ଭୁବନେଶ୍ୱର/କୋରାପୁଟ ୨୪।୧୦ : କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବଢ଼ୁଛି ରାଜନୈତିକ ଛକାପଞ୍ଝା। ନିର୍ବାଚନ ତାରିଖ ଘୋଷଣା ପରେ ସୀମାନ୍ତ ଗାଁଗୁଡ଼ିକରେ ଆନ୍ଧ୍ରର ତତ୍ପରତା ଦେଖିବାକୁ ମିଳିଛି । ଆସନ୍ତା ୩ରେ ଆନ୍ଧ୍ର ପକ୍ଷରୁ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ହରମାଣ୍ଡିଙ୍ଗି,ଉପର ସେମ୍ବି,ତଳ ସେମ୍ବି,ଧୁଳିପଦର ଏହି ସବୁ ଗାଁରେ ଯୁଦ୍ଧକାଳୀନ ଭିତ୍ତିରେ ମାଗଣା ସୋଲାର ସିଷ୍ଟମ୍ ଲଗାଯାଉଛି । ନିର୍ବାଚନ ପୂର୍ବରୁ ଏଭଳି ଯୋଜନାର କାର୍ଯ୍ୟକାରିତାକୁ ନେଇ ଉଠିଛି ପ୍ରଶ୍ନ। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏହା ଏକ ରଣନୀତିକି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଅନ୍ୟପଟେ ଶୁକ୍ରବାର କୋଟିଆର ସୀମାନ୍ତ ଗାଁରେ ପହଞ୍ଚିଥିଲା ବିଜେଡିର ଆଉ ଏକ ସ୍ଥାନୀୟ ପ୍ରତିନିଧି ଦଳ। ଲୋକଙ୍କୁ ବୁଝାଇବା ସହ ଆନ୍ଧ୍ର ପକ୍ଷରୁ ହେବାକୁ ଥିବା ନିର୍ବାଚନରେ ସାମିଲ ନହେବାକୁ ସଚେତନ କରିଥିଲେ ଦଳୀୟ ପ୍ରତିନିଧି। କେତେକ ସ୍ଥାନରେ ଆନ୍ଧ୍ର ପକ୍ଷରୁ ଲଗାଯାଇଥିବା ଫଳକକୁ ମଧ୍ୟ ସ୍ଥାନୀୟ ଜନପ୍ରତିନିଧି ଭାଙ୍ଗିଥିବା ଦେଖିବାକୁ ମିଳିଛି। ଏପଟେ କୋଟିଆକୁ ବାରମ୍ବାର ସରକାରୀ ଅଧିକାରୀ ଗସ୍ତ କରୁଥିବା ସତ୍ତ୍ୱେ ଆନ୍ଧ୍ରର ଗତିବିଧି ରୋକିବାକୁ ଦୃଢ଼ ପଦକ୍ଷେପ କାହିଁକି ନିଆଯାଉନାହିଁ, ସେ ପ୍ରତି ତୁରନ୍ତ ସରକାର ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବିଧାୟକ।

Watch Video:-