ନୂଆଦିଲ୍ଲୀ: ଆମେରିକାରେ ରହୁଥିବା ପ୍ରବାସୀ ବିଲିଅନେୟାରଙ୍କ ମଧ୍ୟରେ ଭାରତୀୟ ବଂଶୋଦ୍ଭବ ବ୍ୟବସାୟୀଙ୍କ ପତିଆରା ବଢ଼ିଛି। ୨୦୨୬ରେ ପ୍ରକାଶିତ ଫୋର୍ବସ୍ ତାଲିକା ଅନୁସାରେ, ଆମେରିକାରେ ରହୁଥିବା ସବୁଠାରୁ ଅଧିକ ବିଦେଶ ଜନ୍ମିତ ବିଲିଅନେୟାରଙ୍କ ଉତ୍ସ ଭାବେ ଭାରତ ଶୀର୍ଷରେ ରହିଛି। ତାଲିକାରେ ମୋଟ ୧୯ ଜଣ ଭାରତୀୟ ବଂଶୋଦ୍ଭବ ବ୍ୟବସାୟୀ ସ୍ଥାନ ପାଇଛନ୍ତି। ଏହା ପୂର୍ବରୁ ୨୦୨୫ ମସିହାରେ ପ୍ରକାଶ ପାଇଥିବା ତାଲିକାରେ ଆମେରିକାରେ ଥିବା ଭାରତ ଜନ୍ମିତ କୋଟିପତିଙ୍କ ସଂଖ୍ୟା ଥିଲା ୧୨ ଜଣ। ସେତେବେଳେ ଏହା ଅନ୍ୟ ବିଦେଶୀ ରାଷ୍ଟ୍ର ଠାରୁ ସର୍ବାଧିକ ଥିଲା।

ଚଳିତ ବର୍ଷ ଏହି ତାଲିକାରେ ୭ ଜଣ ନୂଆ ଭାରତୀୟ-ଆମେରିକୀୟ ବିଲିଅନେୟାର ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଭେଞ୍ଚର କ୍ୟାପିଟାଲିଷ୍ଟ ହେମନ୍ତ ତନେଜା, ପାଲାଣ୍ଟିରର ଚିଫ୍ ଟେକ୍ନୋଲୋଜି ଅଫିସର ଶ୍ୟାମ ସଙ୍କର ଏବଂ ସେମିକଣ୍ଡକ୍ଟର କମ୍ପାନୀ (ଆଷ୍ଟେରା ଲ୍ୟାବ୍ସ ) Astera Labsର ପ୍ରତିଷ୍ଠାତା ସଂଞ୍ଜୟ ଗଜେନ୍ଦ୍ର ଏବଂ ଜିତେନ୍ଦ୍ର ମୋହନ ରହିଛନ୍ତି। ଭାରତ ପରେ ଆମେରିକାରେ ଇସ୍ରାଏଲ, ତାଇୱାନ ଓ ଚୀନ୍ ଜନ୍ମିତ କୋଟିପତିଙ୍କ ସଂଖ୍ୟା ଅଧିକ ରହିଛି। ତେବେ ଆମେରିକାର ବ୍ୟବସାୟ ଓ ଟେକ୍ନୋଲୋଜୀ କ୍ଷେତ୍ରରେ ଭାରତୀୟ ପ୍ରବାସୀଙ୍କ ବଢ଼ୁଥିବା ପ୍ରଭାବର ଚିତ୍ର ସାମ୍ନାକୁ ଆସିଛି।

Also Read- India Gold Imports: ସୁନା କିଣା କମାଇବାକୁ ମୋଦିଙ୍କ ଅପିଲ୍ର ପ୍ରଭାବ, ମେ’ ପରେ କମିଛି ଭାରତର ସୁନା ଆମଦାନୀ

ବିନୋଦ ଖୋସଲା ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ବିଲିଅନେୟାର

ତାଲିକାରେ ଭାରତୀୟ ବଂଶୋଦ୍ଭବ ବିଲିଅନେୟାରଙ୍କ ମଧ୍ୟରେ Sun Microsystemsର ପ୍ରତିଷ୍ଠାତା ବିନୋଦ ଖୋସଲା ସବୁଠାରୁ ଧନୀ। ଫୋର୍ବ୍ସ ଅନୁସାରେ ତାଙ୍କର ଆନୁମାନିକ ସମ୍ପତ୍ତି ପରିମାଣ ୧୩.୯ ବିଲିୟନ ଡଲାର। ସେ ଆମେରିକାର ୧୩ତମ ଧନୀ ପ୍ରବାସୀ ବିଲିଅନେୟାର ଭାବେ ସ୍ଥାନ ପାଇଛନ୍ତି। ଏହି ତାଲିକାର ଶୀର୍ଷରେ ଟେସ୍ଲା ପ୍ରତିଷ୍ଠାତା ଏଲନ୍ ମସ୍କ ରହିଥିବାବେଳେ, ଗୁଗଲର ସହ-ପ୍ରତିଷ୍ଠାତା ସର୍ଗେ ବ୍ରିନ୍ ମଧ୍ୟ ଶୀର୍ଷ ଧନୀ ପ୍ରବାସୀଙ୍କ ମଧ୍ୟରେ ରହିଛନ୍ତି।

