​​​​​​​ନୂଆଦିଲ୍ଲୀ: ବିଶ୍ୱସ୍ତରୀୟ ଭୂ-ରାଜନୈତିକ ତିକ୍ତତା ଏବଂ ପଶ୍ଚିମ ଏସିଆ (West Asia) ର ଅଶାନ୍ତ ପରିବେଶ ମଧ୍ୟରେ ବିଦେଶରେ, ବିଶେଷ କରି ଆମେରିକାରେ ଉଚ୍ଚଶିକ୍ଷା ହାସଲ କରୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଡଲାର ତୁଳନାରେ ଭାରତୀୟ ଟଙ୍କାର କ୍ରମାଗତ ଅବମୂଲ୍ୟାୟନ, ଆନ୍ତର୍ଜାତୀୟ ସ୍ତରରେ ବଢୁଥିବା ବିବାଦ ଏବଂ ବିମାନ ଭଡ଼ା ବୃଦ୍ଧି ଯୋଗୁ ବିଦେଶୀ ଶିକ୍ଷା ଏବେ ବହୁତ ମହଙ୍ଗା ହୋଇପଡ଼ିଛି। ଅନ୍ତର୍ଜାତୀୟ ଡିଗ୍ରୀ ହାସଲ କରିବାର ସ୍ୱପ୍ନ ଦେଖୁଥିବା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଏବେ ଆର୍ଥିକ ବ୍ୟବସ୍ଥା କରିବା ସବୁଠାରୁ ବଡ଼ ଚ୍ୟାଲେଞ୍ଚ ପାଲଟିଛି।

ବିଦେଶ ଯାଉଥିବା ଭାରତୀୟ ଛାତ୍ରଙ୍କ ସଂଖ୍ୟା ହ୍ରାସ ପାଇଛି

ବିଦେଶ ମନ୍ତ୍ରଣାଳୟ (MEA) ର ତଥ୍ୟ ଅନୁଯାୟୀ, ବିଦେଶରେ ପଢିବାକୁ ଯାଉଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଛି। ୨୦୨୫ ଆର୍ଥିକ ବର୍ଷରେରେ ୧.ମିଲିୟନ (୧୨ଲକ୍ଷ) ରୁ ଅଧିକ ଭାରତୀୟ ଛାତ୍ର ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନାମ ଲେଖାଇଛନ୍ତି। ହେଲେ ଏହା ପୂର୍ବରୁ ୨୦୨୪ ଆର୍ଥିକ ବର୍ଷରେ ସାମାନ୍ୟ ଅଧିକ ୧.୩୩ ମିଲିୟନ (୧୩.ଲକ୍ଷ) ଛାତ୍ରଛାତ୍ରୀ ବିଦେଶୀ ବିଶ୍ୱବିଦ୍ୟାଳୟଗୁଡିକରେ ନାମ ଲେଖାଇଥିଲେ। ଛାତ୍ରଛାତ୍ରୀଙ୍କର ବିଦେଶ ପଢ଼ିବାର ଏହି ହ୍ରାସର ଏକାଧିକ କାରଣ ରହିଛି। ସମଗ୍ର ବିଶ୍ୱରେ ଗମନାଗମନକୁ ନେଇ ଅନିଶ୍ଚିତତା, କଠୋର ଭିସା ନିୟମ, ପଲିସି କ୍ୟାପ୍ (Policy Caps) ଏବଂ ଆର୍ଥିକ ଅସ୍ଥିରତା ଯୋଗୁ ବାର୍ଷିକ ନାମଲେଖା ସଂଖ୍ୟା ହ୍ରାସ ପାଇଛି।

