ନୂଆଦିଲ୍ଲୀ: ସୁନା ଓ ରୁପା ଦରରେ ପଡଉଠ ଜାରି ରହିଛି। ବୁଧବାର ରୁପା ଦର ହ୍ରାସ ହୋଇଥିବା ବେଳେ ସୁନା ଦର ମହଙ୍ଗା ହୋଇଛି। ପ୍ରତି ୧୦ଗ୍ରାମ ପିଛା ସୁନା ୨୧୦୦ ଟଙ୍କା ବଢିଥିବା ବେଳେ ରୁପା କେଜି ପାଖାପାଖି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଛି। ରାଜଧାନୀ ଦିଲ୍ଲୀରେ ୯୯.୯ ପ୍ରତିଶତ ଶୁଦ୍ଧ ସୁନା ୧,୩୦୦ ଟଙ୍କା ବଢି ୧୦ ଗ୍ରାମ ପିଛା ଦର ୧,୬୪,୯୦୦ ଟଙ୍କାକୁ ପହଞ୍ଚି ଯାଇଛି। ଏହା ପୂର୍ବରୁ ମଙ୍ଗଳବାର ସୁନା ଦର ପାଖାପାଖି ୮୦୦ ଟଙ୍କା ମହଙ୍ଗା ହୋଇଥିଲା। ଅର୍ଥାତ ଦୁଇଦିନରେ ସୁନା ୨,୧୦୦ ଟଙ୍କା ମହଙ୍ଗା ହୋଇଛି।

ବଜାର ବିଶେଷଜ୍ଞଙ୍କ ଅନୁସାରେ ଆମେରିକା ଓ ଇରାନ ମଧ୍ୟରେ ବଢୁଥିବା ଉତ୍ତେଜନା ଯୋଗୁ ଅନ୍ତର୍ଜାତୀୟ ବଜାରରେ ସୁନାର ଚାହିଦା ବଢୁଛି, ଯାହାର ପ୍ରଭାବ ଘରୋଇ ବଜାର ଉପରେ ମଧ୍ୟ ଦେଖା ଦେଇଛି। ଏହା ଛଡା ବଣ୍ଡ ୟିଲ୍ଡ ଓ ଡଲାର ମୂଲ୍ୟ ବୃଦ୍ଧି ସତ୍ତ୍ୱେ ନିବେଶକ କିଣାକିଣିରେ ସୁନାକୁ ଗୁରୁତ୍ୱ ଦେଉଛନ୍ତି। ଅନ୍ୟପଟେ ରୁପା ମୂଲ୍ୟ ଲଗାତାର ଦ୍ୱିତୀୟ ଦିନ ହ୍ରାସ ହୋଇଛି। ବୁଧବାର ରୂପା ୫ ହଜାର ଟଙ୍କା ଶସ୍ତା ହୋଇ କେଜିପିଛା ୨ଲକ୍ଷ ୬୬ ହଜାର ଟଙ୍କାକୁ ଖସିଛି। ଏହା ପୂର୍ବରୁ ମଙ୍ଗଳବାର ମଧ୍ୟ ରୂପା କେଜି ପିଛା ୫ ହଜାର ଟଙ୍କା ଶସ୍ତା ହୋଇଥିଲା। ଏଣୁ ଦୁଇ ଦିନରେ ରୂପା ୧୦ ହଜାର ଟଙ୍କା ଶସ୍ତା ହୋଇଛି।

ବିଶେଷଜ୍ଞଙ୍କ ଅନୁସାରେ ଔଦ୍ୟୋଗିକ ଚାହିଦା ହ୍ରାସ ଓ ମୂଲ୍ୟ ବୃଦ୍ଧି ଯୋଗୁ ଲୋକେ ଲାଭ ହାସଲ ନିମନ୍ତେ ବିକାବିକି ଆରମ୍ଭ କରିବାରୁ ରୁପା ଉପରେ ଚାପ ବଢିବାରେ ଲାଗିଛି। ଏଣୁ ସୁନା-ରୁପା ବଜାର ଅସ୍ଥିର ରହିଛି। କେନ୍ଦ୍ର ସରକାର ବିଦେଶରୁ ମହଙ୍ଗା ଧାତୁ ଆମଦାନୀ ଉପରେ କଟକଣା ଲଗାଇଛନ୍ତି। ବୈଦେଶିକ ମୁଦ୍ରା ସଂରକ୍ଷଣ ପାଇଁ ସରକାରଙ୍କ କଟକଣା ଯୋଗୁ ଦେଶରେ ସୁନା ମହଙ୍ଗା ହୋଇଛି।