କାଏମ ରହିଛି ସତ୍ୟ ନାଡେଲା ଓ ସୁନ୍ଦର ପିଚାଇଙ୍କ ସ୍ଥାନ

ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରେ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା ଏବଂ ଆଲଫାବେଟର ସଇଓ ସୁନ୍ଦର ପିଚାଇ ମଧ୍ୟ ଏହି ତାଲିକାରେ ନିଜ ସ୍ଥାନ ବଜାୟ ରଖିଛନ୍ତି। ଏହାସହ ଜେଡସ୍କେଲର୍ର ସଇଓ ଜୟ ଚୌଧୁରୀ, ଇଣ୍ଡିଗୋ ଏୟାର ଲାଇନ୍ସର ସହ-ପ୍ରତିଷ୍ଠାତା ରାକେଶ ଗାଙ୍ଗୱାଲ ଏବଂ ସଫ୍ଟୱେର ଉଦ୍ୟୋଗପତି ରୋମେଶ ୱାଧୱାନୀ ମଧ୍ୟ ଆମେରିକାର ଶୀର୍ଷ ୧୦୦ ଧନୀ ପ୍ରବାସୀ ଉଦ୍ୟୋଗପତିଙ୍କ ତାଲିକାରେ ରହିଛନ୍ତି।

ଏଆଇ ବୁମ୍ରୁ ହେମନ୍ତ ତନେଜାଙ୍କ ସମ୍ପତ୍ତି ବୃଦ୍ଧି

୨୦୨୬ରେ ତାଲିକାରେ ନୂଆ କରି ସାମିଲ ହୋଇଥିବା ଭାରତୀୟ ବଂଶୋଦ୍ଭବ ବିଲିଅନେୟାରମାନଙ୍କ ମଧ୍ୟରୁ ଅଧିକାଂଶ ଟେକ୍ନୋଲୋଜୀ କ୍ଷେତ୍ରରୁ ଆସିଛନ୍ତି। ଭେଞ୍ଚର କ୍ୟାପିଟାଲ୍ ଫାର୍ମ ଜେନେରାଲ କାଟାଲିଷ୍ଟର ନେତୃତ୍ୱ ନେଉଥିବା ହେମନ୍ତ ତନେଜାଙ୍କ ସମ୍ପତ୍ତି ପରିମାଣ ପ୍ରାୟ ୩.୬ ବିଲିୟନ ଡଲାରରେ ପହଞ୍ଚିଛି। କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ କ୍ଷେତ୍ରରେ ହୋଇଥିବା ବଡ଼ ବଡ଼ ନିବେଶରୁ ତାଙ୍କ ସମ୍ପତ୍ତି ବୃଦ୍ଧି ପାଇଥିବା କୁହାଯାଇଛି। ତାଙ୍କ ଫାର୍ମ ଆନ୍ଥ୍ରୋପିକ୍ ଭଳି ପ୍ରମୁଖ ଏଆଇ କମ୍ପାନୀରେ ମଧ୍ୟ ନିବେଶ କରିଛି। ପାଲାଣ୍ଟିରର ଚିଫ୍ ଟେକ୍ନୋଲୋଜି ଅଫିସର ଶ୍ୟାମ ସଙ୍କର ମଧ୍ୟ ପ୍ରଥମ ଥର ପାଇଁ ଏହି ତାଲିକାରେ ସ୍ଥାନ ପାଇଛନ୍ତି।

ପାକିସ୍ତାନ ଜନ୍ମିତ ଶାହିଦ ଖାନ୍ ମଧ୍ୟ ତାଲିକାରେ

ଏହି ତାଲିକାରେ ପାକିସ୍ତାନ ଜନ୍ମିତ ବ୍ୟବସାୟୀ ଶାହିଦ ଖାନ୍ ମଧ୍ୟ ୧୨ତମ ସ୍ଥାନରେ ରହିଛନ୍ତି। ତାଙ୍କ ଆନୁମାନିକ ସମ୍ପତ୍ତି ପରିମାଣ ୧୪.୯ ବିଲିୟନ ଡଲାର। ଆମେରିକାର ଏନଏଫ୍ଏଲ୍ ଟିମ୍ ଜ୍ୟାକସନଭିଲ୍ ଜାଗୁଆର୍ସ (Jacksonville Jaguars) ଏବଂ ଇଂଲଣ୍ଡର ପ୍ରିମିୟର ଲିଗ୍ କ୍ଲବ୍ ଫୁଲହାମ ଏଫ୍.ସି.ର ମାଲିକାନାରୁ ତାଙ୍କ ସମ୍ପତ୍ତିର ବଡ଼ ଅଂଶ ଆସିଛି।

୨୦୨୬ରେ ରେକର୍ଡ ୧୪୪ ପ୍ରବାସୀ ବିଲିଅନେୟାର

ଫୋର୍ବ୍ସର ତଥ୍ୟ ଅନୁସାରେ, ୨୦୨୬ରେ ଆମେରିକାର ଧନୀ ପ୍ରବାସୀ ବିଲିଅନେୟାରଙ୍କ ସଂଖ୍ୟା ୧୪୪ର ରେକର୍ଡ ସ୍ତରରେ ପହଞ୍ଚିଛି। ଏମାନଙ୍କ ମଧ୍ୟରେ ଭାରତ ଜନ୍ମିତ ବିଲେନିୟରଙ୍କ ସଂଖ୍ୟା ସର୍ବାଧିକ ରହିଥିବା ବେଳେ ୪୫ଟି ଦେଶର ଧନୀ ବଂଶୋଦ୍ଭବ ଆମେରିକାକୁ ସମୃଦ୍ଧ କରିଛନ୍ତି। ଏମାନଙ୍କର ମିଳିତ ସମ୍ପତ୍ତି ପ୍ରାୟ ୨.୨ ଟ୍ରିଲିୟନ ଡଲାର।

ଗତବର୍ଷ ୨୦୨୫ରେ ୧୨୫ ଜଣ ପ୍ରବାସୀ ବିଲିଅନେୟାରଙ୍କ ମୋଟ ସମ୍ପତ୍ତି ପ୍ରାୟ ୧.୩ ଟ୍ରିଲିୟନ ଡଲାର ଥିଲା। ଏହି ତଥ୍ୟ ଆମେରିକାରେ ଭାରତୀୟ ବଂଶୋଦ୍ଭବ ଉଦ୍ୟୋଗପତିଙ୍କ ବଢ଼ୁଥିବା ଆର୍ଥିକ ପ୍ରଭାବ ସହିତ ଟେକ୍ନୋଲୋଜୀ, ଏଆଇ, ସଫ୍ଟୱେର ଓ ନିବେଶ କ୍ଷେତ୍ରରେ ସେମାନଙ୍କ ଦୃଢ଼ ଉପସ୍ଥିତିକୁ ମଧ୍ୟ ପ୍ରତିଫଳିତ କରୁଛି।

Also Read- ଶୁକ୍ରବାର ମୋଦି–ପୁଟିନ ଦ୍ୱିପାକ୍ଷିକ ବୈଠକ: ପଞ୍ଚମ ପିଢିର Su-57 ଷ୍ଟେଲ୍ଥ, ଫାଇଟର୍ ଜେଟ୍, ପରମାଣୁ ସହଯୋଗ ଓ ଆମେରିକା ପ୍ରତିବନ୍ଧକ ଉପରେ ହେବ ଆଲୋଚନା

ଆଷ୍ଟେରା ଲ୍ୟାବ୍ସ ସହ ପାଉଣ୍ଡର ଜିତେନ୍ଦ୍ର ମୋହନ

ଜିତେନ୍ଦ୍ର ମୋହନ ଫୋର୍ବ୍ସକୁ ପ୍ରତିକ୍ରିୟା ଦେଇ କହିଛନ୍ତି “ ମୁଁ ଭାରତରେ ମୋର ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲି, ଏବଂ ମୁଁ ଏଠାକୁ ମୋର ମାଷ୍ଟର କରିବାକୁ ଆସିଥିଲି, ଏବଂ ମୋର ଯୋଜନା ପ୍ରକୃତରେ ଥିଲା ଆମେରିକା ଆସି ମୋର ଡିଗ୍ରୀ ହାସଲ କରିବି, ହୁଏତ ପାଞ୍ଚ ବର୍ଷ ପାଇଁ ଚାକିରି କରି ଫେରିଯିବି। କିନ୍ତୁ ଶେଷ କଥାଟି ବ୍ୟତୀତ ସବୁକିଛି ଯୋଜନା ଅନୁଯାୟୀ ହେଲା। ଏଥିପାଇଁ ମୁଁ ଏଠାରେ ୩୨ ବର୍ଷ ହେଲାଣି ରହିଗଲିଣି।"

