ନୂଆଦିଲ୍ଲୀ ୨।୧: ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଶୁକ୍ରବାର କହିଛନ୍ତି ଯେ ଖରାପ ପଡୋଶୀଙ୍କ ଠାରୁ ନିଜ ନାଗରିକଙ୍କୁ ରକ୍ଷା କରିବା ପାଇଁ ଯାହା ଦରକାର ଭାରତ କରିବ। ଆତଙ୍କବାଦରୁ ନିଜକୁ ରକ୍ଷା କରିବାର ଅଧିକାର ଭାରତର ରହିଛି ଓ କେହିବି ନିର୍ଦ୍ଦେଶ ଦେଇ ପାରିବେନି ଆମେ ଆମ ରକ୍ଷା କେମିତି କରିବୁ। ଭାରତ ନିଜ ସୁରକ୍ଷା ପାଇଁ ଯାହା ବି ଆବଶ୍ୟକ ପଡିବ କରିବ। ଆଇଆଇଟି ମାଡ୍ରାସର ଟେକ୍ନୋ-ଏଣ୍ଟରଟୈନମେଣ୍ଟ ଫେଷ୍ଟ ‘ଶାସ୍ତ୍ର-୨୦୨୬’ ଅବସରରେ କହିଛନ୍ତି ଯେ ଆପଣଙ୍କ ପଡୋଶୀ ଖରାପ ବି ହୋଇ ପାରନ୍ତି। ଦୁର୍ଭାଗ୍ୟରୁ ଆମର ବି, ଖାସ କରି ପଶ୍ଚିମ ପଡୋଶୀ ଖରାପ ପଡିଯାଇଛି।

ଜୟଶଙ୍କର କହିଛନ୍ତି ଯେ କୌଣସି ଦେଶ ଯଦି ଲଗାତାର ଜାଣିଶୁଣି ବିନା ପଶ୍ଚାତାପରେ ଆତଙ୍କବାଦ ଗତିବିଦ୍ଧି ଜାରି ରଖିବ ତେବେ ଆମ ଲୋକଙ୍କୁ ବଞ୍ଚାଇବା ପାଇଁ ଆମର ଅଧିକାର ରହିଛି। ଆମେ ଏହି ଅଧିକାରକୁ ଉପଯୋଗ କରିବୁ, ତେବେ କିପରି ଉପଯୋଗ କରିବୁ ତାହା ଆମ ଉପରେ ନିର୍ଭର କରେ। ଏଥିରେ ଆମକୁ କେହି ନିର୍ଦ୍ଦେଶ ଦେଇ ପାରିବେନି ଯେ ଆମେ କଣ କରିବୁ କଣ ନ କରିବୁ। ତେବେ ଆମର ରକ୍ଷା ପାଇଁ ଆମକୁ ଯାହା ବି କରିବାକୁ ପଡିବ ଆମେ ନିଶ୍ଚିତ କରିବୁ।

ବିଦେଶମନ୍ତ୍ରୀ କହିଛନ୍ତି ଅନେକ ବର୍ଷ ପୂର୍ବେ ଆମେ ଜଳ ଆବଣ୍ଟନର ବ୍ୟବସ୍ଥା ଲାଗି ସହମତି ପ୍ରକାଶ କରିଥିଲୁ, ଏଥିରେ ଯଦି ଦୀର୍ଘ ଦଶନ୍ଧୀ ଧରି ଆତଙ୍କବାଦ ଜାରି ରହେ ଭଲ ପଡୋଶୀ ସମ୍ପର୍କ ରହି ନପାରେ। ଆପଣ କହି ପାରିବେନି ମୋ ସହ ପାଣି ସେୟାର କରନ୍ତୁ, କିନ୍ତୁ ମୁଁ ଆପଣଙ୍କ ବିରୋଧରେ ଆତଙ୍କବାଦ ଜାରି ରଖିବି। ଏହା ସମ୍ଭବ ନୁହେଁ। ଏହି ଅବସରରେ ବାଂଲାଦେଶ ଅଶାନ୍ତିକୁ ନେଇ ପ୍ରଶ୍ନ କରାଯିବାରୁ ଜୟଶଙ୍କର ନିଟରେ ତାଙ୍କର ବାଂଲାଦେଶ ଗସ୍ତ ସମ୍ପର୍କରେ କହିଛନ୍ତି।

ସେ କହିଛନ୍ତି ଯେ ବାଂଲାଦେଶ ପୂର୍ବ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେବାକୁ ଢାକା ଯାଇଥିଲି। ଏହି ଅବସରରେ ମୁଁ ଅନେକ ପଡୋଶୀଙ୍କୁ ଭେଟିଥିଲି। ଯଦି ଆପଣଙ୍କ ପଡୋଶୀ ଭଲ ଓ ଅନୁନ୍ୟ ଆପଣଙ୍କ ଲାଗି କ୍ଷତିକାରକ ନୁହେଁ ତେବେ ସ୍ୱଭାବିକ ଭାବେ ଆପଣ ତା ପ୍ରତି ଦୟାଳୁ ହୋଇ ପାରନ୍ତି ଓ ଏକ ଦେଶ ଭାବେ ଆମେ ମଧ୍ୟ ସେଇଆ କରୁଛେ। ଭାରତର ଅଧିକାଂଶ ପଡୋଶୀ ଜାଣନ୍ତି ଯେ ଯଦି ଭାରତ ବଢେ ଆମେ ସବୁ ପଡୋଶୀ ମଧ୍ୟ ତା ସହ ବଢିବୁ। ମୁଁ ଏହି ବାର୍ତ୍ତା ନେଇ ବାଂଲାଦେଶ ଯାଇଥିଲି। ଆମେ ସେମାନଙ୍କୁ ଆଗାମୀ ନିର୍ବାଚନ ନିମନ୍ତେ ଶୁଭକାମନା ଜଣାଇଛୁ। ଆମେ ଆଶା କରୁଛୁ ଏଠାରେ ପରିସ୍ଥିତି ଯେବେ ସ୍ୱଭାବିକ ହୋଇଯିବ ଏହି କ୍ଷେତ୍ରରେ ପଡୋଶୀ ଭାବନା ବଢିବ।