ନୂଆଦିଲ୍ଲୀ: ଭାରତରେ ଆୟୋଜିତ ହେବାକୁ ଯାଉଥିବା ୧୮ତମ ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୧୨ ସେପ୍ଟେମ୍ବର (ଶୁକ୍ରବାର) ଦ୍ୱିପାକ୍ଷିକ ବୈଠକ କରିବେ। ଏନେଇ କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସ୍କୋଭ ସୂଚନା ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ, ଆର୍ଥିକ ସହଯୋଗ, ଉର୍ଜା, ପରମାଣୁ ଶକ୍ତି ଏବଂ ପ୍ରତିରକ୍ଷା ଭଳି ପ୍ରମୁଖ ପ୍ରସଙ୍ଗ ଆଲୋଚନାର କେନ୍ଦ୍ର ବିନ୍ଦୁ ହେବ ବୋଲି ସେ କହିଛନ୍ତି।

ସେପ୍ଟେମ୍ବର ୧୨, ୧୩ ତାରିଖରେ ନୂଆଦିଲ୍ଲୀରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିପାଇଁ ରାଷ୍ଟ୍ରପତି ପୁଟିନ ଭାରତ ଗସ୍ତରେ ଆସୁଛନ୍ତି। ପେସ୍କୋଭ କହିଛନ୍ତି ଯେ, ମୋଦି ଓ ପୁଟିନଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ ଓ ବ୍ୟବହାରିକ। ଉଭୟ ନେତା ସଂବେଦନଶୀଳ ବିଷୟ ଉପରେ ମଧ୍ୟ ଖୋଲା ଓ ଗଠନମୂଳକ ଭାବେ ଆଲୋଚନା କରିପାରନ୍ତି, ଯାହା ଦ୍ୱିପାକ୍ଷିକ ସହଯୋଗକୁ ନୂଆ ଦିଗ ଦେବ ବୋଲି ପେସ୍କୋଭ କହିଛନ୍ତି।

ୟୁକ୍ରେନ୍ ପ୍ରସଙ୍ଗରେ ଭାରତର ଭୂମିକାକୁ ସ୍ୱାଗତ

ଏଥିସହିତ ୟୁକ୍ରେନ୍ ସହିତ ଲାଗିଥିବା ଯୁଦ୍ଧ ରୋକିବାକୁ ଭାରତର ମଧ୍ୟସ୍ଥତା ପ୍ରସ୍ତାବକୁ ମଧ୍ୟ କ୍ରେମ୍ଲିନ୍ ସ୍ୱାଗତ କରିଛି, ଏନେଇ ପେସ୍କୋଭ କହିଛନ୍ତି ଯେ, ଆଲୋଚନା ଓ କୂଟନୀତି ମାଧ୍ୟମରେ ସମାଧାନ ଖୋଜିବାରେ ଭାରତର ପ୍ରୟାସକୁ ରୁଷ ସକାରାତ୍ମକ ଭାବେ ଦେଖୁଛି। ତେଣୁ ଭାରତର ଏହି ପ୍ରସ୍ତାବକୁ ଋଷ ସ୍ୱାଗତ କରୁଛି ବୋଲି ସେ କହିଛନ୍ତି।

ସେହିପରି ଭାରତରେ ନୂଆ ପରମାଣୁ ଶକ୍ତି କେନ୍ଦ୍ର ସ୍ଥାପନ ପାଇଁ ଦୁଇ ଦେଶ ମଧ୍ୟରେ ଆଲୋଚନାକୁ ଆଗେଇ ନେବାକୁ ମସ୍କୋ ଚାହୁଁଛି। ଏଥିସହିତ ଭାରତକୁ ପଞ୍ଚମ ପିଢିର Su-57 ଷ୍ଟେଲ୍ଥ ଫାଇଟର୍ ଜେଟ୍ ବିକ୍ର ପ୍ରସଙ୍ଗରେ ମଧ୍ୟ ଦ୍ୱିପାକ୍ଷିକ ବୈଠକର ଆଲୋଚନା ହୋଇପାରେ ବୋଲି ପେସ୍କୋଭ ସୂଚନା ଦେଇଛନ୍ତି।

