ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ପ୍ରଭାବିତ ହୋଇଛି ଘରୋଇ ରନ୍ଧନ ଗ୍ୟାସ ଯୋଗାଣ। ଭାରତ ସମେତ ଅନେକ ଦେଶଙ୍କୁ ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି। ଅବଶ୍ୟ ଏଥିରୁ ବାହାରିବାକୁ ପ୍ରୟାସ ଆରମ୍ଭ କରିଦେଇଛି ଭାରତ। ଏହିକ୍ରମରେ ଇନ୍ଧନ ଗ୍ୟାସ ଅଭାବକୁ ଏଡ଼ାଇବା ପାଇଁ ଜରୁରୀକାଳୀନ କ୍ଷମତା ବ୍ୟବହାର କରି ଭାରତ ସରକାର ତୈଳ ବିଶୋଧନାଗାରଗୁଡ଼ିକୁ ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଉତ୍ପାଦନ ବୃଦ୍ଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଥାଉକି, ଭାରତ ବିଶ୍ବର ଦ୍ବିତୀୟ ସର୍ବବୃହତ ଏଲପିଜି ଆମଦାନୀକାରୀ ଦେଶ। ଗତ ବର୍ଷ ପ୍ରାୟ ୩୩.୧୫ ମିଲିୟନ ମେଟ୍ରିକ୍ ଟନ୍ ରନ୍ଧନ ଗ୍ୟାସ୍ ବ୍ୟବହାର ହୋଇଥିଲ। ଦେଶର ମୋଟ ଏଲପିଜି ଆବଶ୍ୟକତାର ପ୍ରାୟ ଦୁଇ- ତୃତୀୟାଂଶ ଆମଦାନୀ ମାଧ୍ୟମରେ ପୂରଣ କରାଯାଏ। ଏହି ଯୋଗାଣର ପ୍ରାୟ ୮୫-୯୦% ମଧ୍ୟପ୍ରାଚ୍ୟରୁ ଆସିଥାଏ।

ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ଗ୍ୟାସ ମୁଖ୍ୟତଃ ସରକାରୀ ତେଲ କମ୍ପାନୀ ଯଥା, ଇଣ୍ଡିଆନ ଅଏଲ୍ କର୍ପୋରେସନ, ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ ଏବଂ ଭାରତ ପେଟ୍ରୋଲିୟମ୍ କର୍ପୋରେସନକୁ ଯୋଗାଇ ଦିଆଯିବା ଉଚିତ। ଯେଉଁମାନେ ଏହାକୁ ଘରୋଇ ଗ୍ରାହକମାନଙ୍କୁ ଯୋଗାଇବେ। ସରକାରୀ ତଥ୍ୟ ଅନୁଯାୟୀ, ଦେଶରେ ପ୍ରାୟ ୩୩.୨ କୋଟି ସକ୍ରିୟ ଏଲପିଜି ଗ୍ରାହକ ଅଛନ୍ତି।

ଆମେରିକାରୁ ଭାରତକୁ ଏଲପିଜି ଆମଦାନୀ ଜାନୁଆରୀ ମାସରୁ ଆରମ୍ଭ ହୋଇଛି। ଭାରତୀୟ ସରକାରୀ କ୍ଷେତ୍ରର ତୈଳ କମ୍ପାନୀଗୁଡ଼ିକ ୨୦୨୬ ଚୁକ୍ତିନାମା ବର୍ଷ ପାଇଁ ଆମେରିକା ଗଲ୍ଫ କୋଷ୍ଟରୁ ପ୍ରତିବର୍ଷ ପ୍ରାୟ ୨.୨ ମେଟ୍ରିକ୍ ଟନ୍ ଏଲପିଜି ଆମଦାନୀ କରିବା ପାଇଁ ନଭେମ୍ବର ୨୦୨୫ରେ ଏକ ବର୍ଷ ପାଇଁ ଚୁକ୍ତି ସ୍ୱାକ୍ଷର କରିଥିଲେ।

ଏହା ସହ ସରକାର ସରକାର ରିଫାଇନାରୀଗୁଡ଼ିକୁ ପ୍ରୋପେନ ଏବଂ ବ୍ୟୁଟେନକୁ ଫେରାଇ ଆଣିବା ଏବଂ ଏଲପିଜି ଉତ୍ପାଦନ ପାଇଁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବିଶେଷଜ୍ଞଙ୍କ ଅନୁସାରେ, ପ୍ରୋପେନ ଏବଂ ବ୍ୟୁଟେନକୁ ଏଲପିଜି ପାଇଁ ବ୍ୟବହାର କରିବା ପେଟ୍ରୋକେମିକାଲ କମ୍ପାନୀଗୁଡ଼ିକର ଲାଭକୁ ପ୍ରଭାବିତ କରିପାରେ। କାରଣ ପଲିପ୍ରପିଲିନ ଏବଂ ଆଲକାଇଲେଟ ଭଳି ଉତ୍ପାଦଗୁଡ଼ିକ ଏଲପିଜି ଅପେକ୍ଷା ଅଧିକ।