କୋଲମ୍ୱୋ: ଗାଲେ ଷ୍ଟାଡିୟମରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି । ସୋମବାର ମ୍ୟାଚ୍‌ର ତୃତୀୟ ଦିନ ଭାରତ ନିୟନ୍ତ୍ରଣରେ ରହିଥିଲା । ଭାରତ ଶ୍ରୀଲଙ୍କାକୁ ୭୯.୪ ଓଭରରେ ୨୮୪ ରନରେ ଅଲଆଉଟ୍ କରିଛି । ପ୍ରଥମ ଇନିଂସ ଆଧାରରେ ଭାରତ ୧୭୮ ରନରେ ଆଗୁଆ ରହିଛି ।  ଶ୍ରୀଲଙ୍କା ପାଇଁ ସୋନାଲ ଦିନୁଶା ସର୍ବାଧିକ ରନ କରିଥିଲେ । ସେ ୧୬୮ ବଲ୍ ଖେଳି ଚାରି ଚୌକା ଏବଂ ଦୁଇଟି ଛକା ସହାୟତାରେ ୧୦୦ ରନ୍ କରିଥିଲେ । ଏହା ତାଙ୍କର ପ୍ରଥମ ଟେଷ୍ଟ ଶତକ ।

ତୃତୀୟ ଦିନରେ ମ୍ୟାଚ୍ ଆରମ୍ଭରେ ଭାରତୀୟ ବୋଲରମାନେ ନିଜ ଦବଦବା ଦେଖାଇଥିଲେ । ପ୍ରଥମ ସେସନରେ ଶ୍ରୀଲଙ୍କା ୫ ୱିକେଟ୍ ହରାଇ ୯୯ ରନ କରିଥିଲା । ଓପନର ନିଶାନ ଖାତା ଖୋଲିପାରି ନ ଥିଲେ । ଦିନେଶ ଚାଣ୍ଡିମାଲ ୪, ଲାହିରୁ ଉଦାର ୨୭ ରନ କରିଥିଲେ । କାମିନ୍ଦୁ ମେଣ୍ଡିସ୍ ୧୪ ଏବଂ ଅଧିନାୟକ ଧନଞ୍ଜୟ ଡି’ ସିଲଭା ୨୧ ରନ କରିଥିଲେ । ଟିମର କଷ୍ଟକର ସମୟରେ, ସୋନାଲ ଦିନୁଶା ଏବଂ ନିରୋଶାନ ଡିକୱେଲା ସ୍ଥିତିକୁ ସମ୍ଭାଳିଥିଲେ । ଦୁହିଁଙ୍କ ମଧ୍ୟରେ ଷଷ୍ଠ ୱିକେଟ ପାଇଁ ୧୪୬ ରନର ଭାଗୀଦାରି ହୋଇଥିଲା । ନିରୋଶାନ ୧୧୫ ବଲରେ ୭ଟି ଚୌକା ସହିତ ୮୦ ରନ କରିଥିଲେ । ତାଙ୍କୁ ପ୍ରସିଦ୍ଧ କୃଷ୍ଣ ଆଉଟ୍ କରିଥିଲେ । ୭୯ତମ ଓଭରରେ ଦିନୁଶା ରବିନ୍ଦ୍ର ଜାଡେଜାଙ୍କ ଦ୍ୱାରା ଏଲବିଡବ୍ଲ୍ୟୁ ହୋଇଥିଲେ । ଶେଷ ୱିକେଟ୍ ଭାବେ ଲାହିରୁ କୁମାର ଆଉଟ୍ ହୋଇଥିଲେ ।

ଭାରତ ପାଇଁ ମାନବ ସୁଥାର ସର୍ବାଧିକ ଚାରିଟି ୱିକେଟ ନେଇଥିବା ବେଳେ ଜାଡେଜା ତିନୋଟି ୱିକେଟ ନେଇଥିଲେ । ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ଏବଂ କୁଲଦୀପ ଯାଦବ ପ୍ରତ୍ୟେକେ ଗୋଟିଏ ୱିକେଟ ନେଇଥିଲେ । ଶ୍ରୀଲଙ୍କାର ଇନିଂସ ଶେଷ ହେବା ସହିତ ପାଗ ଖରାପ ହୋଇଥିଲା। ବର୍ଷା ଯୋଗୁଁ ଶୀଘ୍ର ଷ୍ଟମ୍ପ ଡକାଯାଇଥିଲା।

ସୋମବାର ଭାରତ ପ୍ରଥମ ଇନିଂସରେ ୧୧୬.୪ ଓଭରରେ ୪୬୨ ରନ କରି ଅଲଆଉଟ୍ ହୋଇଯାଇଥିଲା । ରବିବାର ଖେଳ ଶେଷ ହେବା ବେଳକୁ ଭାରତର ସ୍କୋର ୪୬୦/୯ ଥିଲା, ଆଜି ମାତ୍ର ଦୁଇ ରନ୍ କରିପାରିଥିଲା । ପ୍ରସିଦ୍ଧ କୃଷ୍ଣ (୨) ଶେଷ ଭାରତୀୟ ଭାବରେ ଆଉଟ ହୋଇଥିଲେ । କୁଲଦୀପ ଯାଦବ ୧୩ ରନ କରି ଅପରାଜିତ ରହିଥିଲେ । ଦ୍ୱିତୀୟ ଦିନରେ ଦେବଦତ୍ତ ପାଡିକଲ ଦ୍ୱିଶତକରୁ ବଞ୍ଚିତ ହୋଇଥିଲେ । ସେ ୨୩୦ ବଲରୁ ୧୫ ଚୌକା ଏବଂ ଗୋଟିଏ ଛକା ସହିତ ୧୬୭ ରନ କରିଥିଲେ । କେଏଲ ରାହୁଲ ୧୭୫ ବଲରୁ ୧୦ ଚୌକା ଏବଂ ଗୋଟିଏ ଛକା ସହିତ ୮୨ ରନ କରିଥିଲେ । ଧ୍ରୁବ ଜୁରେଲ ୫୧ ଏବଂ ରିଷଭ ପନ୍ତ ୩୯ ରନ କରିଥିଲେ ।