ନୂଆଦିଲ୍ଲୀ: ଇଟାଲୀ ଯାତ୍ରା ଦୁଇ ଭାରତୀୟ ଫଟୋଗ୍ରାଫରଙ୍କୁ ମହଙ୍ଗା ପଡ଼ିଛି। ଦାମି କ୍ୟାମେରା ଚୋରି ହୋଇଥିଲେ ମଧ୍ୟ ସେଠାକାର ପୁଲିସ ରବିବାର ଛୁଟି  ବୋଲି ସେମାନଙ୍କୁ ବିଦା କରିଦେଇଛନ୍ତି। ଶପିଂ ଆଉଟଲେଟ୍‌ର ପାର୍କିଂ ଅଞ୍ଚଳରେ ଏକ ଭଡ଼ା ଗାଡ଼ିରେ ଏହି କାର ଓ ଉପକରଣ ସବୁ ରଖାଯାଇଥିଲା। ଯାହାର ମୂଲ୍ୟ ୪୦ ହଜାର ୟୁରୋରୁ ଅଧିକ, ଅର୍ଥାତ୍ ପ୍ରାୟ ୪୪ ଲକ୍ଷ ଟଙ୍କାର ହେବ। ଏଥିରେ ଥିଲା ପେସାଦାର କ୍ୟାମେରା, ଲେନ୍ସ ଓ ଅନ୍ୟାନ୍ୟ ଫଟୋଗ୍ରାଫି ଉପକରଣ। ଘଟଣାଟି ଅଗଷ୍ଟ ୯ ତାରିଖରେ ଘଟିଥିଲା। ନୋଭେନ୍ତା ଦି ପାଆଭେ ସ୍ଥିତ ମ୍ୟାକ୍ ଆର୍ଥର ଗ୍ଲେନ ଡେଜିଙ୍ଗେର ଆଉଟଲେଟର ମାଗଣା ପାର୍କିଂ ଅଞ୍ଚଳରେ ସେମାନେ ଭଡ଼ାରେ ନେଇଥିବା ଗାଡ଼ିରେ ଏହିସବୁ ସାମଗ୍ରୀ ଛାଡ଼ିଥିଲେ।

ଫଟୋଗ୍ରାଫର ଗଣେଶ ବାଗେଲ ସୋସିଆଲ ମିଡିଆରେ ଇନଷ୍ଟାଗ୍ରାମରେ ଘଟଣାର ବିବରଣୀ ସେୟାର କରିଛନ୍ତି। ତାଙ୍କ କହିବା ଅନୁସାରେ, ସେ ଓ ତାଙ୍କ ସହଯାତ୍ରୀ ଫଟୋଗ୍ରାଫର ପ୍ରାୟ ଅପରାହ୍ନ ୩ଟା ୩୦ରେ ନିଜ ଭଡ଼ା ଗାଡ଼ିକୁ ପାର୍କିଂରେ ରଖି ଶପିଂ ପାଇଁ ଯାଇଥିଲେ। ପ୍ରାୟ ୧ ଘଣ୍ଟା ୪୦ ମିନିଟ୍ ପରେ ଗାଡ଼ି ନିକଟକୁ ଫେରିବା ବେଳକୁ ଦେଖିଥିଲେ ଯେ ଗାଡ଼ିର ପଛ କାଚ ଭଙ୍ଗା ଯାଇଛି। ଗାଡ଼ି ଭିତରେ ରଖାଯାଇଥିବା କ୍ୟାମେରା ବ୍ୟାଗ୍ ଓ ଲଗେଜ୍ ମଧ୍ୟ ଗାଏବ ହୋଇଯାଇଥିଲା।

