ନୂଆଦିଲ୍ଲୀ: ଗ୍ଲାସଗୋରେ ଚାଲିଥିବା Commonwealth Gamesର ଚତୁର୍ଥ ଦିନରେ ଭାରତୀୟ ଭାରୋତ୍ତୋଳକ (Weightlifter)ରିଷିକାନ୍ତ ସିଂହ  ପୁରୁଷ ୬୦ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି। ଏହାସହ ସେ 'ସ୍ନାଚ୍' ବିଭାଗରେ ନୂଆ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ମଣିପୁରର ୨୮ ବର୍ଷୀୟ ଭାରୋତ୍ତୋଳକ ରିଷିକାନ୍ତ ସିଂହ ସମୁଦାୟ ୨୬୪ କିଲୋଗ୍ରାମ ଓଜନ ଉଠାଇ ଏହି ସଫଳତା ହାସଲ କରିଛନ୍ତି। 

ରିଷିକାନ୍ତ ନିଜର ପ୍ରଥମ ପ୍ରୟାସରେ ୧୧୬ କିଗ୍ରା ଏବଂ ଦ୍ୱିତୀୟରେ ୧୧୯ କିଗ୍ରା ସଫଳତାର ସହ ଉଠାଇଥିଲେ। ତୃତୀୟ ପ୍ରୟାସରେ ସେ ୧୨୧ କିଲୋଗ୍ରାମ ଓଜନ ଉଠାଇ ପୂର୍ବର ୧୨୦ କିଗ୍ରା ରାଜ୍ୟଗୋଷ୍ଠୀ କ୍ରୀଡ଼ା ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଏହି ବିଭାଗରେ ସେ ପ୍ରଥମ ପ୍ରୟାସରେ ୧୪୩ କିଗ୍ରା ଉଠାଇଥିଲେ। ତେବେ ପରବର୍ତ୍ତୀ ୧୫୧ କିଗ୍ରା ପ୍ରୟାସରେ ସେ ବିଫଳ ହୋଇଥିଲେ ।  

୨୦୨୬ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ଏହା ପ୍ରଥମ ରୌପ୍ୟ ପଦକ ଏବଂ ସମୁଦାୟ ଦ୍ୱିତୀୟ ପଦକ।ଏହା ପୂର୍ବରୁ ପାରା ପାୱାରଲିଫ୍ଟିଂରେ ଝାଣ୍ଡୁ କୁମାର ଭାରତ ପାଇଁ କାଂସ୍ୟ ପଦକ ଜିତିଥିଲେ। ଆର୍ମି ସ୍ପୋର୍ଟସ ଇନଷ୍ଟିଚ୍ୟୁଟ୍‌ରୁ ତାଲିମପ୍ରାପ୍ତ ରିଷିକାନ୍ତ ୨୦୧୯  ଭାରୋତ୍ତୋଳନ ଚାମ୍ପିୟନସିପ୍‌ରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ। ନିଜର ପ୍ରଥମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ଏହି ଐତିହାସିକ ରୌପ୍ୟ ସଫଳତା ହାସଲ କରିଛନ୍ତି।