୋଲ୍ଡ ରିଜର୍ଭ

$୧୧୯.୩୨ ବିଲିୟନ

$୧.୫୪ ବିଲିୟନ ହ୍ରାସ

ବିଶେଷ ଆହରଣ ଅଧିକାର

$୧୮.୮୨ ବିଲିୟନ

$୪.୯ କୋଟି ହ୍ରାସ

IMFରେ ଭାରତର ଆରକ୍ଷିତ ସ୍ଥିତି

$୪.୮୫ ବିଲିୟନ

$୨.୫ କୋଟି ହ୍ରାସ