Also Read- ଗୋଟିଏ ବର୍ଷରେ ୪୮ ହଜାର କୋଟି ଟଙ୍କା ଠକେଇ, RBI ରିପୋର୍ଟରେ ବଡ଼ ଖୁଲାସା

ମଧ୍ୟବିତ୍ତ ପରିବାର ଉପରେ ବଢୁଛି ବୋଝ

ଏଜୁକେସନ ଲେଣ୍ଡର 'ପ୍ରୋଡିଜି ଫାଇନାନ୍ସ' (Prodigy Finance) ର ଗବେଷଣା ଅନୁଯାୟୀ, ବିଦେଶରେ ପଢିବା ପାଇଁ ଛାତ୍ରଙ୍କ ଆଗ୍ରହ କମି ନାହିଁ, କିନ୍ତୁ ପରିବାରଗୁଡ଼ିକ ଉପରେ ଆର୍ଥିକ ବୋଝ ବହୁତ ବଢ଼ିଯାଇଛି। ରିପୋର୍ଟର ଅନୁସାରେ ବିଦେଶରେ ପଢିବାକୁ ଯୋଜନା କରୁଥିବା ଭାରତୀୟ ଛାତ୍ରଙ୍କ ମଧ୍ୟରୁ ୭୯ ପ୍ରତିଶତରୁ ଅଧିକ ଛାତ୍ର ଟାୟାର-୨ (Tier 2) ଏବଂ ଟାୟାର-୩ (Tier 3) ସହରରୁ ଆସିଥାନ୍ତି। ଏଥିମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ସୀମିତ କିମ୍ବା ମଧ୍ୟମ ଆୟକାରୀ ପରିବାରର (Modest-income households) ହୋଇଥାନ୍ତି। ଯେଉଁଠାରେ ପିଲାଙ୍କ ସ୍ୱପ୍ନ ପୂରଣ ପାଇଁ ପିତାମାତାଙ୍କୁ ବଡ଼ ଆର୍ଥିକ ବଳିଦାନ ଦେବାକୁ ପଡ଼ିଥାଏ।

ରେକର୍ଡ ସ୍ତରକୁ ଖସିଲା ଭାରତୀୟ ଟଙ୍କା

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ଦୁର୍ବଳ ସ୍ଥିତି ଯୋଗୁ ଟ୍ୟୁସନ ଫି’, ରହିବା ଖର୍ଚ୍ଚ ଏବଂ ଦୈନନ୍ଦିନ ଖର୍ଚ୍ଚ ଅହେତୁକ ଭାବେ ବୃଦ୍ଧି ପାଇଛି।

  • ଚଳିତ ବର୍ଷ (୨୦୨୬) ଭାରତୀୟ ଟଙ୍କାର ମୂଲ୍ୟରେ ୭.୦୪ ପ୍ରତିଶତ ଅବମୂଲ୍ୟାୟନ ଘଟିଛି।
  • ଜାନୁଆରୀ ମାସରେ ପ୍ରତି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ପ୍ରାୟ ₹୮୯.୫୦–₹୮୯.୯୦ ଥିଲା।
  • ଜାନୁଆରୀରୁ ମେ ମାସ ମଧ୍ୟରେ ପ୍ରତି ମାସରେ ଟଙ୍କା ନୂଆ ରେକର୍ଡ ତଳ ସ୍ତରକୁ ଛୁଇଁଥିଲା।
  • ଶେଷରେ ୧୯ ମେ ୨୦୨୬ରେ ଭାରତୀୟ ଟଙ୍କା ଇତିହାସର ସବୁଠାରୁ ସର୍ବନିମ୍ନ ସ୍ତର ୯୬.୫୬କୁ ଖସି ଆସିଥିଲା।

ବିଶେଷଜ୍ଞଙ୍କ ମତ ଏବଂ ଚିନ୍ତାଜନକ ପରିସ୍ଥିତି

ପ୍ରୋଡିଜି ଫାଇନାନ୍ସର ଗ୍ଲୋବାଲ ଚିଫ୍ ବିଜନେସ୍ ଅଫିସର ସୋନାଲ କପୁରଙ୍କ କହିବା ଅନୁଯାୟୀ, ବର୍ତ୍ତମାନର ସ୍ଥିତିରେ ଛାତ୍ରମାନେ ଡଲାର (USD) କିମ୍ବା ସେମାନେ ଯାଉଥିବା ଦେଶର ମୁଦ୍ରାରେ ଫଣ୍ଡିଂ ବ୍ୟବସ୍ଥା କରିବା ଉଚିତ।

"ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ସାଧାରଣ ଯାତ୍ରୀଙ୍କ ଖର୍ଚ୍ଚ ବଢିଯାଉଛି, ତେଣୁ ଯେଉଁ ଛାତ୍ରମାନେ ବିଦେଶରେ ରହି ପାଠପଢ଼ା, ରହିବା ଏବଂ ଖାଇବା ଖର୍ଚ୍ଚ ଏକାସଙ୍ଗେ ତୁଲାଉଛନ୍ତି ସେମାନଙ୍କ ଉପରେ ଚାପ କେତେ ଅଧିକ ଥିବ, ତାହା ସହଜରେ ଅନୁମେୟ।"-

କପୁର ଆହୁରି ମଧ୍ୟ କହିଛନ୍ତି ଯେ କେବଳ ମୁଦ୍ରାସ୍ଫୀତି ନୁହେଁ, ବରଂ ବିଶ୍ୱ ଇନ୍ଧନ ବଜାରରେ (Fuel Market) ସୃଷ୍ଟି ହୋଇଥିବା ସଙ୍କଟ ଯୋଗୁ ବିମାନ ଭଡ଼ା ମଧ୍ୟ ଦ୍ରୁତ ଗତିରେ ବଢୁଛି। ଏହା ସହିତ ଭିସା ସମ୍ବନ୍ଧୀୟ ଅନିଶ୍ଚିତତା ଏବଂ ଏକ୍ସଚେଞ୍ଜ ଲସ୍ (Currency exchange losses) ଯୋଗୁ ଅନେକ ଛାତ୍ରଛାତ୍ରୀ ଚିନ୍ତିତ ହୋଇ ଇମେଲ୍ ମାଧ୍ୟମରେ ସହାୟତା ଓ ପରାମର୍ଶ ମାଗୁଛନ୍ତି।

Also Read- ଗୋଟିଏ ବର୍ଷରେ ୪୮ ହଜାର କୋଟି ଟଙ୍କା ଠକେଇ, RBI ରିପୋର୍ଟରେ ବଡ଼ ଖୁଲାସା

ବିଶେଷଜ୍ଞଙ୍କ ପରାମର୍ଶ

ବର୍ତ୍ତମାନର ଭୂ-ରାଜନୈତିକ ସଙ୍କଟ ଏବଂ ମହଙ୍ଗା ତେଲ ଦରକୁ ଦୃଷ୍ଟିରେ ରଖି ପ୍ରୋଡିଜି ଫାଇନାନ୍ସ ପକ୍ଷରୁ ଆଗାମୀ ସେସନରେ ବିଦେଶ ଯାଉଥିବା ଛାତ୍ରଛାତ୍ରୀମାନଙ୍କୁ ନିଜର ଯାତ୍ରା ଟିକେଟ୍ ବହୁତ ଆଗରୁ ବୁକ୍ କରିବାକୁ ଏବଂ ଯଥାସମ୍ଭବ ଫ୍ଲେକ୍ସିବଲ୍ ଫ୍ଲାଇଟ୍ ବୁକିଂ (Flexible Flight Bookings) ବିକଳ୍ପ ଚୟନ କରିବାକୁ ପରାମର୍ଶ ଦିଆଯାଇଛି। ସାରା ବିଶ୍ୱରେ ଇନ୍ଧନ ସଙ୍କଟ ଓ ମୁଦ୍ରାସ୍ଫୀତି ଯୋଗୁଁ ଏହି ସମସ୍ୟା ଆଗକୁ ଆହୁରି ଜଟିଳ ହୋଇପାରେ ବୋଲି ସଂସ୍ଥା ଚେତାବନୀ ଦେଇଛି।