ନୂଆଦିଲ୍ଲୀ: ଭାରତୀୟ ଫୁଟବଲ୍ ଟିମକୁ ପୁଣି ଥରେ ଅପମାନ କରାଯାଇଛି । ୨୬ ମାର୍ଚ୍ଚ, ୨୦୨୬ ରେ କୋଚିର ଜବାହରଲାଲ ନେହେରୁ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏକ ଘଟଣା ଘଟିଛି । ଏହି ଘଟଣା ଦେଶର କ୍ରୀଡ଼ା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଖାଲିଦ ଜମିଲ ଏବଂ ଅନେକ ଖେଳାଳିଙ୍କୁ ଷ୍ଟାଡିୟମରେ ପ୍ରବେଶ କରିବାକୁ ବାରଣ କରାଯାଇଛି। AFC ଏସିଆନ୍ କପ୍ ଯୋଗ୍ୟତା ପର୍ଯ୍ୟାୟ ପୂର୍ବରୁ ଦଳ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ ସ୍ଥିର କରିଥିବା ବେଳେ ଏହି ଘଟଣା ଘଟିଛି । ଭାରତ ମାର୍ଚ୍ଚ ୩୧ରେ ହଂକଂ ବିପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବ । କିନ୍ତୁ ଏହା ପୂର୍ବରୁ ଏହି ବିବାଦ ଭାରତୀୟ ଟିମର ଖେଳାଳିଙ୍କୁ ପ୍ରଭାବିତ କରିପାରେ।

ଦଳକୁ ଅଟକାଇଲେ ସୁରକ୍ଷା କର୍ମୀ

ମୁଖ୍ୟ ପ୍ରଶିକ୍ଷକଙ୍କ ସହିତ ଖେଳାଳି ଆଶିକ୍ କୁରୁନିଆନ୍, ସହାଲ୍ ଅବଦୁଲ୍ ସମଦ୍ ଏବଂ ବିଜୟ ଭାର୍ଗୀସ୍ ମଧ୍ୟ ଥିଲେ। ସମସ୍ତଙ୍କୁ ଷ୍ଟାଡିୟମ୍ ଗେଟ୍ ପାଖରେ ଅଟକାଇ ଦିଆଯାଇଥିଲା। ସୁରକ୍ଷା କର୍ମୀମାନେ କହିଥିଲେ ଯେ, ଦେୟ ନମିଳିବା ପର୍ଯ୍ୟନ୍ତ ପ୍ରବେଶ ମନା । ରିପୋର୍ଟ ଅନୁସାରେ, କେରଳ ଫୁଟବଲ୍ ଆସୋସିଏସନ୍ ଷ୍ଟାଡିୟମ୍ ଭଡ଼ା ବାବଦକୁ ୨୦ ରୁ ୨୫ ଲକ୍ଷ ଟଙ୍କା ଜମା କରିନଥିଲା। ଏହି କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ଭାରତୀୟ ଦଳ ସାମ୍ବାଦିକ ସମ୍ମିଳନୀ ନକରି ଫେରିବାକୁ ବାଧ୍ୟ ହୋଇଥିଲା।

Also Read: Mumbai Indians Ipl: ରୋହିତ ଶର୍ମାଙ୍କୁ ଦେଖି ଚମକିଗଲେ ମାଲିକାଣୀ, ଭିଡିଓ ଭାଇରାଲ....

ସାମ୍ବାଦିକ ସମ୍ମିଳନୀ ବାତିଲ

ଏହି ଘଟଣା ଯୋଗୁଁ ସାମ୍ବାଦିକ ସମ୍ମିଳନୀ ବାତିଲ ହୋଇଛି । ଫଳରେ ଖେଳାଳି ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ଏକ ଅନ୍ତର୍ଜାତୀୟ ମ୍ୟାଚ୍ ପୂର୍ବରୁ ଏପରି ବିଶୃଙ୍ଖଳା ଭାରତୀୟ ଫୁଟବଲ୍ର ପ୍ରତିଛବିକୁ କ୍ଷତି ପହଞ୍ଚାଇଛି। ତେବେ କୋଚିରେ ଏପରି ପରିସ୍ଥିତି ସୃଷ୍ଟି ହେବା ଏହା ପ୍ରଥମ ଥର ନୁହେଁ। ପୂର୍ବରୁ ଫେବୃଆରୀ ୨୦୨୬ ରେ, କେରଳ ବ୍ଲାଷ୍ଟର୍ସ ଖେଳାଳିମାନଙ୍କୁ ଷ୍ଟାଡିୟମରେ ପ୍ରବେଶ କରିବାକୁ ମନା କରାଯାଇଥିଲା। ଏହି ଷ୍ଟାଡିୟମ ଜିସିଡିଏ ଅଧୀନରେ ଥିବା ବେଳେ, ଏଠାରେ ଖେଳର ଆୟୋଜନ କରେ କେରଳ ଫୁଟବଲ୍ ଆସୋସିଏସନ୍ । ଦୁଇ ସଂସ୍ଥା ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ଟିମ୍ ଇଣ୍ଡିଆକୁ ଅପମାନିତ ହେବାକୁ ପଡ଼ିଛି । ସେପଟେ AIFF ସ୍ପଷ୍ଟ କରିଛି ଯେ, ହଂକଂ ବିପକ୍ଷ ମ୍ୟାଚ୍ ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହେବ ।