ନୂଆଦିଲ୍ଲୀ: ଲଣ୍ଡନର ଲି ବ୍ୟାଲି ହକି ଆଣ୍ଡ ଟେନିସ ସେଣ୍ଟରରେ ଖେଳାଯାଇଥିବା ହାଇଭୋଲ୍ଟେଜ୍ ଏଫ୍ଆଇଏଚ୍ (FIH) ପ୍ରୋ ଲିଗ୍ ମହାମୁକାବିଲାରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଶୋଚନୀୟ ଭାବେ ପରାସ୍ତ କରିଛି ଭାରତୀୟ ପୁରୁଷ ହକି ଟିମ୍। ପ୍ରାରମ୍ଭିକ ପର୍ଯ୍ୟାୟରେ ଏକ ଗୋଲ୍ରେ ପଛୁଆ ରହିବା ସତ୍ତ୍ୱେ ଭାରତୀୟ ଦଳ ଏଭଳି ପ୍ରତ୍ୟାବର୍ତ୍ତନ କରିଥିଲା ଯେ ପାକିସ୍ତାନ ଦଳକୁ ସମ୍ଭାଳିବାକୁ ସୁଯୋଗ ମଧ୍ୟ ମିଳିନଥିଲା। ଶେଷରେ ମ୍ୟାଚକୁ ୭-୧ ର ବୃହତ୍ ବ୍ୟବଧାନରେ ଜିତି ଏକ ନୂଆ ଇତିହାସ ରଚିଛି ଟିମ୍ ଇଣ୍ଡିଆ।

ଭାରତ ପକ୍ଷରୁ ସୁଖଜିତ ସିଂ, ହରମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ଜୁଗରାଜ ସିଂ, ଅଭିଷେକ, ରାଜ କୁମାର ପାଲ ଏବଂ ଦିଲପ୍ରୀତ ସିଂ ଜବରଦସ୍ତ ପ୍ରଦର୍ଶନ କରି ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ। ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ଜୁନ୍ ୨୩ରେ ଅନୁଷ୍ଠିତ ମ୍ୟାଚ୍ରେ ମଧ୍ୟ ଭାରତ ୪-୩ ଗୋଲ୍ରେ ପାକିସ୍ତାନକୁ ମାତ୍ ଦେଇଥିଲା।

ପ୍ରଥମ କ୍ୱାର୍ଟର: ପାକିସ୍ତାନକୁ ମିଳିଥିଲା ପ୍ରାରମ୍ଭିକ ସଫଳତା

ମ୍ୟାଚ୍ ଆରମ୍ଭରୁ ହିଁ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଦଳ ପଡ଼ିଆକୁ ଆକ୍ରାମକ ମୁଦ୍ରାରେ ଓହ୍ଲାଇଥିଲେ। ପ୍ରଥମ ଦୁଇ ମିନିଟ୍ ଭିତରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲେ ବି ଦଳ ତାକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲା। ଏହାର ସୁଯୋଗ ନେଇ ପାକିସ୍ତାନ କାଉଣ୍ଟର ଆଟାକ୍ କରିଥିଲା। ମ୍ୟାଚର ୧୩ତମ ମିନିଟରେ ପାକିସ୍ତାନକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଦଳର ଅଧିନାୟକ ଆବୁ ବକର ମହମୁଦ୍ ଏକ ଚମତ୍କାର ଡ୍ରାଗ୍ ଫ୍ଲିକ୍ ଜରିଆରେ ଗୋଲ୍ କରି ଦଳକୁ ୧-୦ ରେ ଆଗୁଆ କରିଦେଇଥିଲେ। ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ପାକିସ୍ତାନ ୧-୦ରେ ଆଗରେ ରହିଥିଲା।

Also Read: ସୋଏବ ଅଖତାରଙ୍କ ଘରେ ଲଶ୍କର-ଏ-ତୋଏବାର ଟପ୍ ଆତଙ୍କବାଦୀ ! ଧରା ପଡିଗଲା ପାକିସ୍ତାନର ଟେରର୍ ଲିଙ୍କ୍

