ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୬ରେ ଫେବ୍ରୁଆରୀ ୧୫ରେ କଲମ୍ୱୋରେ ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । ଏହି ମୁକାବିଲାରେ ଭାରତ-ପାକିସ୍ତାନର ଖେଳାଳି ପରସ୍ପର ସହ ହାତ ମିଶାଇବେ । ଭାରତ ସହ ମ୍ୟାଚ୍ ଖେଳିବା ପାଇଁ ଜାରି ଗତିରୋଧକୁ ଶେଷ କରିବା ପାଇଁ ଆଇସିସି ସହ ବୈଠକ ବେଳେ ପାକିସ୍ତାନ କିଛି ଦାବି କରିଥିଲା । ପାକିସ୍ତାନର ଗୋଟିଏ ଦାବି ଥିଲା, ମ୍ୟାଚ୍ ସମୟରେ ଭାରତୀୟ ଖେଳାଳି ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଶାଇବେ । ଜନସତ୍ତାର ରିପୋର୍ଟ ଅନୁସାରେ, ପାକିସ୍ତାନର ଏହି ଦାବିକୁ ଆଇସିସି ସ୍ୱୀକାର କରିଛି । ଭାରତ ଓ ପାକିସ୍ତାନ ଖେଳାଳି କଲମ୍ୱୋ ଟି-୨୦ ବିଶ୍ୱକପ୍ ମ୍ୟାଚରେ ହାତ ମିଶାଇବେ ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଗତ ବର୍ଷ ସେପ୍ଟେମ୍ବରରେ ଏସିଆ କପ୍ ସମୟରେ ଭାରତ ଏବଂ ପାକିସ୍ତାନୀ ଦଳ ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଥିଲେ । ଟୁର୍ଣ୍ଣାମେଣ୍ଟରେ ଦୁଇ ଦଳ ତିନି ଥର ପରସ୍ପର ବିରୁଦ୍ଧରେ ଖେଳିଥିଲେ । କିନ୍ତୁ କୌଣସି ସହ ଥର ହାତ ମିଶାଇ ନଥିଲେ । ଗତ ବର୍ଷ ସେପ୍ଟେମ୍ବର ୧୪ରେ ଅନୁଷ୍ଠିତ ଲିଗ୍ ମ୍ୟାଚ୍ରେ ଟସ୍ ସମୟରେ ସୂର୍ଯ୍ୟକୁମାର ଯାଦବ ସଲମାନ ଆଗାଙ୍କ ସହିତ ହାତ ମିଶାଇ ନଥିଲେ । ଭାରତକୁ ମ୍ୟାଚ୍ ଜିତାଇବା ପରେ ସୂର୍ଯ୍ୟ କୁମାର ଓ ଶିବମ୍ ଦୁବେ ସିଧା ପାଭିଲିୟନ୍ ପଲାଇଥିଲେ । ଭାରତୀୟ ଦଳ କୌଣସି ପାକିସ୍ତାନୀ ଖେଳାଳିଙ୍କ ସହିତ ହାତ ମିଶାଇ ନଥିଲା ।

ସେପ୍ଟେମ୍ବର ୨୮ରେ ଫାଇନାଲରେ ସବୁଠାରୁ ବଡ଼ ନାଟକୀୟ ଘଟଣା ଘଟିଥିଲା । ଭାରତୀୟ ଖେଳାଳିମାନେ ପାକିସ୍ତାନର ଗୃହମନ୍ତ୍ରୀ ଏବଂ ପିସିବି ଅଧ୍ୟକ୍ଷ ମୋହସିନ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲେ । ଏଥିରେ ନକଭି ରାଗି ଯାଇ ନିଜ ସହ ଏସିଆ କପ୍ ଟ୍ରଫି ନେଇ ଚାଲି ଯାଇଥିଲେ ।

୨୦୨୫ ଏସିଆ କପ୍ ଫାଇନାଲ ପରେ ଭାରତ ଏବଂ ପାକିସ୍ତାନ ଟିମ୍ ଫେବ୍ରୁଆରୀ ୧୫ରେ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିବେ । ଟି-୨୦ ବିଶ୍ୱକପ୍ ଦୁଇ ଦଳ ଆଠ ଥର ପରସ୍ପରକୁ ମୁହାଁମୁହିଁ ହୋଇଛନ୍ତି । ଭାରତ ସାତ ଥର ଜିତିଥିବା ବେଳେ ପାକିସ୍ତାନ କେବଳ ଥରେ ଜିତିଛି । ଟି-୨୦ରେ ଉଭୟ ଦଳ ୧୬ ଥର ମୁହାଁମୁହିଁ ହୋଇଛନ୍ତି, ଯେଉଁଥିରେ ପାକିସ୍ତାନ କେବଳ ତିନୋଟି ମ୍ୟାଚ୍ ଜିତିଛି ।