ସେହିପରି ଆଉ ଜଣେ ସହସଂସ୍ଥାପକ ଗଜେନ୍ଦ୍ର କହିଛନ୍ତି “ମୋର ଆମେରିକା ଆସିବା ଏକ ବଡ଼ ସ୍ୱପ୍ନର ଯାତ୍ରା ଥିଲା। ମୋ ପାଇଁ,ଏହା ସବୁବେଳେ ମୋର ନିଜର ଏକ କମ୍ପାନୀ ଆରମ୍ଭ କରିବା କାମ ଥିଲା।” ଭାଇବ କୋର୍ଡିଂ ଷ୍ଟାର୍ଟ ଅପ୍ ରେପ୍ଲିଟର ପ୍ରତିଷ୍ଠାତା ଜୋର୍ଜାନ ଜନ୍ମିତି ଆମେରିକୀୟ ବିଲେନିୟର ଅମଦାଜ ମସାଦ କହିଛନ୍ତି "ଆମେରିକା ଏବେ ବି ବହୁତ ସୁଯୋଗ ପ୍ରଦାନ କରେ, ଏହା ସବୁଠାରୁ ଗତିଶୀଳ ବଜାର ଏବଂ ଅଭିନବ ସ୍ଥାନଗୁଡ଼ିକ ମଧ୍ୟରୁ ଗୋଟିଏ"

ଭାରତ ପରେ ଇସ୍ରାଏଲ୍ ତାଇୱାନ ଚାଇନା

ଆମେରିକାରେ ବିଦେଶୀ ବଂଶୋଦ୍ଭବ ସର୍ବାଧିକ ପ୍ରବାସୀ କୋଟିପତିଙ୍କ ତାଲିକାରେ ଭାରତ ପରେ ଇସ୍ରାଏଲ ଏବଂ ତାଇୱାନ ଦ୍ୱିତୀୟ ସ୍ଥାନରେ ଅଛନ୍ତି, ଏହି ଦୁଇ ଦେଶରେ ଜନ୍ମିତ ୧୧ ଜଣ ଲେଖାଏ ବିଲେନିୟର ଆମେରିକୀୟ ଧନୀ ତାଲିକାରେ ସାମିଲ ହୋଇଛନ୍ତି। ତାଙ୍କ ପଛକୁ ଚୀନ୍ (୯), କାନାଡା (୮), ଇରାନ (୭), ଜର୍ମାନୀ (୬), ଫ୍ରାନ୍ସ (୫) ୟୁକେ (୫) ସ୍ଥାନ ପାଇଛି।

ତେବେ ଆଶ୍ଚର୍ଯ୍ୟଜର କଥା ହେଉଛି, ଯଦିଓ ଭାରତରେ ଜନ୍ମିତ ୧୯ ଜଣ ପ୍ରବାସୀ କୋଟିପତି ଅଛନ୍ତି, ତେବେ କେହି ଶ୍ରେଷ୍ଠ ଦଶ ଜଣ ଧନୀଙ୍କ ମଧ୍ୟରେ ନାହାନ୍ତି। ଫୋବର୍ସ ଅନୁଯାୟୀ, ୨୦୨୬ ମସିହାରେ ଆମେରିକାର ଶ୍ରେଷ୍ଠ ଦଶ ପ୍ରବାସୀ କୋଟିପତି ହେଉଛନ୍ତି ଏଲୋନ ମସ୍କ, ଗୁଗୁଲ୍ ସହ-ପ୍ରତିଷ୍ଠାତା ସେର୍ଗେଇ ବ୍ରିନ୍, ଏନଭିଡିଆ ସହ-ପ୍ରତିଷ୍ଠାତା ଜେନସେନ୍ ହୁଆଙ୍ଗ, ଥମାସ ପିଟରଫି, ମିରିୟମ୍ ଆଡେଲସନ୍ ଏବଂ ତାଙ୍କ ପରିବାର, ଡେଭିଡ୍ ସନ୍, ଜନ୍ ଟୁ, ପିଟର ଥିଏଲ୍, ରୁପର୍ଟ ମର୍ଡୋକ୍ ଏବଂ ପରିବାର ଏବଂ ଆଡାମ ଫୋରୋଫି। ଫୋବର୍ସ ଅନୁଯାୟୀ, ଶ୍ରେଷ୍ଠ ତିନି ଜଣ: ମସ୍କ, ବ୍ରିନ୍ ଏବଂ ହୁଆଙ୍ଗ୍ ମିଳିତ ଭାବରେ ମୋଟ ପ୍ରବାସୀ କୋଟିପତିଙ୍କ ସମ୍ପତ୍ତିର ୬୦% ରୁ ଅଧିକ ଅଂଶୀଦାର।