ନୂଆଦିଲ୍ଲୀ, ୦୬/୧୦: ଜାପାନରେ ଅନୁଷ୍ଠିତ ଏସିଆଡର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ସ୍ପର୍ଣ୍ଣ ପଦକ ହାସଲ କରି ଫେରିବା ପରେ ଭାରତୀୟ ଟି-ଟ୍ୱେଣ୍ଟି ଦଳ ବିଶ୍ରାମ ନ ନେଇ ଆଉ ଏକ ସିରିଜ ପାଇଁ ଅଣ୍ଟା ଭିଡ଼ିଛି। ମଙ୍ଗଳବାର ଭ୍ରମଣକାରୀ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଶ୍ରେୟାସ ଆୟରଙ୍କ ଦଳ ପ୍ରଥମ ଟି-ଟ୍ୱେଣ୍ଟି ଖେଳିବ। ଉଭୟ ଦଳ ମଧ୍ୟରେ ୫ଟି ଟି-ଟ୍ୱେଣ୍ଟି ମୁକାବିଲା ଖେଳାଯିବ।

Also Read :- Assam Earthquake: ଆସାମର ନାଗାଓଁରେ ଭୂକମ୍ପର ଝଟକା, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୫ ରେକର୍ଡ

ପୂର୍ବ ରେକର୍ଡକୁ ତୁଳନା କଲେ ଏହି ମ୍ୟାଚରେ ଭାରତର ପଲା ଭାରି ରହିବା ଆଶା କରା ଯାଉଛି। ଉଭୟ ଦଳ ୩୧ଟି ଟି-ଟ୍ୱେଣ୍ଟିରେ ପରସ୍ପରକୁ ଭେଟିଛନ୍ତି। ଏଥିରୁ ଭାରତ ୨୦ଟି ମ୍ୟାଚରେ ବିଜୟୀ ହୋଇଛି। ଏକାନ୍ନା ଷ୍ଟାଡ଼ିୟମରେ ଭାରତୀୟ ଦଳ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ଟି-ଟ୍ୱେଣ୍ଟି ମୁକାବିଲା ହାରି ନାହିଁ।

ଗତ କିଛି ମାସ ଧରି ଚମତ୍କାର ବ୍ୟାଟିଂ ଜାରି ରଖିଥିବା ଇଶାନ କିଷନ ମୁଖ୍ୟ ଆକର୍ଷଣ ସାଜିବେ। ଚଳିତ ବର୍ଷ କେବଳ ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟରେ ସେ ୨୯ଟି ମ୍ୟାଚ୍ ଖେଳି ୧୦୦୫ ରନ ସଂଗ୍ରହ କରି ସାରିଛନ୍ତି। ଏଥିରେ ତାଙ୍କ ଷ୍ଟ୍ରାଇକ ରେଟ୍ ୧୬୯.୪୭ ରହିଛି। ଏକନ୍ନା ଷ୍ଟାଡ଼ିୟମରେ କିଷନଙ୍କ ପ୍ରଦର୍ଶନ ସର୍ବଦା ଉନ୍ନତ ରହିଛି। ଏଠାରେ ସେ ୯ଟି ଟି-ଟ୍ୱେଣ୍ଡି ଇନିଂସରୁ ୬୬.୫୭ ହାରରେ ରନ ସଂଗ୍ରହ କରିଛନ୍ତି। ଏଥରେ ଗୋଟିଏ ଶତକ ଓ ୩ଟି ଅର୍ଦ୍ଧଶତକ ରହିଛି।

ଏସୀୟ କ୍ରୀଡ଼ାର ପାକିସ୍ତାନ ବିପକ୍ଷ ଫାଇନାଲ୍ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ଓପନ କରିଥିଲେ । ହେଲେ ସେ ଆଜି ଖେଳିବା ସମ୍ଭାବନା କ୍ଷୀଣ। ଗୌତମ ଗମ୍ଭୀର ପୁଣି ଥରେ ସଞ୍ଜୁ ସାମସନଙ୍କୁ ପ୍ରାଥମିକତା ଦେବେ । କିଷନ ମଧ୍ୟ ବ୍ୟାଟିଂ କ୍ରମର ୩ନଂ ସ୍ଥାନକୁ ଫେରିବେ। ଫଳରେ ବୈଭବ ଏକାଦଶରୁ ବାଦ ପଡ଼ିବେ।

ୱାସିଂଟନ ସୁନ୍ଦରଙ୍କୁ ବିଶ୍ରାମ ମିଳିଥିବାରୁ ତାଙ୍କ ଅନୁପସ୍ଥିତିରେ ନୀତିଶ କୁମାର ରେଡ୍ଡୀ ଅଲରାଉଣ୍ଡର ସ୍ଥାନ ସମ୍ଭାଳିବେ। ସେହିପରି ଅର୍ଶଦୀପ ସିଂହ,ମୟଙ୍କ ଯଦବ ଓ ପ୍ରିନ୍ସ ଯାଦବଙ୍କ ମଧ୍ୟରୁ ୨ଜଣ ପେସ୍ ବୋଲିଂ ବିଭାଗ ଦାୟିତ୍ୱରେ ରହିବେ।

ୱେଷ୍ଟ ଇଣ୍ଡିଜ ପକ୍ଷରୁ ସିମରନ ହେଟମୟରଙ୍କ ଉପରେ ନଜର ରହିବା ସ୍ବାଭାବିକ । ସିପିଏଲରେ ୧୯୭.୩୧ ଷ୍ଟ୍ରାଇକ ରେଟରେ ୩୬୭ ରନ୍ କରିବା ପରେ ସେ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସିପିଏଲ ପ୍ରଦର୍ଶନକୁ ଏହି ସିରିଜରେ ଦୋହରାଇବାକୁ ହେତମାୟର ପ୍ରୟାସ କରିବେ। ଦିନିକିଆ ସିରିଜରେ ଆହତ ହୋଇଥିବା ଜୁଏଲ ଆଣ୍ଡ୍ରିୟୁଙ୍କ ସ୍ଥାନରେ ୱିକେଟ କିପର ଅମିର ଜାଙ୍ଗୁଙ୍କୁ ଟି-ଟ୍ୱେଷ୍ଟି ଦଳରେ ସାମିଲ କରାଯାଇଛି। ମାତ୍ର ସେ ଖେଳିବାକୁ ସୁଯୋଗ ପାଇବେ ନାହିଁ । ଆଣ୍ଡ୍ରିୟୁ ଫିଟ୍ ହୋଇ ନପାରିଲେ ତାଙ୍କ ସ୍ଥାନରେ କାମିଲ ପୂରନଙ୍କୁ ସୁଯୋଗ ମିଳିବ।