ଚୋରି ହୋଇଥିବା ସାମଗ୍ରୀ ମଧ୍ୟରେ ଅନେକ ପେସାଦାର Sony କ୍ୟାମେରା ବଡି, ଦାମୀ ଲେନ୍ସ ଏବଂ ଅନ୍ୟ ଫଟୋଗ୍ରାଫି ଉପକରଣ ଥିଲା। ଏହି ସମସ୍ତ ଯନ୍ତ୍ରପାତି ଦୁଇ ଫଟୋଗ୍ରାଫରଙ୍କର ଥିଲା ଏବଂ ଏହାର ମୋଟ ମୂଲ୍ୟ ୪୪ ଲକ୍ଷ ଟଙ୍କାରୁ ଅଧିକ ବୋଲି ସେମାନେ କହିଛନ୍ତି। ତେବେ ଘଟଣାର ସବୁଠାରୁ ଚର୍ଚ୍ଚିତ ଦିଗ ହେଉଛି ଚୋରି ସାମଗ୍ରୀର ଟ୍ରାକିଂ। ସୌଭାଗ୍ୟବଶତଃ, କିଛି ଉପକରଣରେ ଟ୍ରାକିଂ ଡିଭାଇସ୍ ଲାଗିଥିଲା। ଏହା ଜରିଆରେ ଫଟୋଗ୍ରାଫରମାନେ ଚୋରି ହୋଇଥିବା ସାମଗ୍ରୀ କେଉଁଠି ରହିଛି, ତାହାର ଲାଇଭ୍ ଲୋକେସନ୍ ଜାଣିପାରିଥିଲେ।

Also Read-ରିଲାଏନ୍ସ ଡିଜିଟାଲର ଡିସ୍କୋ ସେଲ୍: ଏକ୍ସଚେଞ୍ଜ ସହ ବ୍ୟାଙ୍କ ଅଫରରେ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି

ଫଟୋଗ୍ରାଫରମାନେ ପ୍ରଥମେ ପୁଲିସ ନିକଟକୁ ଯାଇ ଚୋରି ସମ୍ପର୍କରେ ଜଣାଇଥିଲେ। ସେମାନେ ପୁଲିସ ଅଧିକାରୀଙ୍କୁ ଟ୍ରାକରର ଲାଇଭ୍ ଲୋକେସନ୍ ମଧ୍ୟ ଦେଖାଇଥିଲେ। ତାଙ୍କ ଅଭିଯୋଗ ଅନୁସାରେ, ରବିବାର ସନ୍ଧ୍ୟା ପ୍ରାୟ ୭ଟା ହୋଇଥିବାରୁ ପୁଲିସ ସେମାନଙ୍କ ସହ ଉକ୍ତ ସ୍ଥାନକୁ ଯାଇପାରିବ ନାହିଁ ବୋଲି ମନା କରି ଦେଇଥିଲା।

ଟ୍ରାକରରେ ଲୋକେସନ୍ ଏକ ଶିଳ୍ପାଞ୍ଚଳରେ ଦେଖାଉଥିଲା। ସାମଗ୍ରୀ ଉଦ୍ଧାର କରିବାର ସମ୍ଭାବନା ଥିବାରୁ ଦୁଇ ଫଟୋଗ୍ରାଫର ଶେଷରେ ନିଜେ ସେହି ସ୍ଥାନକୁ ଯିବାକୁ ସ୍ଥିର କରିଥିଲେ। ବିଦେଶରେ ଥିବାରୁ ସେମାନଙ୍କ ପାଇଁ ଭାଷାଗତ ସମସ୍ୟା ସହ ସୁରକ୍ଷାର ଆଶଙ୍କା ମଧ୍ୟ ଥିଲା। ତଥାପି ସେମାନେ ଟ୍ରାକର୍ ଦେଖାଉଥିବା ସ୍ଥାନରେ ପହଞ୍ଚିଥିଲେ।

ସେଠାରେ ସେମାନେ ଦୁଇଟି ପାସପୋର୍ଟ, ଲଗେଜ୍, କିଛି ବ୍ୟକ୍ତିଗତ ସାମଗ୍ରୀ ଓ ଏକ ଖାଲି କ୍ୟାମେରା ବ୍ୟାଗ୍ ପାଇଥିଲେ। କିନ୍ତୁ ମୁଖ୍ୟ କ୍ୟାମେରା ଓ ଲେନ୍ସ ମିଳିନଥିଲା। ଫଳରେ ଟ୍ରାକିଂ ମାଧ୍ୟମରେ ଚୋରଙ୍କ ପାଖକୁ ପହଞ୍ଚିବାର ଏକ ସମ୍ଭାବନା ଥିଲେ ମଧ୍ୟ ମହଙ୍ଗା ଉପକରଣ ଉଦ୍ଧାର ହୋଇପାରିନଥିଲା।

