ଚଣ୍ଡିଗଡ,୮|୦୬:ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଥିବା ଚଣ୍ଡିଗଡ ଟେଷ୍ଟରେ ଦମଦାର ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଭାରତ ଏକମାତ୍ର ଟେଷ୍ଟକୁ ୩୦୦ ରନ ଏବଂ ଇନିଂଶରେ ଜିତିନେଇଛି ।

ମ୍ୟାଚରେ ଟସ୍ ଜିତି ପ୍ରଥମ ଇନିଂସରେ ଭାରତ ବିଶାଳ ୫୬୪ ରନ୍ କରିଥିଲା । ଶୁଭମନ ଗିଲ ଏବଂ କେଏଲ ରାହୁଲଙ୍କ ଶତକ ବଳରେ ଦଳ ବିଶାଳ ସ୍କୋର କରିଥିଲା । ଋଷଭ ପନ୍ତ ମଧ୍ୟ ଉପଯୋଗୀ ଇନିଂସ ଖେଳିଥିଲେ । ଜବାବରେ ଆଫଗାନିସ୍ତାନ ପ୍ରଥମ ଇନିଂସରେ ମାତ୍ର ୧୫୮ରେ ଅଲଆଉଟ୍ ହୋଇ ଫଲୋ ଅନ୍ ର ଶିକାର ହୋଇଥିଲା । ପ୍ରଥମ ଇନିଂସରେ ଭାରତ ପକ୍ଷରୁ ମାନବ ସୁଥାର ୬ଟି ଓ୍ୱିକେଟ୍ ନେଇ ଆଫଗାନିସ୍ତାନକୁ ସଙ୍କଟରେ ପକାଇଥିଲେ ।

ଦ୍ୱିତୀୟ ଇନିଂସରେ ବ୍ୟାଟିଂ ପାଇଁ ଓହ୍ଲାଇଥିବା ଆଫଗାନ୍ ଆରମ୍ଭରୁ ଭଲ ଖେଳିଥିଲେ ବି ପରେ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲେ । ପ୍ରଥମ ଓ୍ୱିକେଟ୍ ପତନ ପରେ ଜଣଙ୍କ ପରେ ଜଣେ ବ୍ୟାଟର ପ୍ୟାଭିଲିୟନ ଫେରିଥିଲେ । ୮ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିନଥିଲେ । ସେଦିକୁଲ୍ଲା ଅଟଲ ସର୍ବାଧିକ ୪୨ ରନ୍ କରିଥିଲେ । ଫଳରେ ଦଳ ମାତ୍ର ୧୧୨ ରନ୍ ରେ ଅଲଆଉଟ୍ ହୋଇ ବିଜୟଠୁ ୩୦୦ ରନ୍ ପଛରେ ରହିଯାଇଥିଲା ।

ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ଓ୍ୱାଶିଂଟନ୍ ସୁନ୍ଦର ସର୍ବାଧିକ ୪ଟି ଓ୍ୱିକେଟ୍ ନେଇଥିବା ବେଳେ କୂଲଦୀପ ଯାଦବ ତିନୋଟି ଏବଂ ମହମ୍ମଦ ସିରାଜ ଓ ମାନବ ସୁଥାର ଗୋଟିଏ ଲେଖାଏଁ ଓ୍ୱିକେଟ୍ ଅକ୍ତିଆର କରିଥିଲେ ।