ବେଙ୍ଗାଲୁରୁ: ଶିବାଜୀନଗରସ୍ଥିତ ବୋୱରିଂ ଆଣ୍ଡ ଲେଡି କର୍ଜନ ହସ୍ପିଟାଲର ପାଚେରୀ କାନ୍ଥ ବୁଧବାର ସନ୍ଧ୍ୟାରେ ଭୀଷଣ ବର୍ଷା ଯୋଗୁ ଭୁଷୁଡି ପଡିଛି। ଏହି ଦୁର୍ଘଟଣାରେ ଅନୁନ୍ୟ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଘଟଣା ବୁଧବାର ସନ୍ଧ୍ୟାରେ ଭୀଷଣ ବର୍ଷା ଓ ପବନ ଯୋଗୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ଜଣ ପିଲା ଥିବା ବେଳେ ବାକି ଫୁଟପାଥ ଦୋକାନୀ ଓ ପଥଚାରୀ ଅଛନ୍ତି । ପ୍ରାରମ୍ଭିକ ସୂଚନା ଅନୁସାରେ ହତାହତଙ୍କ ମଧ୍ୟରେ ଅଧିକାଂଶ ହସ୍ପିଟାଲ ବାହାରେ ଠେଲା ଲଗାଉଥିବା ବ୍ୟବସାୟୀ ଅଛନ୍ତି।

ମୁଖ୍ୟମନ୍ତ୍ରୀ ସିଦ୍ଦାରମୈୟା ଘଟଣାସ୍ଥଳକୁ ଗସ୍ତ କରି ପରିସ୍ଥିତି ଆକଳନ କରିଛନ୍ତି।  ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ମୃତକଙ୍କ ଲାଗି କ୍ଷତିପୂରଣ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ପ୍ରତି ମୃତକଙ୍କ ପରିବାରଙ୍କୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ ଓ ଆହତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ କୁହାଯାଉଛି ଭୀଷଣ ବର୍ଷାରେ ପ୍ରାଚୀର କାନ୍ଥ ଅଚାନକ ପଡିଯାଇଥିଲା। ସେତେବେଳେ ସେହି ବାଟ ଦେଇ ଲୋକେ ଯିବା ଆସିବା କରୁଥିଲେ। ଘଟଣା ଘଟିବାମାତ୍ରେ ହସ୍ପିଟାଲ ବାହାରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ପୁରୁଣା କାନ୍ଥରେ ଏକ ପାଲ ଲାଗିଥିଲା। ତା ତଳେ ଉଠାଦୋକାନୀ ବ୍ୟବସାୟ କରୁଥିଲେ। ବର୍ଷା ଆରମ୍ଭ ହେବାରୁ ପଥଚାରୀ ଓ ଗ୍ରାହକ ଦୋକାନ ତମ୍ବୁ ତଳକୁ ଚାଲି ଆସିଥିଲେ। ଏଣୁ କାନ୍ଥପଡିବାରୁ ସମସ୍ତେ ତଳେ ଦବି ଯାଇଛନ୍ତି।

ଆଖପାଖର ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଜରୁରିକାଳୀନ ଟିମ୍ ପହଞ୍ଚିବା ପୂର୍ବରୁ କିଛି ଲୋକଙ୍କୁ କାନ୍ଥ ତଳୁ ବାହାର କରିଦିଆଯାଇଥିଲା। ଶିବାଜୀନଗର ବିଧାୟକ ରିଜୱାନ ଅରଶଦ କହିଛନ୍ତି ଯେ ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ ଜଣ ଆହତ ହୋଇଛନ୍ତି। ତେବେ ଅଧିକାରୀ ଏବେବି ପ୍ରଭାବିତ ମୋଟ ଲୋକଙ୍କ ସଂଖ୍ୟା ସମ୍ପର୍କରେ ସଠିକ କିଛି କହି ପାରୁ ନାହାନ୍ତି। ମୁଖ୍ୟମନ୍ତ୍ରୀ ସିଦ୍ଦାରମୈୟା ଘଟଣା ସମ୍ପର୍କରେ ସୂଚନା ପାଇ ହସ୍ପିଟାଲ ଗସ୍ତ କରିଛନ୍ତି। ସେଠାରେ ଆହତଙ୍କୁ ଭେଟିଛନ୍ତି।

ବୁଧବାର ସନ୍ଧ୍ୟାରେ ବେଙ୍ଗାଲୁର ପାଣିପାଗରେ ଅଚାନକ ପରିବର୍ତ୍ତନ ହୋଇଛି। ସହରର ବିଭିନ୍ନ ଭାଗରେ ଭୀଷଣ ବର୍ଷା ସାଙ୍ଗକୁ ଝଡତୋଫାନ ଓ କୁଆପଥର ବର୍ଷା ହୋଇଛି। ଏଥିରେ ଜେ.ପିନଗର, ଜୟନଗର, ସରଜାପୁର ସମେତ ବିଭିନ୍ନ ଅଞ୍ଚଳରେ ୧ ଘଣ୍ଟା ଧରି ବର୍ଷା ଲାଗି ରହିଥିଲା। ଦକ୍ଷିଣ-ପଶ୍ଚିମ ବେଙ୍ଗାଲୁରୁରେ ମଧ୍ୟ ଝଡତୋଫାନ ସହ ବର୍ଷା ହୋଇଥିବାର ସୂଚନା ଆସୁଛି। ସେହିପରି କେନ୍ଦ୍ରୀୟ ବେଙ୍ଗାଲୁରୁର ଏମଜି ରୋଡ ଓ ରେସିଡେନ୍ସୀ ରୋଡରେ ଭୀଷଣ ବର୍ଷା ପରେ ପାଣି ଭରି ଯାଇଛି। ଫଳରେ ଟ୍ରାଫିକ ସମସ୍ୟା ଉପୁଜିଛି।