ନୂଆଦିଲ୍ଲୀ: ଗତ ପାଞ୍ଚ ବର୍ଷ ମଧ୍ୟରେ ସାଇବର ଠକମାନେ ସାରା ଦେଶରୁ ନାଗରିକଙ୍କଠାରୁ ୫୨,୦୦୦ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି । ଏହି ସଂଖ୍ୟା ଦର୍ଶାଉଛି, କିପରି ଅନଲାଇନ୍ ଠକେଇ ଜାତୀୟ ସୁରକ୍ଷା ଏବଂ ଆର୍ଥିକ ସ୍ଥିରତା ପାଇଁ ଏକ ବଡ଼ ବିପଦରେ ପରିଣତ ହୋଇଛି । ଦୂରସଂଚାର ବିଭାଗ ଦ୍ୱାରା ଜାରି ତଥ୍ୟରୁ ଜଣାପଡିଛି ଯେ ଏହି ସମୟ ମଧ୍ୟରେ ପ୍ରାୟ ୬୦ ଲକ୍ଷ ସାଇବର ଠକେଇ ଅଭିଯୋଗ ପଞ୍ଜୀକୃତ ହୋଇଛି । ଡିଜିଟାଲ ଅପରାଧ ମଧ୍ୟରେ ୟୁପିଆଇ ଠକେଇ, ନକଲି ନିବେଶ ଯୋଜନା, ଡିଜିଟାଲ ଗିରଫଦାରୀ ଠକେଇ, ଓଟିପି ଠକେଇ, ଫିସିଂ ଲିଙ୍କ୍, ନକଲି ଗ୍ରାହକ ସେବା କଲ୍ ଏବଂ ସୋସିଆଲ୍ ମିଡିଆ ଆଧାରିତ ଆର୍ଥିକ ଠକେଇ ସାମିଲ ରହିଛି । କର୍ତ୍ତୃପକ୍ଷ କହିଛନ୍ତି ଯେ ସାରା ଦେଶରେ ଡିଜିଟାଲ କାରବାର ବଢିବା ସହ ସାଇବର ଅପରାଧୀମାନେ ମଧ୍ୟ ଠକେଇ ପାଇଁ ନୂଆ ନୂଆ ତରିକା ଆପଣାଉଛନ୍ତି ।

ସାଇବର ଅପରାଧ ଏବଂ ଟେଲିକମ୍ ଜାଲିଆତିର ବଢ଼ୁଥିବା ମାମଲାକୁ ରୋକିବା ପାଇଁ ଭାରତ ସରକାର ଏକ ବଡ଼ ଧରଣର ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିଛନ୍ତି । ଗୃହ ମନ୍ତ୍ରଣାଳୟ, ଦୂରସଞ୍ଚାର ବିଭାଗ ଏବଂ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (I4C) ମିଳିତ ଭାବେ କାର୍ଯ୍ୟ କରି ସାଇବର ଠକେଇ ପାଇଁ ବ୍ୟବହୃତ ହେଉଥିବା ଭିତ୍ତିଭୂମିକୁ ଚିହ୍ନଟ କରି ଧ୍ୱଂସ କରୁଛନ୍ତି ।

ଦୂରସଞ୍ଚାର ବିଭାଗର ସୂଚନା ଅନୁଯାୟୀ, ଜାଲ୍ କାଗଜପତ୍ର (Fake KYC) ସାହାଯ୍ୟରେ ନିଆଯାଇଥିବା କିମ୍ବା ସାଇବର ଅପରାଧରେ ସନ୍ଦିଗ୍ଧ ଥିବା ପ୍ରାୟ ୩.୪ କୋଟି ମୋବାଇଲ୍ ସଂଯୋଗକୁ ସାରା ଦେଶରେ ବନ୍ଦ କରାଯାଇଛି । ସରକାରୀ ସଂସ୍ଥାଗୁଡ଼ିକ କ୍ରମାଗତ ଭାବେ ଡାଟା ଯାଞ୍ଚ କରି ଏଭଳି ସିମ୍ଗୁଡ଼ିକୁ ବ୍ଲକ୍ କରୁଛନ୍ତି । ଅପରାଧୀମାନେ ଯେପରି ଗୋଟିଏ ସିମ୍ ବନ୍ଦ ହେବା ପରେ ସେହି ମୋବାଇଲରେ ଅନ୍ୟ ସିମ୍ ପକାଇ ଠକେଇ କରିପାରିବେ ନାହିଁ, ସେଥିପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ସାଇବର ଠକେଇରେ ଜଡ଼ିତ ପ୍ରାୟ ୨.୨୭ ଲକ୍ଷ ମୋବାଇଲ୍ ହ୍ୟାଣ୍ଡସେଟର IMEI ନମ୍ବରକୁ ସମ୍ପୂର୍ଣ୍ଣ ରୂପେ ବ୍ଲାକଲିଷ୍ଟ ବା ବ୍ଲକ୍ କରାଯାଇଛି । ଏହା ସହିତ ସଞ୍ଚାର ସାଥୀ ପୋର୍ଟାଲ୍ ମାଧ୍ୟମରେ ପ୍ରାୟ ୧୦ ଲକ୍ଷରୁ ଅଧିକ ମୋବାଇଲ୍ ସେଟ୍କୁ ଟ୍ରେସ୍ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୧,୨୫୦ କୋଟି ଟଙ୍କାରୁ ଅଧିକ ।

ବ୍ୟାଙ୍କ ଆକାଉଣ୍ଟ ଏବଂ ହ୍ୱାଟ୍ସଆପ୍ ଉପରେ କାର୍ଯ୍ୟାନୁଷ୍ଠାନ

ସାଇବର ଠକେଇରେ ବ୍ୟବହୃତ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଆକ୍ସନ ନିଆଯାଇଛି । ସାଇବର ଠକେଇର ଟଙ୍କା କାରବାର ପାଇଁ ବ୍ୟବହୃତ ହେଉଥିବା ଏବଂ ବେଆଇନ ଭାବେ ଖୋଲାଯାଇଥିବା ମ୍ୟୁଲ୍ ଆକାଉଣ୍ଟଗୁଡ଼ିକ ଉପରେ ଚଢ଼ାଉ କରାଯାଇ ୫୯ ଲକ୍ଷରୁ ଅଧିକ ବ୍ୟାଙ୍କ ଖାତାକୁ ଫ୍ରିଜ୍ କରାଯାଇଛି । ସ୍ପାମ୍ କଲ୍, ଜାଲ୍ ଲିଙ୍କ୍ ଏବଂ ଲୋକଙ୍କୁ ପ୍ରଲୋଭନ ଦେଖାଇବା ପାଇଁ ବ୍ୟବହାର କରାଯାଉଥିବା ପ୍ରାୟ ୧୬.୯୭ ଲକ୍ଷରୁ ଅଧିକ ହ୍ୱାଟ୍ସଆପ୍ ଆକାଉଣ୍ଟକୁ ଚିହ୍ନଟ କରାଯାଇ ଡିଆକ୍ଟିଭ୍ କରାଯାଇଛି ।

ଅନ୍ତର୍ଜାତୀୟ ସ୍ପୁଫିଂ କଲ୍ ଉପରେ ରୋକ୍

ଅନେକ ସମୟରେ ଅପରାଧୀମାନେ ବିଦେଶରେ (ମୁଖ୍ୟତଃ ଦକ୍ଷିଣ-ପୂର୍ବ ଏସିଆ ଦେଶଗୁଡ଼ିକରେ) ବସି ଭାରତୀୟ ନମ୍ବର ସାହାଯ୍ୟରେ ଫୋନ୍ କରି ଲୋକଙ୍କୁ ଭୟଭୀତ କରୁଥିଲେ । ସରକାର ଏହି ଇଣ୍ଟରନ୍ୟାସନାଲ୍ ଗେଟୱେକୁ ସୁରକ୍ଷିତ କରିଛନ୍ତି । ଏଭଳି ଆସୁଥିବା ପ୍ରାୟ ୩୫ ପ୍ରତିଶତ ନକଲି ଅନ୍ତର୍ଜାତୀୟ କଲ୍ ଗ୍ରାହକଙ୍କ ପାଖକୁ ପହଞ୍ଚିବା ପୂର୍ବରୁ ହିଁ ଅଧାରୁ ସ୍ୱୟଂଚାଳିତ ଭାବେ କଟିଯାଉଛି ।

ବେଆଇନ ଟେଲିକମ୍ ସେଣ୍ଟର ଧ୍ୱଂସ

ଗତ ଦୁଇ ବର୍ଷ ମଧ୍ୟରେ, ଦୂରସଞ୍ଚାର ବିଭାଗ ସାରା ଦେଶରେ ଚାଲିଥିବା ୪୪ଟି ବେଆଇନ ଟେଲିକମ୍ ସେଣ୍ଟରକୁ ଚିହ୍ନଟ କରି ସେଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ସିଲ୍ କରିଛି । ଏହି କେନ୍ଦ୍ରଗୁଡ଼ିକରେ ସିମ୍ ବକ୍ସ ଟେକ୍ନୋଲୋଜି ଦ୍ୱାରା ଅନ୍ତର୍ଜାତୀୟ କଲ୍କୁ ସ୍ଥାନୀୟ କଲ୍ରେ ପରିଣତ କରାଯାଉଥିଲା । ଟେଲିକମ୍ ଆକ୍ଟ, ୨୦୨୩ ଏବଂ ଟେଲିକମ୍ ସାଇବର ସେକ୍ୟୁରିଟି ରୁଲ୍ସ, ୨୦୨୪ ଅଧୀନରେ ନିୟମଗୁଡ଼ିକୁ ଅଧିକ କଡ଼ାକଡ଼ି କରାଯାଇଛି। ସରକାର ପ୍ରସ୍ତାବିତ ବାୟୋମେଟ୍ରିକ ଆଇଡେଣ୍ଟିଟି ଭେରିଫିକେସନ ସିଷ୍ଟମ ଆଣୁଛନ୍ତି । ଏହାଦ୍ୱାରା ନୂଆ ସିମ୍ କାର୍ଡ ନେବା ସମୟରେ କିମ୍ବା ସିମ୍ ବିକ୍ରେତାମାନଙ୍କ ପାଇଁ ବାୟୋମେଟ୍ରିକ ଯାଞ୍ଚ ବାଧ୍ୟତାମୂଳକ ହେବ । ଏହାଛଡ଼ା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଟୁଲ୍ସ ବ୍ୟବହାର କରି ନେଟୱର୍କରେ ହେଉଥିବା ସନ୍ଦିଗ୍ଧ ଗତିବିଧି ଉପରେ ରିଅଲ୍-ଟାଇମ୍ ନଜର ରଖାଯାଉଛି ।