ନୂଆଦିଲ୍ଲୀ ୨୨।୦୫: ପୁଣିଥରେ ଆମେରିକାରେ ବଡ଼ ବଡ଼ କମ୍ପାନିଗୁଡ଼ିକ ଦ୍ୱାରା ଆରମ୍ଭ ହୋଇଯାଇଛି ଗଣ ଛଟେଇ ଅଭିଯାନ । ଆମାଜନ, ମେଟା, ଓରାକଲ ସମେତ ଅନେକ କମ୍ପାନିରେ ହଜାର ହଜାର ଲୋକଙ୍କ ଚାକିରି ଚାଲିଗଲାଣି। ଟେକ୍ କମ୍ପାନିଗୁଡ଼ିକରେ ଛଟେଇର ଶିକାର ଏଚ୍-୧ବି କର୍ମଚାରୀ ବି ହୋଇଛନ୍ତି, ଯେଉଁଥିରେ ବହୁ ସଂଖ୍ୟାରେ ଭାରତୀୟ ସାମିଲ ଅଛନ୍ତି । ଅନୁମାନ କରାଯାଉଛି ଏଥିରେ କିଛି ଛାତ୍ରଛାତ୍ରୀ ବି ରହିଛନ୍ତି, ଯେଉଁମାନେ ଏଚ୍୧ବି ଭିଜାରେ ନିଯୁକ୍ତି ପାଇଥିଲେ । ଏହି ଛଟେଇ ଯୋଗୁ ଭୟଭୀତ ଅବସ୍ଥାରେ ଅଛନ୍ତି ଭାରତୀୟ ଏଚ୍୧ବି କର୍ମଚାରୀ ।

କଥା ହେଉଛି ଛଟେଇର ଏହି ଧାରା ଯୋଗୁ ଏଚ୍୧ବି କର୍ମଚାରୀଙ୍କ ଇମିଗ୍ରେସନ ଷ୍ଟାଟସ୍ ବିପଦରେ । ଏବେ ସେମାନଙ୍କ ଉପରେ ୬୦ ଦିନର ଗ୍ରେସ୍ ପିରିୟଡ ନିୟମ ଲାଗୁ ହୋଇଯାଇଛି । ଅର୍ଥାତ୍ ୬୦ ଦିନରେ ନୂଆ ଚାକିରି ଖୋଜିବେ, ନହେଲେ ଆମେରିକା ଛାଡ଼ିବେ । ତେବେ ପ୍ରଭାବିତ ଭାରତୀୟ କର୍ମଚାରୀଙ୍କୁ ଇମିଗ୍ରେସନ ଓକିଲମାନେ ପରାମର୍ଶ ଦେଇଛନ୍ତି ଯେ, ସେମାନେ ନିଜର ଷ୍ଟାଟସ୍ରେ ତୁରନ୍ତ ପରିବର୍ତ୍ତନ କରନ୍ତୁ । ପରାମର୍ଶ ଦିଆଯାଇଛି ଯେ, ସେମାନେ ବି-୨ ଭିଜିଟର ଭିଜାକୁ ସ୍ଥାନାନ୍ତର ହୋଇପାରିବେ । ଏହାଦ୍ୱାରା ସେମାନଙ୍କୁ ଆମେରିକାରେ ରହିବା ପାଇଁ ଆଇନ ଅନୁସାରେ ମଞ୍ଜୁରି ମିଳିଯିବ ଏବଂ ଏହି ସମୟ ମଧ୍ୟରେ ସେମାନେ ନୂଆ ଚାକିରି ବି ଖୋଜିପାରିବେ ।

Also Read- ​​​​​​​Donald Trump: ପୁଅ ବାହାଘରକୁ ଯିବେ ଡୋନାଲ୍ଡ ଟ୍ରମ୍ପ, ସାମ୍ଵାଦିକ ସମ୍ମଳନୀ କାହିଁକି କହିଲେ ଏମିତି ?

 

ନିୟମ ଅନୁସାରେ ଏଚ୍୧ବି ଭିଜାଧାରୀ କର୍ମଚାରୀଙ୍କୁ ଆମେରିକାରେ ଉକ୍ତ ସମୟ ପର୍ଯ୍ୟନ୍ତ ରହିବାକୁ ଅନୁମତି ମିଳିଥାଏ ଯେଉଁ ପର୍ଯ୍ୟନ୍ତ ସେମାନେ ସେଠାରେ ଚାକିରି କରୁଥିବେ। ଚାକିରି ଚାଲିଯିବା ପରେ ସେମାନଙ୍କ ପାଇଁ ଗ୍ରେସ୍ ପିରିୟଡ ନିୟମ ଲାଗୁ ହୋଇଯାଏ । ଏହି ଅବଧି ମଧ୍ୟରେ ସେମାନଙ୍କୁ ନୂଆ କମ୍ପାନି ଖୋଜିବାକୁ ପଡ଼ିବ, ଯେଉଁ କମ୍ପାନି ଭିଜା ସ୍ପନ୍ସରଶିପ୍ ପାଇଁ ରାଜି ଥିବ । ଯଦି ଏହା ନ ହୁଏ ତେବେ କର୍ମଚାରୀଙ୍କୁ ୬୦ ଦିନ ମଧ୍ୟରେ ଦେଶ ଛାଡ଼ିବାକୁ ପଡ଼ିବ ।

ତେବେ ଗ୍ରେସ୍ ପିରିୟଡ୍ ନିୟମ କର୍ମଚାରୀଙ୍କ ଅଡୁଆ ବଢ଼ାଇଦେଇଛି । କାରଣ ଏବେ କର୍ମଚାରୀଙ୍କୁ ଆମେରିକା ଛାଡ଼ିବାର ଡର ମାଡ଼ି ଆସିଲାଣି । ଏହି ନିୟମରେ ସ୍ପଷ୍ଟ କୁହାଯାଇଛି ଯେ, ଯଦି କୌଣସି କର୍ମଚାରୀଙ୍କୁ ୬୦ ଦିନ ମଧ୍ୟରେ ଚାକିରି ନ ମିଳେ ତେବେ ତାଙ୍କୁ ତୁରନ୍ତ ଦେଶ ଛାଡ଼ିବାକୁ ପଡ଼ିବ । ଯଦି ଦେଶ ନ ଛାଡ଼ନ୍ତି ତେବେ ଉକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ।