ଅହମ୍ମଦାବାଦ, ୨୨/୦୨: ରବିବାର ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପର ସୁପର-୮ ରାଉଣ୍ଡରେ ଭାରତ- ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବେ । ଉଭୟ ଦଳ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଜୋରଦାର ପ୍ରସ୍ତୁତି କରିଛନ୍ତି । ଏହି ମ୍ୟାଚକୁ କ୍ରିକେଟ୍ ପ୍ରେମୀ ଉତ୍ସୁକତାର ସହ ଅପେକ୍ଷା କରିଥିବାରୁ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ନିକଟ ଅତୀତରେ କେବଳ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ଭାରତ ମାଟିରେ ସୂର୍ଯ୍ୟକୁମାର ଯାଦବଙ୍କ ଦଳକୁ ପରାଜିତ କରିଛନ୍ତି । ତେଣୁ ଏହି ମ୍ୟାଚର ଉତ୍ସାହ ଶିଖର ଛୁଇଁଛି ।

୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲରେ ମଧ୍ୟ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ଦକ୍ଷିଣ ଆଫ୍ରିକା ଉକ୍ତ ମ୍ୟାଚ ହାରିଥିଲେ ହେଁ ଭାରତକୁ କଡ଼ା ଟକ୍କର ଦେଇଥିଲା । ତେଣୁ ଏଥର ପ୍ରତିଶୋଧ ନେବା ପାଇଁ ଦକ୍ଷିଣ ଆଫ୍ରିକା ଜୋରଦାର ପ୍ରୟାସ କରିବ । ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଉଭୟ ଦଳ ପରସ୍ପରକୁ ୭ଥର ଭେଟିଛନ୍ତି । ଏଥିରୁ ଭାରତ ୫ଟି ମ୍ୟାଚ ଜିତିଥିବାବେଳେ ଦକ୍ଷିଣ ଆଫ୍ରିକା ୨ଟି ମ୍ୟାଚରେ ବିଜୟୀ ହୋଇଛି । ଲିଗ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ଏହି ଗ୍ରାଉଣ୍ଡରେ ୩ଟି ମ୍ୟାଚ୍ ଖେଳି ଜଳବାୟୁ ଓ ପିଚ୍ ସହ ଖାପ ଖୁଆଇ ସାରିଛି । ଇଶାନ କିଷନ ସମ୍ପ୍ରତି ଅନ୍ୟ ସବୁ ଦଳର ନିଦ ହଜାଇ ଦେଇଥିଲେ ହେଁ ରବିବାର ଅଭିଷେକ ଶର୍ମାଙ୍କ ଉପରେ ନଜର ରହିବ । ୩ଟି ମ୍ୟାଚରେ ଖାତା ଖୋଲିପାରି ନଥିବା ଅଭିଷେକ ଶନିବାର ନେଟ୍ସରେ ଭଲ ସଟ୍ ଖେଳି ଫର୍ମ ଫେରି ପାଇଥିବା ଦେଖିବାକୁ ମିଳିଥିଲା ।

ଅଭିଷେକଙ୍କୁ ବିଶ୍ରାମ ଦେଇ ସଞ୍ଜୁ ସାମସନଙ୍କୁ ଏକାଦଶରେ ସାମିଲ କରିବାକୁ ଅନେକ ପୂର୍ବତନ କ୍ରିକେଟ୍ ଖେଳାଳି ମତ ଦେଉଥିଲେ ହେଁ ଭାରତ ଓପନିଂ ବିଭାଗ ପରିବର୍ତ୍ତନ କରିବାକୁ ଚାହୁଁ ନଥିବା ଆଜି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରି ଦେଇଛନ୍ତି । ତେବେ ତିଲକଙ୍କ ଜାଗାରେ ସାମସନ୍ ଖେଳିପାରନ୍ତି । ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡେନ ମାରକ୍ରମ ମଧ୍ୟ ଚମତ୍କାର ଫର୍ମରେ ରହିଛନ୍ତି । ଆଜି ତାଙ୍କ ବୋଲିଂ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ । କାରଣ ଭାରତର ବ୍ୟାଟିଂ ବିଭାଗରେ ୫ଜଣ ବାମହାତି ବ୍ୟାଟର ରହିଛନ୍ତି । ଦକ୍ଷିଣ ଆଫ୍ରିକା ଏକାଦଶରେ ଏକମାତ୍ର ସ୍ପିନର ଭାବେ କେଶବ ମହାରାଜ ରହିଛନ୍ତି ଓ ସେ ବାମହାତି ବୋଲର । ତେଣୁ ଜଣେ ଡାହାଣ ହାତି ଅଫ ସ୍ପିନରଙ୍କ ଆବଶ୍ୟକତା ପଡ଼ିପାରେ ।

ଏହି ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ତେଣୁ ବିଶାଳ ସ୍କୋର ଏକ ପ୍ରକାର ନିଶ୍ଚିତ । କାକର ପ୍ରଭାବ ଯୋଗୁଁ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ । ତେଣୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ନିଶ୍ଚିତ ।