ନୂଆଦିଲ୍ଲୀ : ଇରାନ-ଇସ୍ରାଏଲ ଯୁଦ୍ଧ ଏବେ ଭୟଙ୍କର ରୂପ ନେଇଛି । ପ୍ରାଣ ହରାଇଛନ୍ତି ଇରାନର ସର୍ବୋଚ୍ଚ ନେତା ଖାମେନି । ପ୍ରଥମେ ଇସ୍ରାଏଲ- ଆମେରିକା ଏକତ୍ର ହୋଇ ଇରାନର ୩୦ରୁ ଅଧିକ ଠିକଣାରେ ଆକ୍ରମଣ କରିଥିଲେ । ପରେ ଇରାନ ଇସ୍ରାଏଲ ସମେତ ଆମେରିକାର ୭ଟି ସୈନ୍ୟ ଆଡ୍ଡା ଉପରେ କରିଛି ହମଲା। ଇସ୍ରାଏଲ୍ ଉପରେ ଅନେକ ଦେଶ ପକ୍ଷରୁ ହମଲା ହେଉଛି। ଏହି ଆକ୍ରମଣରୁ ରକ୍ଷା ପାଇବା ପାଇଁ ଇସ୍ରାଏଲରେ ରହୁଥିବା ଜଣେ ଭାରତୀୟ ମହିଳା ତାଙ୍କ ପରିବାର ସହିତ ବଙ୍କର ଭିତରେ ଲୁଚି କହିଛନ୍ତି । ସୋସିଆଲ୍ ମିଡିଆରେ ସେଠାରୁ ସେମାନେ ତାଙ୍କ ଗତିବିଧି ସେୟାର କରିଛନ୍ତି।

ସେ ହେଲେ ଇସ୍ରାଏଲର ବରଶେଭା ସହରର ବୈଜ୍ଞାନିକ ସୁଚିସ୍ମିତା ମୁଦୁଲି ବାରୋନ। ଓଡିଶାରେ ତାଙ୍କର ଜନ୍ମ। ସେ ଇସ୍ରାଏଲରେ ରହୁଥିବା ସମୟରେ ଏଭଳି ଏକ ଘମାଘୋଟ ସ୍ଥିତି ସାମ୍ନା କରିଛନ୍ତି। ଭୟରେ ସେ ଏକ ବଙ୍କର ଭିତରେ ଆଶ୍ରୟ ନେଇଛନ୍ତି। ସେଠାରୁ ସେ ଇନଷ୍ଟାଗ୍ରାମରେ ନିଜ ଭିଡିଓ ସେୟାର କରିଛନ୍ତି। ଯେଉଁ ଭିଡିଓରେ ତାଙ୍କ ସ୍ୱାମୀ ଏବଂ ସେମାନଙ୍କର ଦୁଇ ପିଲାଙ୍କୁ ବି ଦେଖିବାକୁ ମିଳିଛି। ଧର୍ଯ୍ୟର ସହ ପରସ୍ପରକୁ ସୁରକ୍ଷା ଦେଉଛନ୍ତି। ଆଉ ଶାନ୍ତି ଫେରି ଆସିବାକୁ ପ୍ରାର୍ଥନା କରିଛନ୍ତି।

ସୁଚିସ୍ମିତା ବାରୋନ ଓ ସ୍ୱମୀ ରିଆନ୍ ଉଇଲିଅମ୍ ବାରୋନ୍ ହଜାର ହଜାର ଇସ୍ରାଏଲୀଙ୍କ ମଧ୍ୟରେ ଶନିବାର ଆଶ୍ରୟସ୍ଥଳରେ ବିତାଇଥିଲେ। ଏହି ସମୟରେ ସେ ସୋସିଆଲ୍ ମିଡିଆରେ ଯେଉଁ ସବୁ ଭିଡିଓ ସେୟାର କରିଛନ୍ତି, ସେଥିରେ ତାଙ୍କ ପିଲାମାନଙ୍କ ବିଭିନ୍ନ ଆକ୍ଟିଭିଟି ଦେଇବାକୁ ମିଳିଛି। ଗୋଟିଏ ଭିଡିଓରେ ପିଲାମାନେ ବେଡ୍ ରେ ଶୋଇଥିବାର ଦେଖିବାକୁ ମିଳିଥିଲା। ବାରେନ୍ ସ୍ୱୀକାର କରିଥିଲେ ଯେ ଚିନ୍ତା ଯୋଗୁଁ ପରିବାର ଭଲ ଭାବରେ ଶୋଇ ପାରୁନାହିଁ। ସେ ଲେଖିଛନ୍ତି " ଶୋଇବା ଏଠି କଷ୍ଟକର। ଆମେ କେହି ବି ସମ୍ପୂର୍ଣ୍ଣ ବିଶ୍ରାମ ନେଇପାରୁନାହୁଁ । ଆମେ ସତର୍କ ରହୁଛୁ। ଧର୍ଯ୍ୟର ସହ ଅପେକ୍ଷା କରୁଛୁ। କାହିଁକିନା ଆମ ପାଖରେ ଭାଙ୍ଗି ପଡ଼ିବାର ବିକଳ୍ପ ନାହିଁ। ଆମେ ପ୍ରାର୍ଥନା କରୁଛୁ ସବୁ ସୁଧୁରି ଯାଉ ସ୍ଥିତି ଭଲ ହେଉ,"।