Also Read- ନିର୍ବାଚନରେ ହାରିଯିବେ ନେତନ୍ୟାହୁ ! ଚିନ୍ତା ବଢାଇଲା ସର୍ଭେ ରିପୋର୍ଟ

ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ କରେନ୍ସି କାରବାର ନେଇ ମଧ୍ୟ ପେସ୍କୋଭ ସୂଚନା ଦେଇଛନ୍ତି। ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ଆର୍ଥିକ ସହଯୋଗ ବର୍ତ୍ତମାନ ବହୁତ ଗୁରୁତ୍ୱପୂର୍ଣ୍ଣ। ରୁଷର ପ୍ରାୟ ୯୦ ପ୍ରତିଶତ ବ୍ରିକ୍ସ କାରବାର ବର୍ତ୍ତମାନ ଜାତୀୟ ମୁଦ୍ରାରେ ହେଉଛି। ସେ ସ୍ପଷ୍ଟ କରିଛନ୍ତି ଯେ, ଏହାର ଉଦ୍ଦେଶ୍ୟ ଡଲାର ବିରୋଧୀ ନୀତି ନୁହେଁ, ବରଂ କିଛି ଦେଶ ନିଜ ମୁଦ୍ରାକୁ ରାଜନୈତିକ ଚାପ ଓ ପ୍ରତିବନ୍ଧକର ଅସ୍ତ୍ର ଭାବେ ବ୍ୟବହାର କରୁଥିବାରୁ ବିକଳ୍ପ ଦେୟ ବ୍ୟବସ୍ଥା ଗଢ଼ିବା ଆବଶ୍ୟକ ବୋଲି ସେ କହିଛନ୍ତି।

୨୦୨୬ରେ ଭାରତର ବ୍ରିକ୍ସ ଅଧ୍ୟକ୍ଷତାର ଥିମ୍ ହେଉଛି “Building for Resilience, Innovation, Cooperation and Sustainability”। ଏହି ଥିମ୍ ଅନୁଯାୟୀ ଭାରତ ବ୍ରିକ୍ସକୁ କେବଳ ରାଜନୈତିକ ମଞ୍ଚରେ ସୀମିତ ରଖିବା ପରିବର୍ତ୍ତେ ବାଣିଜ୍ୟ, କୃଷି, ସ୍ୱାସ୍ଥ୍ୟ, ଉର୍ଜା, ଡିଜିଟାଲ ପ୍ରଯୁକ୍ତି, ସହର ବିକାଶ, ଷ୍ଟାର୍ଟଅପ୍, କ୍ଷୁଦ୍ର ଉଦ୍ୟମ, ଜଳବାୟୁ ପରିବର୍ତ୍ତନ ଓ ସାଂସ୍କୃତିକ ଆଦାନପ୍ରଦାନ ଭଳି କ୍ଷେତ୍ରରେ ବ୍ୟବହାରିକ ସହଯୋଗକୁ ପ୍ରାଥମିକତା ଦେଉଛି।

ବ୍ରିକ୍ସର ଆରମ୍ଭ ୨୦୦୬ରେ ବ୍ରାଜିଲ୍, ରୁଷ, ଭାରତ ଓ ଚୀନକୁ ନେଇ BRIC ଭାବେ ହୋଇଥିଲା। ୨୦୧୧ରେ ଦକ୍ଷିଣ ଆଫ୍ରିକା ଯୋଗଦେବା ପରେ ଏହା BRICS ରୂପ ନେଇଥିଲା। ବର୍ତ୍ତମାନ ଏହି ଗୋଷ୍ଠୀ ବିଶ୍ୱର ଉଦୀୟମାନ ଅର୍ଥନୀତିମାନଙ୍କର ଏକ ପ୍ରଭାବଶାଳୀ ମଞ୍ଚ ଭାବେ ଉଭା ହୋଇଛି।