ନୂଆଦିଲ୍ଲୀ: ମିଳିତ ଜାତିସଂଘ (UN)କୁ ଭାରତର କଡ଼ା ଜବାବ। ୟୁଏନର ସାଧାରଣ ସଭାରେ ଗୃହୀତ ହୋଇଥିବା ବିଶ୍ୱ ମାନଚିତ୍ର ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପକୁ ଭାରତ ସମର୍ଥନ କରିଛି। ଏହା ସହିତ ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି କହିଛି ଯେ, ନୂଆ ମାନଚିତ୍ର ନୀତି ନାମରେ ଦେଶର ଭୌଗୋଳିକ ଅଖଣ୍ଡତା ସହ କୌଣସି ବୁଝାମଣା କରାଯାଇପାରିବ ନାହିଁ। ଭାରତୀୟ ସୀମା, ବିଶେଷ କରି ଜମ୍ମୁ-କାଶ୍ମୀର ଏବଂ ଲଦାଖର କୌଣସି ବି ଭୁଲ୍ କିମ୍ବା ବିକୃତ ଚିତ୍ରଣ ବା ମାନଚିତ୍ରକୁ ଆଦୌ ଗ୍ରହଣ କରାଯିବ ନାହିଁ।

ସମ୍ପ୍ରତି ଜାତିସଂଘ ସାଧାରଣ ସଭାରେ 'କରେକ୍ଟ ଦି ମ୍ୟାପ୍: ରିବାଲାନ୍ସିଂ ଗ୍ଲୋବାଲ୍ କାର୍ଟୋଗ୍ରାଫିକ୍ ରିପ୍ରେଜେଣ୍ଟେସନ୍' ନାମକ ଏକ ପ୍ରସ୍ତାବ ପାରିତ ହୋଇଛି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ପରମ୍ପରାଗତ 'ମରକେଟର ପ୍ରୋଜେକ୍ସନ୍' ମାନଚିତ୍ର ବଦଳରେ 'ଇକ୍ୱାଲ୍ ଏରିଆ' ମାନଚିତ୍ର ବ୍ୟବହାର କରିବା। ଏଥିରେ ବିଶ୍ୱର ସମସ୍ତ ଦେଶ ଏବଂ ମହାଦେଶଗୁଡ଼ିକର ଆକାର ସଠିକ୍ ଓ ଆନୁପାତିକ ଭାବେ ଦୃଶ୍ୟମାନ ହୋଇଥାଏ। ଏହି ସଂକଳ୍ପ ସପକ୍ଷରେ ଭାରତ ଭୋଟ୍ ଦେଇଥିଲେ ମଧ୍ୟ ନିଜର ଏକ ସ୍ପଷ୍ଟୀକରଣ ରଖିଛି।

Also Read: ଯୌନ କେଳେଙ୍କାରୀରେ JNU ପ୍ରଫେସର, ୧୦ ଛାତ୍ରୀ ଆଣିଲେ ସାଙ୍ଘାତିକ ଅଭିଯୋଗ

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସ୍ପଷ୍ଟୀକରଣ

ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA)ର ମୁଖପାତ୍ର ରଣଧୀର ଜୈସୱାଲ୍ କହିଛନ୍ତି ଯେ, ସମାନ ଭୌଗୋଳିକ ପ୍ରତିନିଧିତ୍ୱ ନୀତିକୁ ଆଧାର କରି ଭାରତ ଏହି ସଂକଳ୍ପକୁ ସମର୍ଥନ କରିଛି। କିନ୍ତୁ ଏହି ସଂକଳ୍ପର ଅର୍ଥ ନୁହେଁ ଯେ ଭାରତ କୌଣସି ନିର୍ଦ୍ଦିଷ୍ଟ ମାନଚିତ୍ର କିମ୍ବା ଅନ୍ତର୍ଜାତୀୟ ସୀମାର ଭୁଲ୍ ନିରୂପଣକୁ ସ୍ୱୀକୃତି ଦେଉଛି। ଜମ୍ମୁ-କାଶ୍ମୀର ଏବଂ ଲଦାଖ ହେଉଛନ୍ତି ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଜାତିସଂଘ କିମ୍ବା ଅନ୍ୟ କୌଣସି ସଂସ୍ଥା ଦ୍ୱାରା ପ୍ରକାଶିତ ମାନଚିତ୍ରରେ ଭାରତର ସରକାରୀ ମାନଚିତ୍ର ଅନୁଯାୟୀ ଏହି ଅଞ୍ଚଳଗୁଡ଼ିକୁ ଦର୍ଶାଯିବା ଆବଶ୍ୟକ। କୌଣସି ବି ବିକୃତ ଚିତ୍ରଣ ସମ୍ପୂର୍ଣ୍ଣ ଗ୍ରହଣଯୋଗ୍ୟ ନୁହେଁ ବୋଲି ଭାରତ କହିଛି।

ଭାରତ ପାଇଁ ଏହାର ଗୁରୁତ୍ୱ

ଭାରତୀୟ ସୀମାକୁ ନେଇ କିଛି ଅନ୍ତର୍ଜାତୀୟ ମାନଚିତ୍ରରେ ଅନେକ ସମୟରେ ଭୁଲ୍ ସୀମାରେଖା ଦର୍ଶାଯାଉଛି। ଏହାକୁ ନେଇ ନୂଆଦିଲ୍ଲୀ କଡ଼ା ଆପତ୍ତି ପ୍ରକାଶ କରିଆସିଛି। ଜାତିସଂଘରେ ଭାରତର ଏହି ସ୍ପଷ୍ଟ ବାର୍ତ୍ତା ଜରିଆରେ ପୁଣି ଥରେ ବିଶ୍ଵ ଦରବାରରେ ନିଜର ଭୌଗୋଳିକ ସାର୍ବଭୌମତ୍ୱକୁ ନେଇ ଦୃଢ଼ ଆଭିମୁଖ୍ୟ ପ୍ରକାଶ କରିଛି।