ମୁମ୍ବାଇ: ଆମେରିକା ଓ ଇରାନ ମଧ୍ୟରେ ଜାରି ଉତ୍ତେଜନା ସତ୍ତ୍ୱେ ଅଶୋଧିତ ତୈଳ ବୋଝେଇ ନେଇ ଆସୁଥିବା ଭାରତୀୟ ଟ୍ୟାଙ୍କର ’ଦେଶ ଗରିମା’ ରଣନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ ଷ୍ଟ୍ରେଟ୍ ଅଫ ହର୍ମୁଜକୁ ପାର କରି ସୁରକ୍ଷିତ ଭାରତୀୟ ଜଳ କ୍ଷେତ୍ରକୁ ପ୍ରବେଶ କରିଛି। ଏହି ଟ୍ୟାଙ୍କର ଜାହାଜ ଏବେ ମୁମ୍ବାଇରୁ କିଛି ନଟିକାଲ ମାଇଲ ଦୂରରେ ଲଙ୍ଗର ପକାଇଛି। ଏହି ଜାହାଜ ଏପ୍ରିଲ ୧୮ ତାରିଖରେ ହର୍ମୁଜ ଅତିକ୍ରମ କରିଥିଲା। ଏହି ଜଳମାର୍ଗ ଦେଇ ଯାତ୍ରା କାଳରେ ଜାହାଜ ଉପରକୁ ଇରାନସ ଇସ୍ଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପ (ଆଇଆରଜିସି) ଗୁଳି ଚଳାଇଥିଲା। ତେବେ ଜାହାଜ ଯାତ୍ରା ଜାରି ରଖିଥିଲା।

ଏହି ଟ୍ୟାଙ୍କରର ସମସ୍ତ ୩୧ ଜଣ ଚାଳକ ଦଳ ସଦସ୍ୟ ଭାରତୀୟ। ତେବେ ଜାହାଜ ସୁରକ୍ଷିତ ଭାରତୀୟ ଜଳମାର୍ଗକୁ ପ୍ରବେଶ କରିବା ପରେ ଏହାକୁ ଏକ ଆଶ୍ୱସ୍ତି ରୂପେ ଦେଖାଯାଉଛି। ଖାସ କରି ପଶ୍ଚିମ ଏସିୟାରେ ବଢୁଥିବା ଉତ୍ତେଜନା ଯୋଗୁ ବୈଶ୍ୱିକ ତୈଳ ଯୋଗାଣରେ ଉପୁଜିଥିବା ବ୍ୟବଧାନରେ ଏହାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ମାର୍ଚ୍ଚ ପ୍ରାରମ୍ଭରୁ ଏ ପର୍ଯ୍ୟନ୍ତ ଏହି ଟ୍ୟାଙ୍କରକୁ ମିସାଇ ୧୦ଟି ଭାରତୀୟ ଜାହାଜ ହର୍ମୁଜ ପାର କରିଛି। ଏହା ଏ କଥାର ସଂକେତ ଦେଉଛି ଯେ କ୍ଷେତ୍ରରେ ଉତ୍ତେଜନା ସତ୍ତ୍ୱେ ସମୁଦ୍ରରେ ଯାତାୟାତ ଲଗାତାର ଜାରି ରହିଛି।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ଯାହା ତାହା ହେଉଛି ଆଇଆରଜିସି ପୂର୍ବରୁ ମଧ୍ୟ ଭାରତର ୨ଟି ଜାହାଜ ‘ଭିଏଲସିସି ସନମାର ହେରଲ୍ଡ’ ଓ ବଲ୍କ କ୍ୟାରିୟର ‘ଜଗ ଅର୍ଣ୍ଣବ’ ଗୁଳିମାଡ଼ କରିଥିଲା। ଏହି ଘଟଣା କାରଣରୁ ଜାହାଜ ଦୁଇଟିକୁ ଫେରସ୍ତ ଯିବାକୁ ପଡିଥିଲା। ଏହାକୁ ନେଇ ଭାରତ କଡ଼ା ବିରୋଧ କରିଥିଲା। ତେବେ ଏହି ଘଟଣାରେ ଜାହାଜରେ ଥିବା ଚାଳକ ଦଳ ସଦସ୍ୟଙ୍କ ମଧ୍ୟରୁ କେହି ହତାହତ ହୋଇ ନାହାନ୍ତି।