ଏହି ଘଟଣାକୁ ନେଇ ବାଗେଲ କହିଛନ୍ତି ଯେ, ତାଙ୍କର ସବୁଠାରୁ ବଡ଼ ନିରାଶା କେବଳ ଉପକରଣ ଚୋରି ହେବା ନୁହେଁ, ବରଂ ଚୋରି ହେବା ପରେ ମଧ୍ୟ ସାମଗ୍ରୀର ଲାଇଭ୍ ଲୋକେସନ୍ ମିଳିଥିବା ସତ୍ତ୍ୱେ ସେହି ସମୟରେ ତ୍ୱରିତ ସହାୟତା ମିଳିନଥିବାକୁ ସେମାନେ ଅଧିକ ନିରାଶ ବୋଲି କହିଛନ୍ତି। ତେବେ ଇଟାଲୀର ପୁଲିସ ବ୍ୟବସ୍ଥା ଓ ଆଇନଗତ ପ୍ରକ୍ରିୟା ସମ୍ପର୍କରେ ସେମାନେ ସମ୍ପୂର୍ଣ୍ଣ ଅବଗତ ନଥିବା କଥା ମଧ୍ୟ ସ୍ୱୀକାର କରିଛନ୍ତି।

ଘଟଣା ପରେ ସେମାନେ ଇଟାଲୀ, ଭାରତ ଏବଂ ବିଶ୍ୱର ଫଟୋଗ୍ରାଫି ସମୁଦାୟକୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି। ଚୋରି ହୋଇଥିବା କ୍ୟାମେରା ଓ ଲେନ୍ସ ବିକ୍ରି କିମ୍ବା ସର୍ଭିସ ସେଣ୍ଟରକୁ ନେଇଯାଇଲେ ତାହା ସମ୍ପର୍କରେ ସୂଚନା ଦେବାକୁ ମଧ୍ୟ ସେମାନେ ଆହ୍ୱାନ କରିଛନ୍ତି।

ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ମିଳିଛି। କେହି ପୁଲିସର ପ୍ରତିକ୍ରିୟାକୁ ସମାଲୋଚନା କରିଥିବା ବେଳେ ଆଉ କେହି ଏତେ ମୂଲ୍ୟବାନ ଉପକରଣ ଗାଡ଼ିରେ ଛାଡ଼ିଯିବା ନେଇ ଫଟୋଗ୍ରାଫରମାନଙ୍କୁ ସତର୍କ ରହିବାକୁ କହିଛନ୍ତି। ଫଟୋଗ୍ରାଫରମାନେ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହା ଇଟାଲୀକୁ ଦୋଷାରୋପ କରିବା ପାଇଁ ନୁହେଁ, ବରଂ ଅନ୍ୟ ଯାତ୍ରୀ ଓ ଫଟୋଗ୍ରାଫରଙ୍କୁ ସତର୍କ କରିବା ପାଇଁ ଅନୁଭୂତି ସେୟାର କରାଯାଇଛି।

ଏହି ଘଟଣା ବିଦେଶ ଯାତ୍ରା ସମୟରେ ଦାମୀ କ୍ୟାମେରା ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି। ଟ୍ରାକର୍ ଥିଲେ ମଧ୍ୟ ମହଙ୍ଗା ଉପକରଣକୁ ଗାଡ଼ି ଭିତରେ ଛାଡ଼ି ନଯିବା ଏବଂ ଯାତ୍ରା ସମୟରେ ସତର୍କ ରହିବା ହିଁ ଏଭଳି ଘଟଣାରୁ ବଞ୍ଚିବାର ମୁଖ୍ୟ ଶିକ୍ଷା ବୋଲି ମତ ପ୍ରକାଶ ପାଇଛି।