କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟକୁ ନେଇ ଭାରତୀୟ ଟିମର ସମ୍ଭାବ୍ୟ ଏକାଦଶକୁ ନେଇ ସସପେନ୍ସ। ଭାରତର ପୂର୍ବତନ ଅଫ୍-ସ୍ପିନ୍ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ଅବସର ନେଇସାରିଛନ୍ତି। ୱାଶିଂଟନ ସୁନ୍ଦର ଆହତ। ଏଥିରୁ ସ୍ପଷ୍ଟ- ପ୍ରଥମ ଟେଷ୍ଟରେ ସ୍ପିନ୍ ବିଭାଗରେ ନୂଆ ସମୀକରଣ ଦେଖିବାକୁ ମିଳିପାରେ। ଏହା ପୂର୍ବରୁ ଶ୍ରୀଲଙ୍କାର ପୂର୍ବତନ ଅଲରାଉଣ୍ଡର ଫରଭିଜ୍ ମାହାରୁଫଙ୍କ ମତରେଭାରତ ପ୍ରଥମ ଟେଷ୍ଟରେ ତିନିଜଣ ସ୍ପିନରଙ୍କୁ ନେଇ ମୈଦାନକୁ ଓହ୍ଲାଇପାରେ। ରବୀନ୍ଦ୍ର ଜାଡେଜା ଏବଂ କୁଲଦୀପ ଯାଦବଙ୍କ ସହ ଯୁବ ବାମହାତୀ ସ୍ପିନର ମାନବ ସୁଥାରଙ୍କୁ ଦଳରେ ସ୍ଥାନ ମିଳିପାରେ

ଅଶ୍ୱିନ ନଥିବା ଏବଂ ୱାଶିଂଟନ ସୁନ୍ଦର ଆହତ ଥିବାରୁ ଜାଡେଜା ଓ କୁଲଦୀପ ଭାରତର ପ୍ରଥମ ପସନ୍ଦର ସ୍ପିନର ହୋଇପାରନ୍ତି। ତେବେ ତୃତୀୟ ସ୍ପିନର ଭାବେ ମାନବ ସୁଥାର କିମ୍ବା ସାରାଂଶ ଜୈନଙ୍କ ମଧ୍ୟରୁ କାହାକୁ ଚୟନ କରାଯିବ,ତାହା ଉପରେ ନଜର ରହିଛି।

ମାହାରୁଫଙ୍କ ମତରେ ଶ୍ରୀଲଙ୍କାର ପିଚ୍‌ରେ କେବଳ ଟର୍ଣ୍ଣ ନୁହେଁ,ବଲ ବାଉନ୍ସ ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। ମାନବ ସୁଥାର ବଲ୍ରୁ ଭଲ ବାଉନ୍ସଆସୁଥିବାରୁ ତାଙ୍କୁ ସୁଯୋଗ ମିଳିପାରେ।ସୁଥାର ଆଫଗାନିସ୍ତାନ ବିପକ୍ଷରେ ନିଜ ଅନ୍ତର୍ଜାତୀୟ କ୍ୟାରିୟରର ଜବରଦସ୍ତ ଆରମ୍ଭ କରିଥିଲେ। ଡେବ୍ୟୁ ମ୍ୟାଚ୍ରେ ସେ ୭ଟି ୱିକେଟ୍ ନେଇଥିଲେ।

ଅନ୍ୟପଟେ ସାରାଂଶ ଜୈନ ଏପର୍ଯ୍ୟନ୍ତ ଭାରତ ପାଇଁ ଅନ୍ତର୍ଜାତୀୟ ଡେବ୍ୟୁ କରିନାହାନ୍ତି। କିନ୍ତୁ ଭାରତ-ଏ ଦଳ ସହ ଶ୍ରୀଲଙ୍କା ଗସ୍ତରେ ସେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେଠାରେ ଜୈନ ୭ଟି ୱିକେଟ୍ ନେବା ସହ ନମ୍ବର ୭ରେ ବ୍ୟାଟିଂ କରି ଅପରାଜିତ ୭୦ ରନ୍ ମଧ୍ୟ କରିଥିଲେ।ଭାରତ ପ୍ରଥମ ଟେଷ୍ଟରେ ତିନିଜଣ ସ୍ପିନର ଓ ଦୁଇଜଣ ପେସରଙ୍କୁ ନେଇଆକ୍ରମଣାତ୍ମକ ଟିମ୍ ଗଠନ କରିପାରେ।

