ନୂଆଦିଲ୍ଲୀ: ଆମେରିକୀୟ ଇନଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗ୍ କମ୍ପାନି ଜେପି ମୋର୍ଗାନ ଚେଜର ଜଣେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଛି। ସେ ନିଜ ପଦବୀର ଦୁରୁପଯୋଗ କରି ତାଙ୍କର ଜଣେ କନିଷ୍ଠ ପୁରୁଷ ସହକର୍ମୀଙ୍କୁ ବାରମ୍ବାର ଯୌନ ଉତ୍ପୀଡ଼ନ ଦେଇଥିବା ଅଭିଯୋଗ ହୋଇଛି। ନ୍ୟୁୟର୍କ କାଉଣ୍ଟି ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି। ସଂସ୍ଥା ଏହି ଅଭିଯୋଗକୁ ଖଣ୍ଡନ କରିଦେଇଛି । ପୀଡ଼ିତ ହେଉଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ ।

ନିର୍ଯାତନା ଅତିଷ୍ଠ ହେବାରୁ ଶେଷରେ ସେ ଗତ ୨୭ ତାରିଖରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜନ୍ ଡୋ ନାମରେ ଏହି ମାମଲା ଦାୟର ହୋଇଥିବା ବେଳେ ପୀଡ଼ିତ ଜଣକ ନିଜ ପରିଚୟ ଲୁଚାଇଛନ୍ତି । ଜେପି ମୋର୍ଗାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଲୋର୍ନା ହଜଡିନୀ (୩୭) ତାଙ୍କୁ ବିଭିନ୍ନ ଚାପ ପକାଇ କିଭଳି ଡେଟ୍ରେ ନେଇ ବାରମ୍ବାର ଦୁଃଷ୍କର୍ମ କରିଥିଲେ ଏବଂ ନିଶା ସେବନ କରାଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ, ତାହା ସେ ଅଭିଯୋଗରେ ଦର୍ଶାଇଛନ୍ତି ।

ପୀଡ଼ିତଙ୍କ ଅଭିଯୋଗ ଅନୁସାରେ, ଏହି ଘଟଣା ୨୦୨୪ରେ ଆରମ୍ଭ ହୋଇଥିଲା । ଅନୁଚିତ ଭାବେ ସ୍ପର୍ଶ କରିବା ଏବଂ ଅଶ୍ଳୀଳ ଟିପ୍ପଣୀରୁ ଆରମ୍ଭ ହୋଇଥିଲା କାହାଣୀ । ପରେ ଏହା ସାଙ୍ଘାତିକ ଯୌନ ଉତ୍ପୀଡ଼ନରେ ପରିଣତ ହୋଇଥିଲା । କ୍ୟାରିୟର ବରବାଦ କରିଦେବାର ଧମକ ଦେଇ ଲୋର୍ନା ତାଙ୍କୁ ଲଗାତର ଭାବେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । ବିବାହିତ ହୋଇ ସୁଦ୍ଧା ଚାକିରି ଚାଲିଯିବା ଭୟରେ ପୀଡ଼ିତ ମନା କରିପାରି ନ ଥିଲେ ।

ଅଧିକାଂଶ ସମୟରେ ଲୋର୍ନା ପୀଡ଼ିତ ଜଣକୁ ନିଶା ଦେଇ ଜୋର ଜବରଦସ୍ତ ତାଙ୍କ ସହିତ ଯୌନ ସମ୍ବନ୍ଧ ରଖୁଥିଲେ । ପୀଡ଼ିତ ଯେତେବେଳେ କାନ୍ଦିବା ଆରମ୍ଭ କଲେ, ଅଭିଯୁକ୍ତ ତାଙ୍କୁ ଅପମାନିତ କରିବା ସହ ଧମକଚମକ ଦେଇଥିଲେ । ବେଳେବେଳେ ଲୋର୍ନା ତାଙ୍କ ଘରକୁ ଆଗୁଆ ସୂଚନା ନ ଦେଇ ପହଞ୍ଚି ଯାଉଥିଲେ । କିଛି କହିବା ପୂର୍ବରୁ ସେ ଅଶ୍ଳୀଳ ହରକତ ଆରମ୍ଭ କରିଦେଉଥିଲେ । ପୀଡ଼ିତଙ୍କ ପତ୍ନୀଙ୍କ ବିରୋଧରେ ସେ ବର୍ଣ୍ଣ ବୈଷମ୍ୟ ଟିପ୍ପଣୀ ବି କରୁଥିଲେ । ପୀଡ଼ିତ ଜଣକୁ ସେ ‘ମାଇଁ ଲିଟିଲ୍ ବ୍ରାଉନ୍ ବୟ’ କହି ସମ୍ବୋଧନ କରୁଥିଲେ ।

