ନୂଆଦିଲ୍ଲୀ: ଆକାଉଣ୍ଟରେ ସର୍ମନିମ୍ନ ଜମାରାଶି (Minimum Balance) ନଥିଲେ ଜରିମାନା ଲାଗୁଛି । କିନ୍ତୁ ଏହା ମାଧ୍ୟମରେ ବ୍ୟାଙ୍କଗୁଡ଼ିକ କେତେ ଟଙ୍କା ରୋଜଗାର କରୁଛନ୍ତି ଜାଣିଛନ୍ତି କି ? ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଗତ ୩ ବର୍ଷ ମଧ୍ୟରେ ବ୍ୟାଙ୍କଗୁଡ଼ିକ ଆପଣଙ୍କ ପକେଟରୁ ଫାଇନ୍ ନେଇ ମାଲାମାଲ ହୋଇଛନ୍ତି । ହଜାର ହଜାର କୋଟି ଟଙ୍କାର ମୁନାଫା କମେଇଛନ୍ତି ବ୍ୟାଙ୍କ । ମିନିମମ୍ ବାଲାନ୍ସ ମେଣ୍ଟେନ କରୁନଥିବାରୁ ବିଭିନ୍ନ ବ୍ୟାଙ୍କ ମୋଟ ୧୯,୦୮୩ କୋଟି ଟଙ୍କା ଆଦାୟ କରିଥିବା ଜଣାପଡ଼ିଛି ।

ରୁପି ଟୁଲ (Rupee Tool)ତଥ୍ୟ ଅନୁଯାୟୀ, ଘରୋଇ ବ୍ୟାଙ୍କଗୁଡ଼ିକ ସର୍ବାଧିକ ୧୦,୯୯୧ କୋଟି ଟଙ୍କା ଆଦାୟ କରିଥିବା ବେଳେ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକ ୮,୦୯୨ କୋଟି ଜରିମାନା ଆଦାୟ କରିଛନ୍ତି । ବ୍ୟାଙ୍କଗୁଡ଼ିକ ଦ୍ୱାରା ଆଦାୟ କରାଯାଇଥିବା ଜରିମାନାକୁ ନେଇ ସୋସିଆଲ ମିଡିଆରେ ବିତର୍କ ଆରମ୍ଭ ହୋଇଯାଇଛି । CA କାନନ ବାହାଲ ଦ୍ୱାରା ସେୟାର କରାଯାଇଥିବା ଏହି ତଥ୍ୟ ଆଶ୍ଚର୍ଯ୍ୟଜନକ। ସେ ଏହି ଆଦାୟକୁ ଅନୁଚିତ ବୋଲି କହିଛନ୍ତି । ସେ କହିଛନ୍ତି, ବ୍ୟାଙ୍କଗୁଡ଼ିକ ଲୋକଙ୍କ ଆର୍ଥିକ କଷ୍ଟରୁ ଲାଭ ପାଉଛନ୍ତି । ବ୍ୟାଙ୍କଗୁଡ଼ିକର ଏଭଳି ଅଭ୍ୟାସକୁ ଦୂର କିମ୍ବା ହ୍ରାସ କରାଯିବା ଉଚିତ।

Also Read: UPI ପାଇଁ ଚାର୍ଜ ଦେବାକୁ ପଡ଼ିଲେ ବ୍ୟବହାର ବନ୍ଦ କରିଦେବେ ୭୫% ଲୋକ: ସର୍ଭେ ରିପୋର୍ଟ

HDFC ସବୁଠୁ ଆଗରେ

ଜରିମାନା ଆଦାୟ ମାମଲାରେ ଘରୋଇ ବ୍ୟାଙ୍କ HDFC ଶୀର୍ଷରେ ଅଛି। ତଥ୍ୟ ଅନୁଯାୟୀ, ଗତ ତିନି ବର୍ଷ ମଧ୍ୟରେ ଏହି ବ୍ୟାଙ୍କ ୩,୮୭୧ କୋଟି ଟଙ୍କା ଜରିମାନା ଆଦାୟ କରିଛି। ଆକ୍ସିସ୍ ବ୍ୟାଙ୍କ, ICICI ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ବରୋଦା ମଧ୍ୟ ଏହି ତାଲିକାରେ ଅଛନ୍ତି । ଏହି ୩ ବ୍ୟାଙ୍କ ମୋଟ ୧୦୦୦ କୋଟିରୁ ଅଧିକ ଟଙ୍କା ଜରିମାନା ଆଦାୟ କରିଛନ୍ତି।

SBI ଏବଂ PNBର ସ୍ଥିତି କଣ ?

ଦେଶର ସର୍ବବୃହତ୍ତ ସରକାରୀ ବ୍ୟାଙ୍କ, SBI ବହୁତ ପୂର୍ବରୁ ସଞ୍ଚୟ ଖାତାରେ ସର୍ବନିମ୍ନ ବାଲାନ୍ସ ଜରିମାନା ଆଦାୟ ବନ୍ଦ କରିଦେଇଥିଲା । ତଥାପି ଏହା କରେଣ୍ଟ ଆକାଉଣ୍ଟରୁ ୯୩୨ କୋଟି ଆଦାୟ କରିଛି। PNB ମଧ୍ୟ ୧ ଜୁଲାଇ, ୨୦୨୫ ରୁ ଏହି ଜରିମାନା ଆଦାୟ ବନ୍ଦ କରିଦେଇଥିଲା, କିନ୍ତୁ ଏହା ପୂର୍ବରୁ ବ୍ୟାଙ୍କ ମିନିମମ ବାଲାନ୍ସ ଫାଇନ୍ ବାବଦରେ ମୋଟ ୧୫୫୭ କୋଟି ଆଦାୟ କରିଥିଲା।