ଭୁବନେଶ୍ଵର,୦୧/୦୫: କୁଆଡ଼େ କିଛି ନଥିଲା। ଦିନରେ ଖରାଟିଆ ପାଗ । ସନ୍ଧ୍ୟା ସନ୍ଧ୍ୟା ବେଳକୁ ମାଡ଼ି ଆସିଲା କଳା କଳାହାଣ୍ଡିଆ ମେଘ। ଘଣ୍ଟାଏରୁ ଅଧିକ ସମୟ ଧରି ନିର୍ଧୂମ ବର୍ଷିଲା । କମିଗଲା ସିନା ପୁଣି ରାତିକୁ ଆସିଲା ଝଡବର୍ଷା। ଏହାର କାରଣ ଥିଲା ଓଡ଼ିଶାକୁ ଆସିଥିଲା ବିଶାଳ ବାରିବାହ।

ଦକ୍ଷିଣ ଓଡ଼ିଶାରୁ ବିହାର ପର୍ଯ୍ୟନ୍ତ ୭୫୦ କିମି ଲମ୍ବା ମେଘ ବଳୟ ଉପକୂଳ ଆଡ଼କୁ ମାଡ଼ିଆସିଥିଲା। ପ୍ରଥମେ ଆଭ୍ୟନ୍ତରୀଣ ଓଡ଼ିଶା-ପଶ୍ଚିମରେ କୋପ ଦେଖାଇଥିଲା। ପରେ ଉତ୍ତର ଓଡ଼ିଶା ସମଗ୍ର ଉପକୂଳକୁ ପ୍ରଭାବିତ କରିଥିଲା। ରାତି ସାରା ଝଡ଼ ବର୍ଷା ସହ ବିଜୁଳି ଘଡ଼ଘଡି ଲାଗିରହିଥିଲା।

ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, କାଳବୈଶାଖୀ ଯୋଗୁଁ ବର୍ତ୍ତମାନ ଓଡ଼ିଶାରେ ଗ୍ରୀଷ୍ମ ପ୍ରଭାବ ରହିବନି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗରମ ସହ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିବ। ଯାହାକି ପରବର୍ତ୍ତୀ ୫-୬ ଦିନ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବାର ସମ୍ଭାବନା ରହିଛି ।

ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇପାରେ । ଆଜି ପାଇଁ ୨୩ ଜିଲ୍ଲାକୁ ଝଡ଼ ବର୍ଷା ନେଇ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।