ଲୋର୍ନାଙ୍କ ନିର୍ଯାତନା ଅସହ୍ୟ ହେବାରୁ ୨୦୨୪ ଶେଷ ଭାଗରେ ପୀଡ଼ିତ ଜଣକ ଚାକିରି ଛାଡ଼ି ପଳାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ଅଭିଯୁକ୍ତ ଏବଂ ଅନ୍ୟମାନେ ତାଙ୍କ କ୍ୟାରିୟର୍ର ନୂଆ ସୁଯୋଗର ରାସ୍ତା ବି ବନ୍ଦ କରିଦେଇଥିଲେ । ତାଙ୍କ ଓକିଲଙ୍କ ମୁତାବକ, ପୀଡ଼ିତ ଏହି ଘଟଣାରେ ଗଭୀର ମାନସିକ ଯନ୍ତ୍ରଣା ପାଇଥିଲେ । ଫଳରେ ସେ ‘ପୋଷ୍ଟ-ଟ୍ରମାଟିକ ଷ୍ଟ୍ରେସ ଡିସଅର୍ଡର (ପିଟିଏସଡି)’ର ଶିକାର ହୋଇଥିଲେ । ଘୋର ଆର୍ଥିକ ସଙ୍କଟର ସାମ୍ନା କରିଥିଲେ । କମ୍ପାନିକୁ ଏ ବାବଦରେ ଜଣାଇଲେ ବି କମ୍ପାନି ଏହାକୁ ନଜରଅନ୍ଦାଜ କରିଥିଲା । ଓଲଟା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା । ଜେପି ମୋର୍ଗାନ ଚେଜ୍ କହିଛି, ଅଭିଯୋଗ ମିଳିବା ପରେ ତଦନ୍ତ ହୋଇଥିଲା । କିନ୍ତୁ ଏଥିରେ କୌଣସି ଠୋସ ପ୍ରମାଣ ମିଳି ନଥିଲା।

ଉଲ୍ଲେଖଯୋଗ୍ୟ, ଲୋର୍ନା ହଜଡିନୀ ଆମେରିକୀୟ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଜଣେ ଉଦୀୟମାନ ତାରକା ଭାବେ ଜଣାଶୁଣା। ଏନୱାଇୟୁ ଷ୍ଟର୍ନ ସ୍କୁଲ୍ ଅଫ୍ ବିଜନେସରୁ ସ୍ନାତକ କରିଥିବା ଲୋର୍ନା ହାର୍ଭାର୍ଡ ବିଜନେସ୍ ସ୍କୁଲରୁ ଏକଜିକ୍ୟୁଟିଭ୍ ଶିକ୍ଷା ସମାପ୍ତ କରିଥିଲେ। ୨୦୧୧ରେ ଜଣେ ବିଶ୍ଳେଷକ ଭାବେ ସେ ଜେପି ମୋର୍ଗାନରେ ଯୋଗ ଦେଇଥିଲେ। ଏହାପରେ ୨୦୧୮ରେ ସେ ଲେଭରେଜଡ ଫାଇନାନ୍ସରେ ଉପସଭାପତି ଭାବେ କାର୍ଯ୍ୟ କରିଥିଲେ। ୨୦୧୧ରେ ଜେପି ମୋର୍ଗାନ ଚେଜ୍ ରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ହୋଇଥିଲେ ଲୋର୍ନା।