ୱାସିଂଟନ ୧୧।୧୨: ଭାରତୀୟ ବାସମତୀ ଚାଉଳର ସୁଗନ୍ଧ ଓ ଚାହିଦା ସାରା ବିଶ୍ୱରେ ରହିଛି। ତେବେ ୧୯୮୦ ଦଶକରେ ଆମେରିକା ବଜାରରେ ଭାରତୀୟ ବାସମତୀର ମୁକାବିଲା ନିମନ୍ତେ ‘ଟେକ୍ସମତୀ’ ନାମରେ କପି ଚାଉଳ ତିଆରି କରାଯାଇଥିଲା। ଦୀର୍ଘ ବର୍ଷ ପରେ ମଧ୍ୟ ଏହି ଆମେରିକୀୟ ହାଇବ୍ରିଡ ଚାଉଳ ଭାରତୀୟ ବାସମତୀର ସମକକ୍ଷ ହୋଇ ପାରିନି। ଆଜି ପରିସ୍ଥିତି ଏପରି ଯେ ଆମେରିକୀୟ ଚାଷୀ ଚାପରେ ଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ଚାଉଳ ଉପରେ ଅତିରିକ୍ତ ଟାରିଫର ଚେତାବନୀ ଦେଇ ନୂଆ ବିବାଦ ଛିଡା କରିଛନ୍ତି।

୮୦ ଦଶକରେ ଟେକ୍ସାସର ଏକ କମ୍ପାନୀ ଲମ୍ବାଦାନାର ଆମେରିକୀୟ ଚାଉଳକୁ ବାସମତୀ ସହ ମିସାଇ ଟେକ୍ସମତୀ ଚାଉଳର ନୂଆ କିସମ ତିଆରି କରିଥିଲା। ଏହାର ଉଦ୍ଦେଶ୍ୟ ଥିଲା ଏପରି ସୁଗନ୍ଧିତ ଚାଉଳ ପ୍ରସ୍ତୁତ କରିବା ଯାହା ଆମେରିକୀୟ ପାଣିପାଗରେ ହୋଇ ପାରିବ। ତେବେ ଏହାକୁ ରୋଷେଇ କଲେ ସ୍ୱାଦ ଓ ସୁଗନ୍ଧରେ ମୂଳ ବାସମତୀ ଚାଉଳ ସମକକ୍ଷ ହୋଇ ପାରୁନି। ଏଣୁ ଆମେରିକୀୟ ଉପଭୋକ୍ତା ଧିରେ ଧିରେ ପୁଣି ଭାରତୀୟ ବାସମତୀକୁ ଫେରି ଆସିଥିଲେ। ଏଣୁ ଆମେରିକୀୟ ବଜାରରେ ଭାରତୀୟ ବାସମତୀର ଚାହିଦା ପାଖାପାଖି ୮୫% ପର୍ଯ୍ୟନ୍ତ ରହିଛି।

ବାସମତୀର ବଢୁଥିବା ଲୋକପ୍ରିୟତା ଆମେରିକୀୟ ଚାଷୀଙ୍କ ଉପରେ ଚାପ ପକାଉଛି। ଅନେକ ମିଲ୍ ମାଲିକ ବିଦେଶୀ ଚାଉଳ ଆମେରିକା ଉତ୍ପାଦିତ ଚାଉଳର ବଜାର ଅଂଶିଦାରୀ କମାଉଥିବାର ଅଭିଯୋଗ କରିଛନ୍ତି। ଏହା ପରେ ରାଷ୍ଟ୍ରପତି ଟ୍ରମ୍ପ ଭାରତୀୟ ଚାଉଳ ଉପରେ ଅତିରିକ୍ତ ଶୁଳ୍କ ଲଗାଇବାକୁ ଚେତାବନୀ ଦେଇଛନ୍ତି। ଏହାଛଡା ଟ୍ରମ୍ପ ଆମେରିକୀୟ ଚାଷୀଙ୍କ ଲାଗି ୧୨ବିଲିୟନ ଡଲାରର ସହାୟତା ଯୋଜନା ମଧ୍ୟ ଘୋଷଣା କରିଛନ୍ତି।

ତେବେ ବିଶେଷଜ୍ଞଙ୍କ ଅନୁସାରେ ଆମେରିକୀୟ ଟାରିଫର ଭାରତୀୟ ବାସମତୀ ଉପରେ ଆଂଶିକ ପ୍ରଭାବ ରହିବ। କାରଣ ଆମେରିକାକୁ ମାତ୍ର ୩% ଭାରତୀୟ ଚାଉଳ ରପ୍ତାନୀ ହେଉଛି। ଏହା ଛଡା ଭାରତୀୟ ଚାଉଳର ମୁଖ୍ୟ ଆମଦାନୀକାରୀ ଉପସାଗରୀୟ ଦେଶ। ଏଥିରେ ଏବେ ଆଫ୍ରିକା ବଜାର ନୂଆକରି ଯୋଡି ହୋଇଛି। ଏଣୁ ସରକାର ଟାରିଫ ବଢାଇଲେ ଆମେରିକୀୟ ଉପଭୋକ୍ତା ପ୍ରଭାବିତ ହେବେ ଓ ଦେଶରେ ଭାରତୀୟ ରପ୍ତାନୀ ଚାଉଳର ମୂଲ୍ୟ ବଢିବ। ତେବେ ଏଥିରେ ଭାରତୀୟ ରପ୍ତାନୀକାରୀ ପ୍ରଭାବିତ ହେବେନି।