ସେ କହିଛନ୍ତି ଯେ ଜାଡେଜା ଓ କୁଲଦୀପଙ୍କ ସହ ତୃତୀୟ ସ୍ପିନର ଭାବେ ସୁଥାର କିମ୍ବା ଜୈନଙ୍କ ମଧ୍ୟରୁ ଜଣେ ଖେଳିପାରନ୍ତି। ଅଫ୍-ସ୍ପିନର ଥିଲେ ବୋଲିଂରେ ଭେରିଏସନ୍ ମିଳିଥାନ୍ତା,କିନ୍ତୁ ଗାଲେରେ ସୁଥାରଙ୍କ ବାଉନ୍ସ ବାହାର କରିବାର କ୍ଷମତା ଭାରତ ପାଇଁ ଅଧିକ ଉପଯୋଗୀ ହୋଇପାରେ। ଏହା ସହ ମାହାରୁଫ ଭାରତୀୟ ୱିକେଟ କିପର-ବ୍ୟାଟର ଋଷଭ ପନ୍ତଙ୍କୁ ନେଇ ମଧ୍ୟ ଶ୍ରୀଲଙ୍କାକୁ ସତର୍କ କରିଛନ୍ତି।

କଲମ୍ବୋରେ ଖେଳାଯାଇଥିବା ତିନି ଦିନିଆ ଅଭ୍ୟାସ ମ୍ୟାଚ୍ରେ ପନ୍ତ ମାତ୍ର ୨ ଓ ୨୮ ରନ୍ କରିଥିଲେ। ଭାରତ ଏହି ମ୍ୟାଚକୁ ୬ ୱିକେଟରେ ଜିତିଥିଲା। ତେବେ ଏହି ଦୁଇଟି ଇନିଂସକୁ ଦେଖି ଶ୍ରୀଲଙ୍କା ଆଦୌ ଆଶ୍ୱସ୍ତ ହେବା ଉଚିତ ନୁହେଁ ବୋଲି ମାହାରୁଫ କହିଛନ୍ତି। ତାଙ୍କ ମତରେ ପନ୍ତ ମାତ୍ର ୩୦ରୁ ୪୫ ମିନିଟ୍ ମଧ୍ୟରେ ମ୍ୟାଚର ଗତିପଥ ବଦଳାଇବାର କ୍ଷମତା ରଖନ୍ତି। ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ଶ୍ରୀଲଙ୍କାର ବୋଲରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ।

also read- ୧୦ ବର୍ଷର ପ୍ରେମ ପରେ ବିବାହ କଲେ କ୍ରିଷ୍ଟିଆନୋ ରୋନାଲ୍ଡୋ, ଉତ୍ସବରେ ସାମିଲ ଥିଲେ ୫ ସନ୍ତାନ

ମାହାରୁଫଙ୍କ ଆକଳନ ଅନୁସାରେ,ଶ୍ରୀଲଙ୍କା ପନ୍ତଙ୍କ ବିପକ୍ଷରେ ଦୁଇଜଣ ମୁଖ୍ୟ ସ୍ପିନରଙ୍କ ସହ ଦୁଇଜଣ ପାର୍ଟଟାଇମ୍ ସ୍ପିନରଙ୍କୁ ମଧ୍ୟ ବ୍ୟବହାର କରିପାରେ। ପନ୍ତଙ୍କୁ ବାମହାତୀ ସ୍ପିନ୍ ଏବଂ ଅଫ୍-ସ୍ପିନରେ ଚାପରେ ରଖିବା ଲାଗି ଘରୋଇ ଦଳ ରଣନୀତି ପ୍ରସ୍ତୁତ କରିପାରେ। କିନ୍ତୁ ପନ୍ତଙ୍କ ଏକ୍ସ ଫ୍ୟାକ୍ଟର’ ଯେକୌଣସି ସମୟରେ ଶ୍ରୀଲଙ୍କାର ଯୋଜନାକୁ ଭଣ୍ଡୁର କରିପାରେ। ତେଣୁ ପ୍ରଥମ ଟେଷ୍ଟରେ ଭାରତର ସ୍ପିନ୍ ଆକ୍ରମଣ ସହ ପନ୍ତଙ୍କ ବ୍ୟାଟିଂ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ।