ନୂଆଦିଲ୍ଲୀ ୦୯/୦୨:ଭାରତୀୟ ଶିକ୍ଷୟିତ୍ରୀ ରୁବଲ ନାଗି ଏବେ ଚର୍ଚ୍ଚାରେ । ବିଶ୍ୱ ଦରବାରରେ ସେ ଚମକିଛନ୍ତି। ନିକଟରେ ଦୁବାଇରେ ଅନୁଷ୍ଠିତ ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ସେ ‘ଗ୍ଲୋବାଲ ଟିଚର ପ୍ରାଇଜ୨୦୨୬’ ଜିତି ଇତିହାସ ସୃଷ୍ଟି କରିଛନ୍ତି । ଦୁବାଇର କ୍ରାଉନ୍ ପ୍ରିନ୍ସ ଶେଖ ହାମଦନ୍ ବିନ୍ ମହମ୍ମଦ ବିନ୍ ରଶିଦ୍ ଅଲ ମଖତୁମ୍ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ବାବଦକୁ ରୁବଲଙ୍କୁ ଭାରତୀୟ ମୁଦ୍ରାରେ ପ୍ରାୟ ୯ କୋଟି ଟଙ୍କା ମିଳିଛି ।

୧୯୮୦ ମସିହାରେ ଜମ୍ମୁ-କାଶ୍ମୀରରେ ରୁବଲଙ୍କ ଜନ୍ମ । ବିବାହ ପରେ ସେ ମୁମ୍ବାଇ ସ୍ଥାନାନ୍ତର ହୋଇଥିଲେ । ମୁମ୍ବାଇର ବସ୍ତିରେ ଥିବା ଘରଗୁଡିକର କାନ୍ଥରେ ଶିକ୍ଷାଭିତ୍ତିକ ଚିତ୍ର ଅଙ୍କନ ନେଇ ତାଙ୍କର ପରିଚିତି ରହିଛି । ସେହି ଚିତ୍ର ଏକ ମୁକ୍ତ ଶ୍ରେଣୀ କକ୍ଷ ଭଳି କାର୍ଯ୍ୟକରି ପିଲାଙ୍କୁ ପଠନ, ଲିଖନ ସହିତ ପରିବେଶ ସଚେତନତାର ବାର୍ତ୍ତା ପ୍ରଦାନ କରିଥାଏ । ଚିତ୍ରକୁ ଶିକ୍ଷାର ଉପକରଣ ଭାବେ ବ୍ୟବହାର କରି ବିଗତ ଦୁଇ ଦଶନ୍ଧି ମଧ୍ୟରେ ସେ ୧୦ ଲକ୍ଷରୁ ଅଧିକ ପିଲାଙ୍କୁ ଆନୁଷ୍ଠାନିକ ଶିକ୍ଷାରେ ସାମିଲ କରିବାରେ ସହାୟକ ହୋଇଛନ୍ତି । ସେହିପରି ନିଜର ସଂସ୍ଥା ‘ରୁବଲ ନାଗି ଆର୍ଟ ଫାଉଣ୍ଡେସନ୍’ ମାଧ୍ୟମରେ ସେ ସାରା ଦେଶରେ ୮୦୦ରୁ ଅଧିକ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି । କେବେହେଲେ ସ୍କୁଲ ଯିବାର ସୁଯୋଗ ପାଇନଥିବା ଗରିବ ପିଲାଙ୍କୁ ସେହି କେନ୍ଦ୍ରରେ ମାଗଣାରେ ଆନୁଷ୍ଠାନିକ ଶିକ୍ଷାଦାନ କରାଯାଏ ।

ରୁବଲ କହିଛନ୍ତି, ସବୁ ପିଲା ସ୍କୁଲ ଯିବା ତାଙ୍କର ପିଲାଦିନର ସ୍ୱପ୍ନ ଥିଲା । ବଡ଼ ହେବା ପରେ ସେହି ସ୍ୱପ୍ନକୁ ପୂରଣ କରିବାକୁ ସେ ଯଥାସମ୍ଭବ ଉଦ୍ୟମ କରିଛନ୍ତି । ଏହି ପୁରସ୍କାର ପାଇବା ତାଙ୍କ ପାଇଁ ଗର୍ବର ବିଷୟ । ପୁରସ୍କାର ବାବଦକୁ ପାଇଥିବା ଅର୍ଥ ଦ୍ୱାରା ସେ ଏକ ଧନ୍ଦାମୂଳକ ପ୍ରତିଷ୍ଠାନ ଆରମ୍ଭ କରିବେ । ସେଠାରେ ଯୁବଗୋଷ୍ଠୀଙ୍କୁ ମାଗଣାରେ ବିଭିନ୍ନ ପ୍ରଫେସନାଲ ତାଲିମ ପ୍ରଦାନ କରାଯିବ । ଡିଜିଟାଲ୍ ଶିକ୍ଷା ବି ଦିଆଯିବ । ଏହାଦ୍ୱାରା ଲକ୍ଷ ଲକ୍ଷ ଅବହେଳିତ ଯୁବକ ଯୁବତୀଙ୍କର ଭାଗ୍ୟ ବଦଳିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

‘ଗ୍ଲୋବାଲ ଟିଚର ପ୍ରାଇଜ୍’ ବର୍କି ଫାଉଣ୍ଡେସନ୍ ପକ୍ଷରୁ ଦିଆଯାଇଥାଏ । ଏହା ନିଜର ଶିକ୍ଷାଦାନ ମାଧ୍ୟମରେ ସମାଜରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିଥିବା ଅସାଧାରଣ ଶିକ୍ଷକଙ୍କୁ ସ୍ୱୀକୃତି ପ୍ରଦାନ କରେ । ଚଳିତଥର ‘ଗ୍ଲୋବାଲ ଟିଚର ପ୍ରାଇଜ୍’ ଲାଗି ୧୩୯ଟି ଦେଶରୁ ପ୍ରାୟ ୫୦୦୦ ନାମାଙ୍କନ ଆସିଥିଲା । ସେଥିମଧ୍ୟରୁ ରୁବଲଙ୍କ ନାମକୁ ଚୟନ କରାଯିବା ଭାରତ ଲାଗି ଏକ ଉପଲବ୍ଧି ଭାବେ ମନେ କରାଯାଉଛି । ୨୦୧୫ରେ ବର୍କି ଫାଉଣ୍ଡେସନ୍ ଆରମ୍ଭ ହୋଇଥିବାବେଳେ ରୁବଲ ୧୦ମ ବ୍ୟକ୍ତି ଭାବେ ଏହି ପୁରସ୍କାର ଜିତିଛନ୍ତି ।