ଦ୍ୱିତୀୟ କ୍ୱାର୍ଟର: ମ୍ୟାଚ୍‌ର ମୋଡ଼ ବଦଳାଇଲା ଭାରତ

ତେବେ ଦ୍ୱିତୀୟ କ୍ୱାର୍ଟରରେ ଭାରତୀୟ ଖେଳାଳିମାନେ ଖେଳର ଦିଗ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲେ। ୨୦ତମ ମିନିଟ୍ରେ ମିଳିଥିବା ପେନାଲ୍ଟି କର୍ଣ୍ଣରରେ ଅଧିନାୟକ ହରମନପ୍ରୀତ ସିଂଙ୍କ ସଟକୁ ସୁଖଜିତ ସିଂ ଚମତ୍କାର ଭାବେ ଡିଫ୍ଲେକ୍ଟ କରି ଗୋଲ୍ ପୋଷ୍ଟ ଭିତରକୁ ପଠାଇ ଦେଇଥିଲେ। ଏହାସହ ସ୍କୋର ୧-୧ ସମାନ ସ୍ଥିତିକୁ ଆସିଥିଲା। ଏହାର ଠିକ୍ ୬ ମିନିଟ୍ ପରେ ଅର୍ଥାତ୍ ୨ ୬ତମ ମିନିଟ୍ରେ ଆଉ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ହରମନପ୍ରୀତ ଭାରତକୁ ୨-୧ ରେ ଆଗୁଆ କରିଦେଇଥିଲେ। ହାଫ୍-ଟାଇମ୍ ସୁଦ୍ଧା ମ୍ୟାଚ୍ ଉପରେ ଭାରତ ସମ୍ପୂର୍ଣ୍ଣ କବଜା କରିସାରିଥିଲା।

ଦ୍ୱିତୀୟ ହାଫ୍: ପାକିସ୍ତାନ ଉପରେ ବର୍ଷିଲା ଗୋଲ୍ ବର୍ଷା

ହାଫ୍-ଟାଇମ୍ ପରେ ତ ଭାରତୀୟ ଆଟାକିଂ ଲାଇନ୍ ପାକିସ୍ତାନ ରକ୍ଷଣଭାଗକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲା। ଭାରତକୁ ଏକ ପେନାଲ୍ଟି ଷ୍ଟ୍ରୋକ ମିଳିବାରୁ ଷ୍ଟାର୍ ଖେଳାଳି ହାର୍ଦ୍ଦିକ ସିଂ କୌଣସି ଭୁଲ୍ ନକରି ଗୋଲ୍ କରି ସ୍କୋରକୁ ୩-୧ କରିଥିଲେ। ଏହାପରେ ପାକିସ୍ତାନୀ ଖେଳାଳି କିଛି ବୁଝିବା ଆଗରୁ ଜୁଗରାଜ ସିଂ ଏକ ଦ୍ରୁତ କାଉଣ୍ଟର ଆଟାକ୍ ବଳରେ ଦଳ ପାଇଁ ଚତୁର୍ଥ ଗୋଲ୍ ସ୍କୋର କରିଥିଲେ। ୪୧ତମ ମିନିଟରେ ସୁଖଜିତଙ୍କ ଏକ ସୁନ୍ଦର ପାସକୁ ଗୋଲରେ ପରିଣତ କରି ଅଭିଷେକ ଭାରତର ସ୍କୋରକୁ ୫-୧ ରେ ପହଞ୍ଚାଇଥିଲେ।

Also Read: 'ମୋ ଅଧିନାୟକତ୍ଵରେ ଭଲ ଆରମ୍ଭ କରିଛି ଟିମ୍ ଇଣ୍ଡିଆ' : ହାରିଲା ପରେ ଏମିତି କାହିଁକି କହିଲେ ଶ୍ରେୟସ ?

ଏହାପରେ ମଧ୍ୟ ଭାରତର ଗୋଲ୍ କ୍ଷୁଧା ମେଣ୍ଟିନଥିଲା। ୪୪ତମ ମିନିଟରେ ରାଜ କୁମାର ପାଲ ଦଳ ପାଇଁ ଷଷ୍ଠ ଗୋଲ୍ କରିଥିଲେ। ଶେଷ କ୍ୱାର୍ଟରରେ ମଧ୍ୟ ଭାରତୀୟ ଦଳର ଦବଦବା ଜାରି ରହିଥିଲା ଏବଂ ୫୪ତମ ମିନିଟ୍ରେ ଦିଲପ୍ରୀତ ସିଂ ଦଳ ପାଇଁ ସପ୍ତମ ଗୋଲ୍ କରି ଭାରତର ୭-୧ ର ଏହି ଐତିହାସିକ ତଥା ସ୍ମରଣୀୟ ବିଜୟ ଉପରେ ମୋହର ମାରିଥିଲେ। ଏହି ଦମଦାର ବିଜୟ ସହ ଭାରତୀୟ ଦଳ ପ୍ରୋ ଲିଗ୍ ପଏଣ୍ଟ ଟେବୁଲରେ ପୂରା ୩ ଅଙ୍କ ନିଜ ନାମରେ କରିଛି। ମ୍ୟାଚରେ ଚମତ୍କାର ପ୍ରଦର୍ଶନ ପାଇଁ ହାର୍ଦ୍ଦିକ ସିଂଙ୍କୁ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ଘୋଷଣା କରାଯାଇଛି।